ଲଣ୍ଡନ: ଭାରତୀୟ ସେନା ବିଶ୍ୱରେ ଚତୁର୍ଥ ଶକ୍ତିଶଳୀ ସେନାର ମାନ୍ୟତାଲାଭ କରିଛନ୍ତି । ଗ୍ଲୋବାଲ ଫାୟାର ପାୱାର (ଜିଏଫ୍ପି) ସଂଗଠନ ପକ୍ଷରୁ ୬୦ଠଟି ପ୍ରସଙ୍ଗ ଅନୁଧ୍ୟାନ କରାଯାଇ ‘୨୦୨୩ ମିଲିଟାରୀ ଷ୍ଟ୍ରେନ୍ଥ ର୍ୟାଙ୍କିଙ୍ଗ୍’ ରିପୋର୍ଟ ପ୍ରସ୍ତୁତ କରାଯାଇଛି । ରିପୋର୍ଟ ମୁତାବକ ଆମେରିକା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସେନା ବିବେଚିତ ହୋଇଥିବାବେଳେ ଏହାପଛକୁ ରୁଷ୍ ଓ ଚୀନ୍ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ଭାରତ ପଛକୁ ଶକ୍ତିଶାଳୀ ସେନା ତାଲିକାରେ ବ୍ରିଟେନ, ଦକ୍ଷିଣ କୋରିଆ, ପାକିସ୍ତାନ, ଜାପାନ, ଫ୍ରାନ୍ସ ଓ ଇଟାଲୀ ଯଥାକ୍ରମେ ୫ମରୁ ୧୦ମ ସ୍ଥାନ ଅଧିକାର କରିଛନ୍ତି । ଅପରପକ୍ଷରେ ଭୁଟାନ ବିଶ୍ୱର ସବୁଠାରୁ ଦୁର୍ବଳ ସେନାଭାବେ କୁଖ୍ୟାତିଲାଭ କରିଛି । ଏହି ତାଲିକାରେ ଭୁଟାନ ପଛକୁ ବେନିନ୍, ମୋଲଡୋଭା, ସୋମାଲିଆ, ଲାଇବେରିଆ, ସୁରନାମ ବେଲିଜ୍, ସେଣ୍ଟ୍ରାଲ ଆଫ୍ରିକାନ ରିପବ୍ଲିକ୍, ଆଇସଲାଣ୍ଡ ଓ ସିଏରା ଲିଓନ ଯଥାକ୍ରମେ ୨ୟରୁ ୧୦ମ ସ୍ଥାନରେ ରହିଛନ୍ତି ।
୨୦୨୨ ରିପୋର୍ଟ ତୁଳନାରେ ଆମେରିକା, ରୁଷ୍, ଚୀନ୍ ଓ ଭାରତ ସେମାଙ୍କ୍ର ପୂର୍ବ ମାନ୍ୟତା ବଜାୟ ରଖିଥିବାବେଳେ ବ୍ରିଟେନ ଏଥର ୮ମରୁ ୫ମକୁ ଉନ୍ନୀତ ହୋଇଛି । ଦକ୍ଷିଣ କୋରିଆ ୬ଷ୍ଠ ମାନ୍ୟତା ବଜାୟ ରଖିଥିବାବେଳେ ଗତବର୍ଷ ୫ମ ଓ ୭ମ ସ୍ଥାନରେ ଥିବା ଜାପାନ ଓ ଫ୍ରାନ୍ସ ଏଥର ୮ମ ଓ ୯ମ ସ୍ଥାନକୁ ଖସିଥିବା ଜଣାପଡିଛି । ଅପରପକ୍ଷରେ ୟୁକ୍ରେନ ଭଳି ଅପେକ୍ଷାକୃତ ଦୁର୍ବଳ ରାଷ୍ଟ୍ର ବିରୋଧରେ ଯୁଦ୍ଧ ଜିତିପାରୁନଥିବା କାରଣରୁ ରୁଷ୍କୁ ଦ୍ୱିତୀୟ ଶକ୍ତିଶାଳୀ ସେନାର ମାନ୍ୟତା ମିଳିବା ନେଇ ପ୍ରଶ୍ନ ଉତ୍ଥାପନ କରାଯାଇଛି । ଟ୍ୱିଟର ଉପଭୋକ୍ତାମାନେ ରୁଷର ସାମରିକ ଦକ୍ଷତା ନେଇ ପ୍ରତିକୂଳ ମନ୍ତବ୍ୟ ଦେଉଥିବା ଲକ୍ଷ୍ୟ କରାଯାଇଛି । ସୂଚନାଯୋଗ୍ୟ ଏହି ସର୍ଭେରେ ୧୪୫ ରାଷ୍ଟ୍ରକୁ ସାମିଲ କରାଯାଇଛି । ପ୍ରତ୍ୟେକ ରାଷ୍ଟ୍ରର ସେନା ସଂଖ୍ୟା, ଯୁଦ୍ଧାସ୍ତ୍ର ମାନ ଓ ପରିମାଣ, ଲିଜିଷ୍ଟିକ୍ ଦକ୍ଷତା ଇତ୍ୟାଦି ପ୍ରସଙ୍ଗକୁ ଅନୁଧ୍ୟାନ କରାଯାଇଛି । ତେବେ ଭୌଗଳିକ ଦୃଷ୍ଟିକୋଣରୁ କ୍ଷୁଦ୍ର ରାଷ୍ଟ୍ରଭାବେ ବିବେଚନା କରାଯାଉଥିଲେ ସୁଦ୍ଧା କେତେକ ରାଷ୍ଟ୍ରର ଉନ୍ନତ ପ୍ରତିରକ୍ଷା ସାମଗ୍ରୀ ଓ ଟେକ୍ନୋଲୋଜି ଯୋଗୁଁ ସେହି ରାଷ୍ଟ୍ର ଶକ୍ତିଶାଳୀ ସେନା ତାଲିକାଭୁକ୍ତ ହୋଇପାରିଥିବା କୁହାଯାଇଛି ।