25.1 C
Bhubaneswar
Wednesday, March 25, 2026
Homeଓଡିଶାଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ ପରିଦର୍ଶନ କଲେ ଭାରତର G-20 -ଶେର୍ପା ଶ୍ରୀ ଅମିତାଭ କାନ୍ତ

ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ ପରିଦର୍ଶନ କଲେ ଭାରତର G-20 -ଶେର୍ପା ଶ୍ରୀ ଅମିତାଭ କାନ୍ତ

ଭୁବନେଶ୍ବର: ଭାରତର G-20 -ଶେର୍ପା, ଶ୍ରୀ ଅମିତାଭ କାନ୍ତ ଆଜି ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ ପରିଦର୍ଶନ କରିଛନ୍ତି ଏବଂ ଡେବ୍ରିଗଡ଼ ଇକୋଟୁରିଜିମକୁ ଭାରତର ସର୍ବୋତ୍ତମ ଇକୋଟୁରିଜିମ ଗନ୍ତବ୍ୟସ୍ଥଳ ଭାବରେ ପ୍ରଶଂସା କରିଛନ୍ତି । ସେ ଡେବ୍ରିଗଡ଼ ଇକୋଟୁରିଜିମର ସଦସ୍ୟଙ୍କ ସହିତ ଆଲୋଚନା କରିବା ସହ ଡେବ୍ରିଗଡ଼ ଅଭୟାରଣ୍ୟରେ କାର୍ଯ୍ୟ କରୁଥିବା ଇକୋଟୁରିଜିମ ମଡେଲକୁ ପ୍ରଶଂସା କରିଛନ୍ତି ।

ସୂଚନାଯୋଗ୍ୟ ଯେ ଜଙ୍ଗଲ ନିର୍ଭରଶୀଳ 85 ଟି ପରିବାର ବିଭିନ୍ନ ଇକୋଟୁରିଜିମ କାର୍ଯ୍ୟକଳାପରୁ ସେମାନଙ୍କର ଜୀବିକା ଅର୍ଜନ କରୁଛନ୍ତି । ଏହି ସମ୍ପ୍ରଦାୟର ସଦସ୍ୟମାନେ ପର୍ଯ୍ୟଟକଙ୍କ ପାଇଁ ଜଙ୍ଗଲ ସଫାରୀ, ହୀରାକୁଦ କ୍ରୁଜ୍, ଟ୍ରେକିଂ, ହାଇକିଂ, କାୟାକିଂ, ବନ୍ୟପ୍ରାଣୀ ଉପରେ କାହାଣୀ କହିବା, ପକ୍ଷୀ ଦେଖାଇବା ଇତ୍ୟାଦି କାର୍ଯ୍ୟ କରିଥାନ୍ତି । ଡେବ୍ରିଗଡ଼ରେ ପର୍ଯ୍ୟଟକଙ୍କ ରାତ୍ରି ରହଣି ପାଇଁ 20 ଟି କଟେଜ ରହିଛି । ଏଠାରେ କାଚ ଛାତ ସହିତ 6 ଟି ଷ୍ଟାରଗେଜିଂ ରୁମ ରହିଛି । ଡେବ୍ରିଗଡ଼ରେ କାର୍ଯ୍ୟରତ ପ୍ରତ୍ୟେକ ସଦସ୍ୟ ପ୍ରତି ମାସରେ 13 ରୁ 15 ହଜାର ଟଙ୍କା ରୋଜଗାର କରୁଛନ୍ତି । ମହିଳା ସଫାରୀ ଡ୍ରାଇଭର ଏବଂ ଇକୋଗାଇଡ୍ ସହିତ 40% ମହିଳା ଇକୋଟୁରିଜିମରେ ମଧ୍ୟ ନିଯୁକ୍ତି ପାଇଛନ୍ତି । ଡେବ୍ରିଗଡ଼ ଅଭୟାରଣ୍ୟରେ ଉତ୍ତମ ବନ୍ୟପ୍ରାଣୀ ଦର୍ଶନ ପାଇଁ ସମସ୍ତ ଗ୍ରାମକୁ ସ୍ଥାନାନ୍ତରିତ କରାଯାଇଛି ଏବଂ ଅଭୟାରଣ୍ୟ ଭିତରେ ବର୍ତ୍ତମାନ କୌଣସି ମନୁଷ୍ୟ-ପ୍ରାଣୀ ସଂଘର୍ଷ ନାହିଁ। ବୈଜ୍ଞାନିକ ଆବାସ ପରିଚାଳନା କାର୍ଯ୍ୟ ବନ୍ୟପ୍ରାଣୀଙ୍କ ସଂଖ୍ୟାକୁ ସୁଦୃଢ଼ କରିଛି ଏବଂ ସମ୍ବର, ହରିଣ, ଭାଲୁ ଇତ୍ୟାଦିଙ୍କ ସହିତ ପ୍ରତିଦିନ ପର୍ଯ୍ୟଟକମାନେ ଭାରତୀୟ ବାଇସନର ବଡ଼ ପଲକୁ ଦେଖି ପାରୁଛନ୍ତି । ହୀରାକୁଦରେ 18ଟି କ୍ରୁଜ୍ (ବଡ ଡଙ୍ଗା) ମଧ୍ୟ କାର୍ଯ୍ୟକ୍ଷମ ଅଛି । ଏଠାରେ ମଧ୍ୟ ଗୋଷ୍ଠୀ ପରିଚାଳିତ ବାଉଁଶ ଏବଂ ତାଳ ଗଛରେ ତିଆରି ଆଇଲ୍ୟାଣ୍ଡ କାଫେ କାର୍ଯ୍ୟ କରୁଛି । ଏହା ବ୍ୟତୀତ, ଗୋବିନ୍ଦପୁର ପକ୍ଷୀ ଗ୍ରାମ, ଧୋଡ୍ରୋକୁସୁମ ସବୁଜ ଗ୍ରାମ, ବୀର ସୁରେନ୍ଦ୍ର ସାଏ ସ୍ମାରକୀ ଇତ୍ୟାଦି ମଧ୍ୟ ସ୍ଥାନୀୟ ଲୋକଙ୍କ ଦ୍ୱାରା ପରିଚାଳିତ ହେଉଛି । ପୂର୍ବରୁ ଶିକାର ଜରିଆରେ ପରିବାର ପୋଷଣ କରୁଥିବା କିଛି ବ୍ୟକ୍ତି ବର୍ତ୍ତମାନ ଏଠାରେ ଇକୋଗାଇଡ୍ ଭାବରେ ନିଯୁକ୍ତ ଅଛନ୍ତି।

2024-25 ବର୍ଷରେ, ଡେବ୍ରିଗଡ଼ ଇକୋଟୁରିଜିମ୍ ସର୍ବାଧିକ 5.11 କୋଟି ଟଙ୍କା ରାଜସ୍ୱ ଅର୍ଜନ କରିଛି। ଇକୋଟୁରିଜିମ୍ ନିର୍ଦ୍ଦେଶାବଳୀ ଅନୁସାରେ, ସ୍ଥାନୀୟ ସମ୍ପ୍ରଦାୟ ମଧ୍ୟରେ ସେମାନଙ୍କ ମଜୁରୀ ଭାବରେ 35% ବାଣ୍ଟି ଦିଆଯାଏ । 25% ପୁନରାବୃତ୍ତି ଖର୍ଚ୍ଚ ପାଇଁ, 10% ଭିତ୍ତିଭୂମି ବିକାଶ ପାଇଁ, 10% ଗ୍ରାମ ବିକାଶ ପାଇଁ, 20% ସମ୍ପ୍ରଦାୟ ସଦସ୍ୟଙ୍କ ତାଲିମ ଏବଂ କ୍ଷମତା ନିର୍ମାଣ ପାଇଁ PCCF (ବନ୍ୟପ୍ରାଣୀ)ର କର୍ପସ୍ ପାଣ୍ଠିକୁ 20% ଦିଆଯାଏ। ଏଠାରୁ ହେଉଥିବା ଆୟର ଶତପ୍ରତିଶତ ସ୍ଥାନୀୟ ଲୋକଙ୍କ ବିକାଶ ପାଇଁ ବ୍ୟୟ ହୋଇଥାଏ । ଏହା ସ୍ଥାନୀୟ ସମ୍ପ୍ରଦାୟକୁ ଇକୋଟୁରିଜିମ୍‌ରେ ପ୍ରମୁଖ ଅଂଶୀଦାର କରିଥାଏ ଯାହା ଜଙ୍ଗଲ ଏବଂ ବନ୍ୟପ୍ରାଣୀଙ୍କ ସୁରକ୍ଷା ଏବଂ ସଂରକ୍ଷଣକୁ ସୁଦୃଢ଼ କରିଥାଏ। ଇକୋଟୁରିଜିମ୍‌ରେ ସ୍ଥାନୀୟ ଲୋକଙ୍କ ନିୟୋଜନ ବନ୍ୟପ୍ରାଣୀ ସଂରକ୍ଷଣକୁ ସୁଦୃଢ଼ କରିଛି। ସ୍ଥାନୀୟ ଲୋକ ଅଭୟାରଣ୍ୟ ଏବଂ ଏହାର ସୁରକ୍ଷାର ଦାୟିତ୍ଵ ନେଇଛନ୍ତି। ଇକୋଟୁରିଜିମ୍ ଅନେକ ଜଙ୍ଗଲ ନିର୍ଭରଶୀଳ ଅଧିବାସୀଙ୍କୁ ଜୀବନଜୀବିକ ଦେବା ସହ ସେମାନଙ୍କ ଆର୍ଥିକ ପରିସ୍ଥିତିରେ ଉନ୍ନତି ଆଣିପାରିଛି । ଏଥିପାଇଁ ଡେବ୍ରିଗଡ଼ ବନଖଣ୍ଡ ଅଧିକାରୀ ଶ୍ରୀମତୀ ଅଂଶୁପ୍ରଜ୍ଞା ଦାସଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଛନ୍ତି I

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking