19.1 C
Bhubaneswar
Friday, November 22, 2024
Homeଦେଶ ବିଦେଶଜାତିସଂଘ ସୁରକ୍ଷା ପରିଷଦରେ ଭାରତର ବଡ଼ ବିଜୟ: ଅବ୍‌ଦୁଲ୍ ରହମାନ୍ ମକ୍କି ଗ୍ଲୋବାଲ ଆତଙ୍କୀ ଘୋଷିତ

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ବଡ଼ ବିଜୟ: ଅବ୍‌ଦୁଲ୍ ରହମାନ୍ ମକ୍କି ଗ୍ଲୋବାଲ ଆତଙ୍କୀ ଘୋଷିତ

ନ୍ୟୁୟର୍କ : ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି) ସୋମବାର ପାକ୍ ଆତଙ୍କୀ ଅବ୍‌ଦୁଲ୍ ରହମାନ୍ ମକ୍କିକୁ ଗ୍ଲୋବାଲ୍ ଆତଙ୍କବାଦୀ ଘୋଷଣା କରିଛି । ମକ୍କି ଭାରତରେ ହୋଇଥିବା ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ୍ ଲସ୍କର-ଏ-ତୋଇବା ମୁଖ୍ୟ ହାଫିଜ୍ ସଇଦ୍‌ର ଭିଣୋଇ । ଜାତିସଂଘ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି, ସୁରକ୍ଷା ପରିଷଦ କମିଟି ଅବ୍‌ଦୁଲ୍ ରହମାନ୍ ମକ୍କିକୁ ଆଇଏସ୍‌ଆଇଏଲ୍ (ଦାଏଶ) ଏବଂ ଅଲ୍‌-କାଏଦା ପ୍ରତିବନ୍ଧ କମିଟି ଅଧୀନରେ ବୈଶ୍ୱିକ ଆତଙ୍କବାଦୀ ଘୋଷିତ କରିଛି । ଏହାପରେ ଆତଙ୍କୀ ମକ୍କିର ସମ୍ପତ୍ତି ଜବତ କରାଯିବା ସହିତ ତା’ର ଯାତ୍ରା ଉପରେ କଟକଣା ଲାଗୁ କରାଯିବ । ମକ୍କିକୁ ଗ୍ଲୋବାଲ୍ ଆତଙ୍କବାଦୀ ଘୋଷଣା କରାଯିବାପରେ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଏବଂ ରାଷ୍ଟ୍ରଦୂତ ସୟଦ୍ ଆକ୍‌ବରୁଦ୍ଦିନ୍ କହିଛନ୍ତି, ଏବେ ଭାରତକୁ ଚୀନ୍ ରୋକିପାରିବ ନାହିଁ ବୋଲି ବିଶ୍ୱରେ ସମସ୍ତେ ଜାଣିସାରିଲେଣି । ଭାରତୀୟ ଲୋକଙ୍କ ନ୍ୟାୟ ଦାବିରେ ଚୀନ୍ ବାଧା ସୃଷ୍ଟି କରୁଥିଲା । ଆକବରୁଦ୍ଦିନ୍ କହିଛନ୍ତି, ଆହୁରି ଅନେକଙ୍କୁ ଗ୍ଲୋବାଲ୍ ଆତଙ୍କବାଦୀ ଘୋଷିତ କରାଇବାର ଅଛି । ମକ୍କିକୁ ଗ୍ଲୋବାଲ୍ ଆତଙ୍କବାଦୀ ଘୋଷିତ କରିଥିବା କମିଟି ଭାରତରେ ବହୁ ଆକ୍ରମଣ ପାଇଁ ତାକୁ ଦାୟୀ କରିଛି । ଏହା ମଧ୍ୟରେ ୨୦୦୦ ଡିସେମ୍ବର ୨୨ ଲାଲକିଲ୍ଲା ଆକ୍ରମଣ ଅନ୍ୟତମ । ଏଥିରେ ସେନାର ଦୁଇଜଣ ଯବାନଙ୍କ ସମେତ ତିନିଜଣଙ୍କର ମୃତ୍ୟୁ ଘଟିଥିଲା । ଏହା ବ୍ୟତୀତ ୨୦୦୮ ରାମପୁର କ୍ୟାମ୍ପ୍ ଉପରେ ଆକ୍ରମଣ, ୨୦୧୮ ବାରମୂଳା, ବାନ୍ଦିପୋରା ଏବଂ ଶ୍ରୀନଗର ଆକ୍ରମଣରେ ମଧ୍ୟ ସେ ସାମିଲ । ଭାରତ ଏବଂ ଆମେରିକାର ତାକୁ ଗ୍ଲୋବାଲ୍ ଆତଙ୍କୀ ଘୋଷିତ କରାଇବାରେ ଭାରତ ଏବଂ ଆମେରିକାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ମକ୍କିକୁ ଗ୍ଲୋବାଲ୍ ଆତଙ୍କୀ ଘୋଷଣା ପାଇଁ ଗତବର୍ଷ ଜୁନ୍‌ରେ ଭାରତ ଏବଂ ଆମେରିକା ପକ୍ଷରୁ ଅଣାଯାଇଥିବା ଏକ ମିଳିତ ପ୍ରସ୍ତାବକୁ ଚୀନ୍ ଭେଟୋ ପ୍ରୟୋଗ କରି ରୋକି ଦେଇଥିଲା । ତେବେ ଏଥର ଚୀନ୍ ଏପରି କରିପାରି ନାହିଁ । ଜାତିସଂଘ ଅନୁସାରେ, ଲସ୍କର-ଏ-ତୋଇବାର ରାଜନୈତିକ ୱିଙ୍ଗ୍‌ର ପ୍ରମୁଖ ୭୪ ବର୍ଷୀୟ ମକ୍କି ସଂଗଠନର ବିଦେଶ ବିଭାଗ ମୁଖ୍ୟ ରୂପରେ ମଧ୍ୟ କାର୍ଯ୍ୟ କରୁଛି । ଲସ୍କର ପାଇଁ ଫଣ୍ଡ୍ ବ୍ୟବସ୍ଥା କରିବା ତା’ର ପ୍ରମୁଖ କାର୍ଯ୍ୟ । ଜମ୍ମୁ-କଶ୍ମୀରରେ ହିସାଂକାଣ୍ଡ ଏବଂ ଆକ୍ରମଣ ପାଇଁ ଯୋଜନା ପ୍ରସ୍ତୁତ, ଧନ ଯୋଗାଡ଼, ଆତଙ୍କୀଙ୍କ ଅନୁପ୍ରବେଶ ଏବଂ କଶ୍ମୀର ଯୁବକଙ୍କ ବ୍ରେନ୍‌ୱାଶ୍ କରି ସେମାନଙ୍କୁ ଆତଙ୍କବାଦୀ କରାଇବା ତାହାର ପ୍ରମୁଖ କାର୍ଯ୍ୟ ରହିଆସିଛି । ଆମେରିକା ପୂର୍ବରୁ ହିଁ ତାକୁ ଗ୍ଲୋବାଲ୍ ଆତଙ୍କବାଦୀ ଘୋଷିତ କରିସାରିଥିବାବେଳେ ୟୁଏପିଏ ଅଧୀନରେ ଭାରତ ମଧ୍ୟ ତାକୁ ଆତଙ୍କୀ ଘୋଷିତ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking