ମୁମ୍ବାଇ: ଆସନ୍ତା ଜୁନ୍ ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡର ଦି ଓଭାଲ୍ଠାରେ ଖେଳାଯିବାକୁ ଥିବା ଦ୍ୱିତୀୟ ୱାର୍ଲ୍ଡ ଟେଷ୍ଟ୍ ଚାମ୍ପିଅନ୍ଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ୍ ସକାଶେ ବିସିସିଆଇ ପକ୍ଷରୁ ମଙ୍ଗଳବାର ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ଦଳକୁ ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ଆଜିଙ୍କ୍ୟ ରାହାଣେ ପ୍ରତ୍ୟାବର୍ତ୍ତନ କରିଛନ୍ତି । କିନ୍ତୁ ଗତ ବର୍ଡର୍-ଗାଭାସ୍କର ଟ୍ରଫିରେ ସାମିଲ୍ ସତ୍ତ୍ୱେ କୌଣସି ମ୍ୟାଚ୍ ଖେଳିବାର ସୁଯୋଗ ପାଇ ନ ଥିବା ୱିକେଟ୍କିପର୍-ବ୍ୟାଟ୍ସମ୍ୟାନ୍ ଈଶାନ୍ କିଶନ୍ ଏବଂ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବଙ୍କୁ ବାଦ୍ ଦିଆଯାଇଛି । ଅନ୍ୟପକ୍ଷରେ ଉକ୍ତ ସିରିଜ୍ରେ ଦୁର୍ବଳ ପ୍ରଦର୍ଶନ ସତ୍ତ୍ୱେ ଅନ୍ୟତମ ୱିକେଟ୍କିପର୍-ବ୍ୟାଟ୍ସମ୍ୟାନ୍ ଶ୍ରୀକର ଭରତ ତାଙ୍କ ସ୍ଥାନ ବଜାୟ ରଖିଛନ୍ତି । ସେହିପରି ଘୋଷିତ ୧୫ ଜଣିଆ ଦଳରେ ବାମହାତୀ ପେସର୍ ଜୟଦେବ ଉନାଦକତ୍ ଦଳରେ ସ୍ଥାନ ବଜାୟ ରଖିଛନ୍ତି । ମହମ୍ମଦ ଶମି, ମହମ୍ମଦ ସିରାଜ୍, ଉମେଶ ଯାଦବ ଓ ଅଲ୍ରାଉଣ୍ଡର୍ ଶାର୍ଦ୍ଦୁଲ୍ ଠାକୁର ଦଳରେ ସ୍ଥାନ ପାଇଛନ୍ତି ।
କିନ୍ତୁ ଚାଇନାମାନ୍ କୁଲଦୀପ ଯାଦବଙ୍କୁ ଦଳରୁ ବାଦ୍ ଦିଆଯାଇଛି । ଘରୋଇ କ୍ରିକେଟ୍ରେ ଉତ୍ତମ ପ୍ରଦର୍ଶନ ପରେ ରାହାଣେ ଚଳିତ ଆଇପିଏଲ୍ରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ଚଳିତ ଆଇପିଏଲ୍ରେ ପ୍ରଥମ ଥର ପାଇଁ ଚେନ୍ନାଇ ସୁପର୍ କିଙ୍ଗ୍ସରେ ସ୍ଥାନ ପାଇଥିବା ରାହାଣେ ବିସ୍ଫୋରକ ବ୍ୟାଟିଂ କରୁଥିବାରୁ ତାଙ୍କ ସାମ୍ପ୍ରତିକ ଫର୍ମକୁ ଦୃଷ୍ଟିରେ ରଖି ବିସିସିଆଇ ତାଙ୍କୁ ଦଳକୁ ପ୍ରତ୍ୟାବର୍ତ୍ତନ ସୁଯୋଗ ଦେଇଛି । ରାହାଣେ ଗତ ବର୍ଷ ଜାନୁଆରୀରେ ସାଉଥ୍ ଆଫ୍ରିକା ବିପକ୍ଷରେ କେପ୍ଟାଉନ୍ଠାରେ ଖେଳାଯାଇଥିବା ଟେଷ୍ଟ୍ରେ ଅନ୍ତିମ ଥର ପାଇଁ ଖେଳିଥିଲେ । ଗତ ୨୦୨୨-୨୩ ରଣ୍ଜୀ ଟ୍ରଫିରେ ରାହାଣେ ୭ଟି ମ୍ୟାଚ୍ ଖେଳି ୨ଟି ଶତକ ସହ ୬୩୪ ରନ୍ କରିଥିଲେ, ଯେଉଁଥିରେ ଗୋଟିଏ ଦ୍ୱିଶତକ ମଧ୍ୟ ସାମିଲ୍ ଥିଲା । ସେହିପରି ୮୨ଟି ଟେଷ୍ଟ୍ ଖେଳିସାରିଥିବା ରାହାଣେ ଚଳିତ ଆଇପିଏଲ୍ରେ ଅଦ୍ୟାବଧି ୭ଟି ମ୍ୟାଚ୍ ଖେଳି ପାଖାପାଖି ୨୦୦ ଷ୍ଟ୍ରାଇକ୍ ରେଟ୍ରେ ରନ୍ ସଂଗ୍ରହ କରିଛନ୍ତି ।
ଶ୍ରେୟସ୍ ଆୟର୍ ଓ ଋଷଭ ପନ୍ତ୍ ଆହତ ଥିବାରୁ ରାହାଣେ ଦଳର ମଧ୍ୟକ୍ରମ ବ୍ୟାଟିଂକୁ ସୁଦୃଢ଼ କରିପାରିବେ ବୋଲି ଆଶା କରି ବିସିସିଆଇ ୧୫ ମାସ ପରେ ତାଙ୍କୁ ଦଳକୁ ଫେରାଇ ଆଣିଛି । ଦଳରେ ଲୋକେଶ ରାହୁଲ୍ଙ୍କୁ ସ୍ଥାନ ମିଳିଥିଲେ ମଧ୍ୟ ଅଧିନାୟକ ରୋହିତ ଶର୍ମାଙ୍କ ସହ ଯୁବ ବ୍ୟାଟ୍ସମ୍ୟାନ୍ ଶୁବମାନ ଗିଲ୍ ଇନିଂସ ଆରମ୍ଭ୍ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ବିସିସିଆଇର ୫ଜଣିଆ ଚୟନ କମିଟି ସଦସ୍ୟ, ସଚିବ ଜୟ ଶାହ ଏବଂ ଅଧିନାୟକ ରୋହିତ ଶର୍ମା ଓ ରାହୁଲ୍ ଦ୍ରାବିଡ୍ ଟିମ୍ ଚୟନ ପାଇଁ ସୋମବାର ସନ୍ଧ୍ୟାରେ ଏକାଠି ହୋଇଥିଲେ । ଉପଅଧିନାୟକଙ୍କ ନାମ ଘୋଷଣା କରାଯାଇ ନ ଥିବା ବେଳେ ଗତ ବର୍ଡର୍-ଗାଭାସ୍କର ଟ୍ରଫିର ଅନ୍ତିମ ଦୁଇଟି ଟେଷ୍ଟ୍ ପରି ଚେତେଶ୍ୱର ପୂଜାରାଙ୍କୁ ପୁଣିଥରେ ଏହି ଦାୟିତ୍ୱ ମିଳିପାରେ ।
ଘୋଷିତ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମାନ ଗିଲ୍, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, ଲୋକେଶ ରାହୁଲ୍, ଶ୍ରୀକର ଭରତ (ୱିକେଟ୍କିପର୍), ରବିଚନ୍ଦ୍ରନ୍ ଅଶ୍ୱିନ୍, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ୍, ଶାର୍ଦ୍ଦୁଲ୍ ଠାକୁର, ମହମ୍ମଦ ଶମି, ମହମ୍ମଦ ସିରାଜ୍, ଉମେଶ ଯାଦବ ଓ ଜୟଦେବ ଉନାଦକତ୍ ।