ପୋର୍ଟ ଅଫ୍ ସ୍ପେନ୍: ଆଜି ଦିନିକିଆ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ରେ ଭାରତ ପୋର୍ଟ ଅଫ୍ ସ୍ପେନ୍ର କ୍ୱିନ୍ସ ପାର୍କ ଓଭାଲ୍ରେ ୱେଷ୍ଟଇଣ୍ଡିଜ୍କୁ ଭେଟିବ । ସିରିଜ୍ରେ ୨-୦ର ଅଜେୟ ଅଗ୍ରଣୀ ଲାଭ କରିଥିବା ୟ ଟିମ୍ ଇଣ୍ଡିଆ ଏହି ମ୍ୟାଚ୍କୁ ମଧ୍ୟ ଜିତି କ୍ୟାରିବିୟାନ୍ ଟିମ୍ର କ୍ଲିନ୍ସ୍ୱିପ୍ ଲକ୍ଷ୍ୟରେ ରହିବ । ସିରିଜ୍ର ପ୍ରଥମ ଦୁଇଟି ମ୍ୟାଚ୍ରେ ଟିମ୍ ଇଣ୍ଡିଆ ସମସ୍ତ ବିଭାଗରେ ଆକର୍ଷଣୀୟ ପ୍ରଦର୍ଶନ କରି ରୋମାଞ୍ଚକ ମ୍ୟାଚ୍ରେ ଇଣ୍ଡିଜ୍କୁ ମାତ୍ ଦେଇଥିଲା ।
କ୍ୟାପ୍ଟେନ୍ ଶିଖର ଧୱନ୍ ଓ ଶୁବମନ୍ ଗିଲ୍ଙ୍କ ଓପ୍ନିଂ ଯୋଡ଼ି ମଧ୍ୟରେ ଗତ ମ୍ୟାଚ୍ରେ ବଡ଼ ପାର୍ଟନର୍ଶିପ୍ ହୋଇପାରି ନଥିଲେ ମଧ୍ୟ ପ୍ରଥମ ମ୍ୟାଚ୍ରେ ଦୁହିଁଙ୍କ ମଧ୍ୟରେ ୧୧୯ ରନ୍ର ଜବରଦସ୍ତ ପାର୍ଟନର୍ଶିପ୍ ହୋଇଥିଲା । ଦ୍ୱିତୀୟ ମ୍ୟାଚ୍ରେ ମାତ୍ର ୧୩ ରନ୍ କରିଥିବା ଧୱନ୍ ପ୍ରଥମ ମ୍ୟାଚ୍ରେ ୯୭ ରନ୍ର ଇନିଂସ୍ ଖେଳିଥିଲେ । ଅନ୍ୟପକ୍ଷରେ ଗିଲ୍ ପ୍ରଥମ ମ୍ୟାଚ୍ରେ ଧୂଆଁଧାର ୬୪ ରନ୍ର ଇନିଂସ୍ ଖେଳିଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ୪୩ ରନ୍ କରିଥିଲେ । ସେହିପରି ତୃତୀୟ ନମ୍ବରରେ ଲଗାତାର ଦୁଇଟି ଇନିଂସ୍ରେ ଅର୍ଦ୍ଧଶତକ କରି ଶ୍ରେୟସ୍ ଆୟର୍ ଟିମ୍ର ଶକ୍ତିଶାଳୀ ସ୍ତମ୍ଭ ସାବ୍ୟସ୍ତ ହୋଇଛନ୍ତି । ତେବେ ଇଂଲଣ୍ଡ ଗସ୍ତରେ ଜବରଦସ୍ତ ଫର୍ମରେ ଥିବା ସୂର୍ଯ୍ୟକୁମାର ଯାଦବ ଗତ ଦୁଇଟି ମ୍ୟାଚ୍ରେ ଯଥାକ୍ରମେ ୧୩ ଓ ୯ ରନ୍ କରିଛନ୍ତି । ଏପରି ସ୍ଥିତିରେ ତାଙ୍କ ସ୍ଥାନରେ ଈଶାନ୍ କିଶନ୍ଙ୍କୁ ସୁଯୋଗ ମିଳିପାରେ । ଦ୍ୱିତୀୟ ମ୍ୟାଚ୍ରେ ଟିମ୍ ଇଣ୍ଡିଆର ମିଡିଲ୍ ଅର୍ଡର ଉନ୍ନତ ପ୍ରଦର୍ଶନ କରିଥିଲା । ପାଞ୍ଚ ନମ୍ବରରେ ବ୍ୟାଟିଂ କରିଥିବା ସଞ୍ଜୁ ସାମ୍ସନ୍ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଷଷ୍ଠ ସ୍ଥାନରେ ଦୀପକ ହୁଡ୍ଡା ୩୩ ରନ୍ କରିଥିଲେ । ଦ୍ୱିତୀୟ ମ୍ୟାଚ୍ର ହିରୋ ଅକ୍ଷର ପଟେଲ୍ ସପ୍ତମ ସ୍ଥାନରେ ବ୍ୟାଟିଂ କରିବାକୁ ଆସି ମାତ୍ର ୩୫ ବଲ୍ରେ ୬୪ ରନ୍ କରି ଭାରତକୁ ୨-୦ର ଅଜେୟ ଅଗ୍ରଣୀ ଅଗ୍ରଣୀ ପ୍ରଦାନ କରିଥିଲେ । ଫଳରେ ଆସନ୍ତାକାଲିର ମ୍ୟାଚ୍ ପାଇଁ ଟିମ୍ର ମିଡିଲ୍ ଅର୍ଡର୍ରେ କୌଣସି ପରିବର୍ତ୍ତନ ଆବଶ୍ୟକ ନାହିଁ ।
ତୃତୀୟ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆର ବୋଲିଂ ଆଟାକ୍ରେ ଦୁଇଟି ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଦ୍ୱିତୀୟ ମ୍ୟାଚ୍ରେ ପ୍ରସିଦ୍ଧ କ୍ରିଷ୍ଣାଙ୍କ ସ୍ଥାନରେ ଡେବ୍ୟୁ କରିଥିବା ଆଭେସ୍ ଖାନ୍ ୬ ଓଭର୍ରେ ୫୪ ରନ୍ ବ୍ୟୟ କରିଥିଲେ ମଧ୍ୟ ଗୋଟିଏ ୱିକେଟ୍ ପାଇନଥିଲେ । ତୃତୀୟ ମ୍ୟାଚ୍ରେ ତାଙ୍କ ସ୍ଥାନରେ ଅର୍ଶଦୀପଙ୍କୁ ସୁଯୋଗ ମିଳିପାରେ । ଆଭେସ୍ଙ୍କ ବ୍ୟତୀତ ଅନ୍ୟ ବୋଲର୍ମାନେ ଭଲ ପ୍ରଦର୍ଶନ କରିଥିଲେ । ଯଦିଓ ମହମ୍ମଦ ସିରାଜ୍ଙ୍କୁ କୌଣସି ୱିକେଟ୍ ମିଳିନଥିଲା, ତେବେ ୧୦ ଓଭର୍ରେ ମାତ୍ର ୪୬ ରନ୍ ବ୍ୟୟ କରିଥିଲେ । ପ୍ରଥମ ମ୍ୟାଚ୍ରେ ଦୁଇଟି ଏବଂ ଦ୍ୱିତୀୟ ମ୍ୟାଚ୍ରେ ତିନିଟି ୱିକେଟ୍ ନେଇଥିବା ଶାର୍ଦ୍ଦୁଲ୍ ଠାକୁରଙ୍କ ଖେଳିବା ନିଶ୍ଚିତ । ସେହିପରି ସିରିଜ୍ରେ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ଆଇପିଏଲ୍ ପରେ ଲଗାତାର ମ୍ୟାଚ୍ ଖେଳୁଥିବାରୁ ଲେଗ୍ ସ୍ପିନର୍ ୟୁଜବେନ୍ଦ୍ର ଚହଲଙ୍କୁ ବିଶ୍ରାମ ଦିଆଯାଇ ରବି ବିଷ୍ନୋଇଙ୍କୁ ସୁଯୋଗ ମିଳିପାରେ ।
ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ ପ୍ରଦର୍ଶନ ବିଚାରକୁ ନେଲେ ଟିମ୍ ନିକଟରେ ଉନ୍ନତ ଖେଳାଳି ଥିଲେ ମଧ୍ୟ ୟୁନିଟ୍ ଭାବେ ଚମକ ଦେଖାଇବାରେ ବିଫଳ ହୋଇଛନ୍ତି । ସେମାନେ କେବଳ ଶାଇ ହୋପ୍, ନିକୋଲାସ୍ ପୂରନ୍, ରୋଭ୍ମାନ୍ ପାୱେଲ୍ ଏବଂ ରୋମାରିଓ ଶେଫର୍ଡଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ଉପରେ ବିଶେଷ ଭାବେ ନିର୍ଭରଶୀଳ ହୋଇପଡ଼ିଛନ୍ତି । ବିଶେଷ ଭାବେ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ଯାହା ମ୍ୟାଚ୍ର ଫଳାଫଳ ଉପରେ ପ୍ରଭାବ ପକାଇ ପାରିଥାନ୍ତା ସେ ସମୟରେ ଟିମ୍ ଉନ୍ନତ ପ୍ରଦର୍ଶନ କରିବାରେ ଟିମ୍ ବିଫଳ ହୋଇଛି । ଜେସନ୍ ହୋଲ୍ଡରଙ୍କ ଅଭିଜ୍ଞତାକୁ ଉପଯୋଗ କଲେ ତୃତୀୟ ମ୍ୟାଚ୍ ଜିତିବାରେ ଟିମ୍କୁ ସହଜ ହୋଇପାରିବ । ଏହି ମ୍ୟାଚ୍ ଜିତି ୱେଷ୍ଟଇଣ୍ଡିଜ୍ ନିଜର କ୍ରମାଗତ ଆଠଟି ଦିନିକିଆ ମ୍ୟାଚ୍ ପରାଜୟ ଧାରାରେ ବ୍ରେକ୍ ଲଗାଇବାକୁ ଚାହିଁବ । ଗତ ସିରିଜ୍ରେ ଟିମ୍ ବାଂଲାଦେଶଠାରୁ ୦-୩ରେ ପରାଜିତ ହୋଇଥିଲା ।
ସମ୍ଭାବ୍ୟ ଭାରତୀୟ ଏକାଦଶ: ଶିଖର ଧୱନ୍ (କ୍ୟାପ୍ଟେନ୍), ଶୁବମନ୍ ଗିଲ୍, ଶ୍ରେୟସ୍ ଆୟର, ସୂର୍ଯ୍ୟକୁମାର ଯାଦବ/ଈଶାନ କିଶନ୍, ସଞ୍ଜୁ ସାମ୍ସନ୍ (ୱିକେଟ୍କିପର୍), ଦୀପକ ହୁଡ୍ଡା, ଅକ୍ଷର ପଟେଲ୍, ଶାର୍ଦ୍ଦୁଲ୍ ଠାକୁର, ମହମ୍ମଦ ସିରାଜ୍, ରବି ବିଷ୍ନୋଇ, ଅର୍ଶଦୀପ ସିଂହ ।
ସମ୍ଭାବ୍ୟ ଇଣ୍ଡିଜ୍ ଏକାଦଶ: ନିକୋଲାସ୍ ପୂରନ୍ (କ୍ୟାପ୍ଟେନ୍), ଶାଇ ହୋପ୍, ଶାମରାହ ବ୍ରୁକ୍ସ, କାଇଲ ମେୟର୍ସ, ବ୍ରାଣ୍ଡନ୍ କିଙ୍ଗ୍, ରୋଭ୍ମାନ୍ ପାୱେଲ୍, ରୋମାରିଓ ଶେଫାର୍ଡ, ଜେ ସିଲ୍ସ, ଅକିଲ୍ ହୋସେନ୍, ଜେସନ୍ ହୋଲ୍ଡର, ଆଲ୍ଜାରି ଯୋସେଫ୍ ।