ନୂଆଦିଲ୍ଲୀ : ଭାରତୀୟ ରେଳବାଇ ତାହାର ସମୁଦାୟ ବ୍ରଡ ଗଜ୍ ନେଟୱର୍କର ବିଦ୍ୟୁତୀକରଣ କରିବାକୁ ଏକ ଆକାଂକ୍ଷୀ ଯୋଜନା ପ୍ରସ୍ତୁତ କରୁଛି। ଇତିମଧ୍ୟରେ ଭାରତୀୟ ରେଳବାଇ ତାହାର ବିଦ୍ୟୁତିକରଣ ହୋଇସାରିଥିବା ନେଟୱର୍କ ୮୩ ପ୍ରତିଶତକୁ ବୃଦ୍ଧି କରିସାରିଛି। ୨୦୧୪ରୁ ୨୦୨୨ ମଧ୍ୟରେ ଆଠବର୍ଷରେ ୩୨ହଜାର ରୁଟ୍ କିଲୋମିଟର ରେଳପଥର ବିଦ୍ୟୁତୀକରଣ ଶେଷ ହୋଇଛି। ଏହା ୨୦୩୦ ସୁଦ୍ଧା ବିଶ୍ୱର ସର୍ବବୃହତ ସବୁଜ ରେଳବାଇ ହେବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି, ଯେଉଁ ସମୟରେ ରେଳବାଇ ଶୂନ୍ୟ ଅଙ୍ଗାରକ ନିର୍ଗମନକାରୀ ପାଲଟିବ। ୨୦୨୧-୨୨ ଆର୍ଥିକ ବର୍ଷରେ ରେଳବାଇର ୬୩୬୬ ରୁଟ୍ କିଲୋମିଟର ବିଦ୍ୟୁତୀକରଣ କରାଯାଇଥିବାବେଳେ ୨୦୨୦-୨୧ରେ ୬୦୧୫ କିଲୋମିଟର ବିଦ୍ୟୁତୀକରଣ ହୋଇଥିଲା। ସେହିଭଳି ୨୦୨୨-୨୩ ବର୍ଷରେ ମୋଟ ୧୯୭୩ ରୁଟ୍ କିଲୋମିଟର ବିଦ୍ୟୁତୀକରଣ କରାଯାଇଛି। ପୂର୍ବତଟ ରେଳପଥ, ଦକ୍ଷିଣ ପୂର୍ବ ରେଳପଥ, ପଶ୍ଚିମ ରେଳପଥ, ପୂର୍ବ ରେଳପଥ, ଉତ୍ତର କେନ୍ଦ୍ରୀୟ ରେଳପଥକୁ ସମ୍ପୂର୍ଣ୍ଣ ଭାବରେ ବିଦ୍ୟୁତୀକରଣ କରାଯାଇସାରିଛି।