18.1 C
Bhubaneswar
Monday, November 25, 2024
Homeଖେଳଏଫ୍‌ଆଇଏଚ୍ ହକି ପ୍ରୋ ଲିଗ୍ ପାଇଁ ଭାରତୀୟ ମହିଳା ଦଳ ଘୋଷିତ : ସବିତା ଅଧିନାୟିକା

ଏଫ୍‌ଆଇଏଚ୍ ହକି ପ୍ରୋ ଲିଗ୍ ପାଇଁ ଭାରତୀୟ ମହିଳା ଦଳ ଘୋଷିତ : ସବିତା ଅଧିନାୟିକା

ଦୀପ୍‌ଗ୍ରେସ୍ ଉପଅଧିନାୟିକା, ନମିତା ସାମିଲ୍
ଭୁବନେଶ୍ୱର: ଆସନ୍ତା ୨୬ ଓ ୨୭ ତାରିଖରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଭାରତୀୟ ମହିଳା ଓ ପୁରୁଷ ହକି ଦଳ ସ୍ପେନ୍ ବିପକ୍ଷରେ ଖେଳିବେ । ଏହି  ମ୍ୟାଚ୍ ସକାଶେ ସୋମବାର ଭାରତୀୟ ମହିଳା ଦଳ ଘୋଷଣା କରାଯାଇଛି । ହକି ଇଣ୍ଡିଆ ପକ୍ଷରୁ ଘୋଷିତ ଏହି ୨୨ଜଣିଆ ଦଳର ନେତୃତ୍ୱ ଦାୟିତ୍ୱ ଅଭିଜ୍ଞ ଗୋଲକିପର୍ ସବିତାଙ୍କୁ ଦିଆଯାଇଥିବା ବେଳେ ଓଡ଼ିଶାର ପ୍ରମୁଖ ଡିଫେଣ୍ଡର୍ ଦୀପ୍ ଗ୍ରେସ୍ ଏକ୍କା ଉପଅଧିନାୟିକା ରହିଛନ୍ତି । ଏହି ଦଳରେ ଓଡ଼ିଶାରୁ ଦୀପ୍ ଗ୍ରେସ୍‌ଙ୍କ ବ୍ୟତୀତ ମିଡ୍‌ଫିଲ୍‌ଡର୍ ନମିତା ଟପ୍ପୋ ମଧ୍ୟ ସ୍ଥାନ ପାଇଛନ୍ତି । ଏହାଛଡ଼ା ଷ୍ଟାଣ୍ଡବାଇ ଖେଳାଳିଙ୍କ ମଧ୍ୟରେ ବି ଦୁଇ ଜଣ ଓଡ଼ିଆ ଖେଳାଳି ରହିଛନ୍ତି । ସେମାନେ ହେଲେ ରଶ୍ମିତା ମିଞ୍ଜ୍ ଓ ମାରିଆନା କୁଜୁର୍ । ସେହିପରି ଦଳରେ ଏକମାତ୍ର ନୂଆମୁହଁ ଭାବେ ସାମିଲ୍ ହୋଇଛନ୍ତି ଝାଡ଼ଖଣ୍ଡ ଫରୱାର୍ଡ ସଙ୍ଗୀତା କୁମାରୀ ।

ସଙ୍ଗୀତା ଜୁନିୟର୍ ଦଳ ପକ୍ଷରୁ ପ୍ରଭାବଶାଳୀ ପ୍ରଦର୍ଶନ କରିବା ଫଳରେ ତାଙ୍କୁ ପ୍ରଥମ ଥର ପାଇଁ ସିନିୟର୍ ଟିମ୍‌ରେ ସ୍ଥାନ ଦିଆଯାଇଛି ।
ନିୟମିତ ଖେଳାଳି ତାଲିକାରେ ଥିବା ଅନ୍ୟ ସଦସ୍ୟାମାନେ ହେଲେ ବିଚୁ ଦେବୀ ଖାରିବାମ୍ ଓ ରଜନୀ ଏତିମାର୍ପୁ (ଉଭୟ ଗୋଲ୍‌କିପର୍‌), ଗୁରଜିତ୍ କୌର୍‌, ନିକ୍କି ପ୍ରଧାନ, ଉଦିତା, ଈଶିକା ଚୌଧୁରୀ (ସମସ୍ତେ ଡିଫେଣ୍ଡର୍‌), ନିଶା, ସଲିମା ଟେଟେ, ସୁଶୀଲା ଚାନୁ, ଜ୍ୟୋତି, ମୋନିକା, ନେହା ଓ ନବଜୋତ୍ କୌର୍ (ସମସ୍ତେ ମିଡ୍‌ଫିଲ୍‌ଡର୍‌), ବନ୍ଦନା କଟାରିୟା, ଶର୍ମିଲା ଦେବୀ, ନବନୀତ୍ କୌର୍‌, ଲାଲରେମ୍‌ସିଆମି ଓ ରାଜବିନ୍ଦର ସିଂହ (ସମସ୍ତେ ଫରୱାର୍ଡ) । ସେହିପରି ଷ୍ଟାଣ୍ଡବାଇ ଖେଳାଳି ତାଲିକାରେ ରଶ୍ମିତା ଓ ମାରିଆନାଙ୍କ ବ୍ୟତୀତ ଅକ୍ଷତା ଆବାସୋ ଡେକାଲେ, ସୋନିକା ଓ ଐଶ୍ୱର୍ଯ୍ୟା ରାଜେଶ ଚୌହାନ୍ ରହିଛନ୍ତି ।

ଦଳ ଚୟନ ସମ୍ପର୍କରେ ଦଳର ମୁଖ୍ୟ କୋଚ୍ ଜାନେକ୍ ସ୍କୋପମାନ୍ କହିଛନ୍ତି ଯେ ସ୍ପେନ୍ ବିପକ୍ଷରେ ପ୍ରୋ ଲିଗ୍‌ର ଘରୋଇ ସଂସ୍କରଣ ଆରମ୍ଭ କରିବା ସକାଶେ ଆମେ ବେଶ୍ ବ୍ୟଗ୍ର ରହିଛୁ । ଓମାନ୍‌ରୁ ଫେରିବା ପରେ ଏଠାରେ ଆମର ଦୁଇଟି ଟ୍ରେନିଂ ସେସନ୍ ବେଶ୍ ଫଳପ୍ରଦ ରହିଛି । ସୋମବାର ଚୟନ ହୋଇଥିବା ୨୨ ଜଣ ଖେଳାଳି ଆଗାମୀ ମୁକାବିଲାରେ ସେମାନଙ୍କ ଦକ୍ଷତା ପ୍ରଦର୍ଶନରେ ସଫଳ ହେବେ ବୋଲି ଆଶା ରଖିଛି । ସ୍ପେନ୍ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବେ ନିଜକୁ ପ୍ରତିପାଦିତ କରିପାରିଛି ।

ଏହି ଦଳ ଗତ ଟୋକିଓ ଅଲିମ୍ପିକ୍ସରେ ଅଳ୍ପକେ ସେମିରୁ ବଞ୍ଚିତ ହୋଇଥିଲା । କିନ୍ତୁ ଦଳ ବିଶ୍ୱକପ୍‌ରେ ବ୍ରୋଞ୍ଜ୍ ପଦକ ହାସଲ କରିଛି । ଦଳର ସଦସ୍ୟାମାନେ ରଣକୌଶଳକୁ କାର୍ଯ୍ୟକାରୀ କରିବାରେ ବେଶ୍ ନିପୁଣା । ସେମାନଙ୍କ ଡିଫେନ୍ସିଭ୍ ଟେକ୍‌ନିକ୍ ମଧ୍ୟ ପ୍ରଭାବଶାଳୀ । କିନ୍ତୁ ଆଗାମୀ ମୁକାବିଲାରେ ଆମର ଖେଳାଳିମାନେ ନିଜର ଦ୍ରୁତ ଗତି ମାଧ୍ୟମରେ ପ୍ରତିପକ୍ଷ ଡିଫେନ୍ସକୁ ଭେଦିବାରେ ସକ୍ଷମ ହେବେ ବୋଲି ସ୍କୋପମାନ୍ ଆଶା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking