25.1 C
Bhubaneswar
Friday, November 1, 2024
Homeଦେଶ ବିଦେଶଭାରତ-ଇରାନ୍ ଚବାହାର ପୋର୍ଟ ଚୁକ୍ତି ପ୍ରସଙ୍ଗରେ ଆମେରିକାକୁ ଭାରତ କଡା ଜବାବ

ଭାରତ-ଇରାନ୍ ଚବାହାର ପୋର୍ଟ ଚୁକ୍ତି ପ୍ରସଙ୍ଗରେ ଆମେରିକାକୁ ଭାରତ କଡା ଜବାବ

ନୂଆଦିଲ୍ଲୀ: ଭାରତ-ଇରାନ୍ ମଧ୍ୟରେ ଚାବାହର ପୋର୍ଟ ସମ୍ପର୍କୀତ ଏକ ଚୁକ୍ତି ସ୍ୱାକ୍ଷରିତ ହେବା ପରେ ଆମେରିକା ପକ୍ଷରୁ ଦିଆଯାଇଥିବା ପ୍ରତିକ୍ରିୟା ଉପରେ ଭାରତ ପକ୍ଷରୁ କଡା ଜବାବ ଦିଆଯାଇଛି । କେନ୍ଦ୍ର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି, ଏହା ଆମେରିକାର ସଂକୀର୍ଣ୍ଣ ମାନସିକତା ଛଡ଼ା ଅନ୍ୟ କିଛି ନୁହେଁ । ତେବେ ଭାରତ ଏପ୍ରକାର ଧମକ କିମ୍ବା ଚେତାବନୀକୁ ନେଇ ଆଦୌ ସଂଶୟ କିମ୍ବା ଭୟଭୀତ ନୁହେଁ । ଭାରତର ନିଜସ୍ୱ କୂଟନୀତି ରହିଛି ଏବଂ ଏହି କୂଟନୀତି ଅନ୍ତର୍ଗତ ଭାରତ ନିଜ ହିସାବରେ କାର୍ଯ୍ୟକ୍ରମ ଜାରି ରଖିବ । ଭାରତ-ଇରାନ୍ ଚୁକ୍ତି ପ୍ରସଙ୍ଗରେ ଅନ୍ୟ ରାଷ୍ଟ୍ରଙ୍କ କୌଣସି କ୍ଷତି ସାଧନ ହେଉନଥିବା ବେଳେ ଏହାକୁ ନେଇ ଆମେରିକା ପ୍ରତିକ୍ରିୟାଶୀଳ ହେବାର କୌଣସି ଆବଶ୍ୟକତା ନାହିଁ ।
ବୁଧବାର ‘ହ୍ୱାଏ ଭାରତ ମ୍ୟାଟର୍ସ’ ନାମକ ପୁସ୍ତକ ଉନ୍ମୋଚନ ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା ବେଳେ ଜୟଶଙ୍କର କହିଛନ୍ତି, ଏହି ଚୁକ୍ତିକୁ ଲୋକମାନେ ସଙ୍କୀର୍ଣ୍ଣ ଦୃଷ୍ଟିରେ ଦେଖିବା ଅନୁଚିତ୍ । ଏହି ପ୍ରକଳ୍ପ ଦ୍ୱାରା ସମଗ୍ର ଅଞ୍ଚଳ ଲାଭବାନ୍ ହେବେ । ଆମେରିକା ପୂର୍ବରୁ ଚାବାହର ବନ୍ଦରର ଗୁରୁତ୍ୱକୁ ବେଶ୍ ପ୍ରଶଂସା କରିଥିଲା । ଏବେ ଇରାନ୍ ସହ ଆମେରିକାର ଶତ୍ରୁତା ବଢ଼ିଥିବା ବେଳେ ଆମେରିକା, ଏପ୍ରକାର ବୟାନ୍‌ବାଜି କରିଛି । ସୁତରାଂ ଏହାକୁ ଗୁରୁତ୍ୱ ଦେବାର ଆବଶ୍ୟକତା ନାହିଁ । ଓଲଟା ଇରାନ୍ ସହ ଏହି ଡିଲ୍ ଆଧାରରେ ପ୍ରଥମ ଥର ପାଇଁ ଭାରତ ଏକ ବିଦେଶୀ ବନ୍ଦରର ପରିଚାଳନା ଦାୟିତ୍ୱ ଗ୍ରହଣ କରିବ । ଏହା ସହିତ ଭାରତ, ଆଫଗାନିସ୍ତାନ, ମଧ୍ୟ ଏସିଆ ଏବଂ ୟୁରୋପ ସହ ସଂଯୋଗ କରିବାକୁ ସକ୍ଷମ ହେବ ।
ପ୍ରକାଶ, ସୋମବାର ଦିନ ଇରାନ୍‌ର ଚାବାହାର ବନ୍ଦରରେ କାର୍ଯ୍ୟ କରିବାକୁ ଭାରତ ଏବଂ ଇରାନ ମଧ୍ୟରେ ୧୦ ବର୍ଷୀୟ ଚୁକ୍ତି ହେବା ପରେ ଆମେରିକାକୁ ଜୋରଦାର ଝଟ୍‌କା ଲାଗିଛି । ଏହି ପରିପ୍ରେକ୍ଷୀରେ ଆମେରିକା ଭାରତକୁ ଧମକ ଦେବା ମଧ୍ୟ ଆରମ୍ଭ କରିଦେଇଛି । ଆମେରିକା ପ୍ରତିକ୍ରିୟାଶୀଳ ହୋଇ ଭାରତକୁ ସିଧାସଳଖ କିଛି କହିନଥିଲେ ମଧ୍ୟ ଇରାନ୍ ସହ ଚୁକ୍ତି ସ୍ୱାକ୍ଷର କରୁଥିବା ଦେଶ ଉପରେ ବ୍ୟାନ୍ ଲାଗିପାରେ ବୋଲି ଚେତାବନୀ ଦେଇଛି । ଆମେରିକାର ବୈଦେଶିକ ବିଭାଗର ପ୍ରଧାନ ଉପମୁଖପାତ୍ର ବେଦାନ୍ତ ପଟେଲ କହିଛନ୍ତି ଯେ, ଇରାନ ଉପରେ ଆମେରିକାର ପ୍ରତିବନ୍ଧକ ରହିଛି ଓ ଆଗକୁ ମଧ୍ୟ ଏହା ଜାରି ରହିବ । ଯଦି ଇରାନ୍ ସହ କେହି ବ୍ୟବସାୟ କରିବାକୁ ଚିନ୍ତା କରୁଛନ୍ତି, ତେବେ ସେମାନେ ଜାଣିବା ଉଚିତ୍ ଯେ ସେମାନେ ମଧ୍ୟ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି । ଉକ୍ତ ଦେଶ ଉପରେ ବ୍ୟାନ୍ ମଧ୍ୟ ଲାଗିପାରେ ବୋଲି ସେ କହିଛନ୍ତି । ତେବେ ଆମେରିକା ପକ୍ଷରୁ ଏପ୍ରକାର ଧମକପୂର୍ଣ୍ଣ ଚେତାବନୀ ଆସିବା ପରେ ଉପରୋକ୍ତ ବିବୃତ୍ତି ମାଧ୍ୟମରେ କଡ଼ା ଜବାବ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking