ନୂଆଦିଲ୍ଲୀ: ଭାରତ ଓ ଆମେରିକା ପ୍ରତିରକ୍ଷା ଉତ୍ପାଦନ, ମହତ୍ତ୍ୱପୂର୍ଣ୍ଣ ଖଣିଜ ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ସହଯୋଗ ବୃଦ୍ଧିକରି ନିଜର ରଣନୈତିକ ଭାଗୀଦାରୀର ସମ୍ପ୍ରସାରଣ କରିବା ନିମନ୍ତେ ଶୁକ୍ରବାର ୨+୨ ମନ୍ତ୍ରୀସ୍ତରୀୟ ଆଲୋଚନା କରିଛନ୍ତି । ଏହି ଆଲୋଚନା ବେଳେ ଇସ୍ରାଏଲ୍-ହମାସ୍ ସଂଘରୁ ଉତ୍ପନ୍ନ ସ୍ଥିତି ଏବଂ ଭାରତ-ପ୍ରଶାନ୍ତ କ୍ଷେତ୍ରରେ ଚୀନ୍ର ସୈନ୍ୟ ଶକ୍ତି ପ୍ରଦର୍ଶନ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଛି ।
ଏହି ମନ୍ତ୍ରୀସ୍ତରୀୟ ଆଲୋଚନାରେ ଭାରତୀୟ ପ୍ରତିନିଧିମଣ୍ଡଳୀର ନେତୃତ୍ୱ ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କରିଥିବା ବେଳେ ଆମେରିକା ପ୍ରତିନିଧିମଣ୍ଡଳୀର ନେତୃତ୍ୱ ସେଠାକାର ବିଦେଶ ମନ୍ତ୍ରୀ ଆଣ୍ଟୋନୀ ବ୍ଲିଙ୍କନ୍ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଲୟଡ୍ ଅଷ୍ଟିନ୍ କରିଛନ୍ତି । ଆଲୋଚନା ପରେ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଏହାକୁ କଂକ୍ରିଟ୍ ଆଲୋଚନା ବୋଲି କହିଛନ୍ତି । ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ ‘ଏକ୍ସ’ରେ ସେ ଲେଖିଛନ୍ତି, ଏଜେଣ୍ଡା ଅନୁସାରେ ଆମ ରଣନୈତିକ ଭାଗୀଦାରୀକୁ ଆଗେଇ ନେବା ପାଇଁ ଆଲୋଚନା ହୋଇଛି । ଏଥିରେ ଆମର ପ୍ରତିରକ୍ଷା ସମ୍ବନ୍ଧକୁ ମଜଭୁତ କରିବା, ଅନ୍ତରୀକ୍ଷ ଓ ଟେକ୍ନୋଲୋଜିରେ ଆଗକୁ ବଢ଼ିବା, ଭବିଷ୍ୟତରେ ଆସେସରିଜ୍ ସମ୍ବନ୍ଧୀୟ ସହଯୋଗ ଏବଂ ଲୋକଙ୍କ ପାରସ୍ପରିକ ସମ୍ବନ୍ଧ ଉପରେ ଆଲୋଚନା କରାଯାଇଛି ।
ଅନ୍ୟପକ୍ଷରେ ଆମେରିକା ବିଦେଶ ମନ୍ତ୍ରୀ ବ୍ଲିଙ୍କନ୍ କହିଛନ୍ତି, ଆମେରିକା ଓ ଭାରତ ମଧ୍ୟରେ ଶକ୍ତିଶାଳୀ ଭାଗୀଦାରୀ ରହିଛି ଏବଂ ଉଭୟ ପକ୍ଷ ଭବିଷ୍ୟତ ଉପରେ ପ୍ରଭାବ ପକାଉଥିବା ମାମଲା ଉପରେ ବିଚାର ବିମର୍ଶ କରିଛନ୍ତି । ସେ କହିଛନ୍ତି, ଆମେ ଅନ୍ତର୍ଜାତୀୟ ଶାନ୍ତି ଏବଂ ସୁରକ୍ଷା କ୍ଷେତ୍ରରେ ଭାଗୀଦାରୀକୁ ଶକ୍ତିଶାଳୀ କରୁଛୁ ଏବଂ ବିଶେଷ ଭାବେ ନିୟମ ଆଧାରିତ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା, ସାର୍ବଭୌମତ୍ୱ, ଆଞ୍ଚଳିକ ଅଖଣ୍ଡତା ଏବଂ ସ୍ୱାଧୀନତାର ସିଦ୍ଧାନ୍ତକୁ ବାଜୟ ରଖିବା ନିମନ୍ତେ କାର୍ଯ୍ୟ କରୁଛୁ । ପ୍ରତିରକ୍ଷା କ୍ଷେତ୍ରରେ ଆମର ସହଯୋଗ ଏହି କାର୍ଯ୍ୟର ମହତ୍ତ୍ୱପୂର୍ଣ୍ଣ ସ୍ତମ୍ଭ ବୋଲି ବ୍ଲିଙ୍କନ୍ କହିଛନ୍ତି ।
ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଅଷ୍ଟିନ୍ କହିଛନ୍ତି, ତତ୍କାଳ ଆହ୍ୱାନକୁ ଦୃଷ୍ଟିରେ ରଖି ବିଶ୍ୱର ଦୁଇ ସର୍ବବୃହତ୍ ଗଣତାନ୍ତ୍ରିକ ଦେଶ ମଧ୍ୟରେ ଏହି ଟୁ ପ୍ଲସ୍ ଟୁ ଆଲୋଚନା ପୂର୍ବାପେକ୍ଷା ଅଧିକ ମହତ୍ତ୍ୱପୂର୍ଣ୍ଣ । ସେ ଆହୁରି କହିଛନ୍ତି, ଗତବର୍ଷ ଆମର ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଭାଗୀଦାରୀର ନିର୍ମାଣରେ ପ୍ରଭାବଶାଳୀ ପ୍ରଗତି କରିଛୁ ଏବଂ ଶାନ୍ତି ଓ ସ୍ଥିରତାରେ ଆହୁରି ଅଧିକ ଯୋଗଦାନ ଦେବାରେ ଏହା ଆମକୁ ସହାୟକ ହେବ ।