ଲଦାଖ: ୨୦୨୦ ଜୁନ୍ରେ ଲଦାଖସ୍ଥିତ ଗଲୱାନ୍ ଉପତ୍ୟକା ଗଣମାଧ୍ୟମର ଶିରୋମାନା ପାଲଟିଥିଲା । ବାସ୍ତବ ନିୟନ୍ତ୍ରଣ ରେଖାକୁ କେନ୍ଦ୍ରକରି ୨୦୨୦ ଜୁନ୍ ୧୫ରେ ଏଠାରେ ଭାରତ ଓ ଚୀନ୍ ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷର ସୂତ୍ରପାତ ହୋଇଥିଲା । ଏଥିରେ ୨୦ ଭାରତୀୟ ଯବାନ ସହିଦ ହୋଇଥିବାବେଳେ ଚୀନ୍ ୪୫ ଜଣ ସୈନ୍ୟଙ୍କୁ ହରାଇଥିଲା । ତେବେ ସେହି ଗଲୱାନ ଉପତ୍ୟକା ଆଜି ପୁଣି ଚର୍ଚ୍ଚାକୁ ଆସିଛି । ସମୁଦ୍ର ପତନଠାରୁ ପ୍ରାୟ ୧୬ ହଜାର ଫୁଟ ଉଚ୍ଚତାରେ ଅବସ୍ଥିତ ଏହି ଦୁର୍ଗମ ସ୍ଥାନରେ ମୁତୟନ ହୋଇଥିବା ଭାରତୀୟ ଯବାନ ମନୋରଞ୍ଜନ ପାଇଁ କ୍ରିକେଟ ଖେଳୁଥିବା ପରିଲକ୍ଷିତ ହୋଇଛି ।
ଏଏନ୍ଆଇ ଟ୍ୱିଟରରେ ଅପ୍ଲୋଡ ହୋଇଥିବା ଏକ ଭିଡିଓରେ ବରଫାବୃତ ପର୍ବତଘେର ମଧ୍ୟରେ ଅସ୍ଥାୟୀ କ୍ରିକେଟ ପିଚ୍ ପ୍ରସ୍ତୁତ କରି ଯବାନମାନେ ଏହି ମ୍ୟାଚର ମଜା ଉଠାଉଛନ୍ତି । ତାପମାତ୍ରା ବିଯୁକ୍ତ ହୋଇଥିବା ସତ୍ତ୍ୱେ ଯବାନମାନେ ଶୀତ ପୋଷାକ ପରିଧାନ କରି ମ୍ୟାଚ ଖେଳୁଥିବା ଲକ୍ଷ୍ୟ କରାଯାଇଛି । ପଟିଆଲା ବ୍ରିଗେଡ୍ର ତ୍ରିଶୂଳ ଡିଭିଜନ ଦ୍ୱାରା ଆୟୋଜିତ ଏହି ମ୍ୟାଚ୍ରେ ଯବାନମାନେ ବେଶ ଉତ୍ସାହିତ ଜଣାପଡୁଛନ୍ତି ।