ଭୁବନେଶ୍ୱର: ଆଜି ଚନ୍ଦ୍ରକୁ ଯିବ ଚନ୍ଦ୍ରଯାନ-୩ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଆଜି ଅପରାହ୍ନ ୨ଟା ୩୫ରେ ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯିବ ଚନ୍ଦ୍ରଯାନ-୩ । ଏଲଭିଏମ-୩ ରକେଟ୍ ଦ୍ୱାରା ମହାକାଶକୁ ପ୍ରେରଣ କରାଯିବ । କୋଟି କୋଟି ଭାରତୀୟଙ୍କ ନଜର ଏହା ଉପରେ ରହିଛି । ଏହି ସଫଳ ମିଶନ ପାଇଁ ସମସ୍ତ ଆବଶ୍ୟକ ପାରାମିଟର ପୂରଣ ହୋଇଥିବାରୁ ଇସ୍ରୋର ମିଶନ ପ୍ରସ୍ତୁତି ସମୀକ୍ଷା କମିଟି ଉତକ୍ଷେପଣ ପାଇଁ ମଞ୍ଜୁରୀ ଦେଇଛି ।
କମିଟିର ଅନୁମୋଦନ ପରେ ଲଂଚ ପ୍ରାଧିକରଣର ବୋର୍ଡ ମଧ୍ୟ ଚନ୍ଦ୍ରଯାନ-୩ ମିଶନ ଆରମ୍ଭ କରିବାକୁ ଅନୁମତି ଦେଇଛି । ୨୦୧୯ ସେପ୍ଟେ୍ମ୍ବର ମାସରେ ଚନ୍ଦ୍ରଯାନ-୨ ପ୍ରେରଣ କରାଯାଇଥିଲା । ସବୁକିଛି ଠିକ୍ ଚାଲିଥିବା ବେଳେ ଚନ୍ଦ୍ରପୃଷ୍ଠକୁ ଛୁଇଁବାକୁ ମାତ୍ର ୪୦୦ ମିଟର ଥିବା ବେଳେ ଲ୍ୟାଣ୍ଡର ସହ ଇସ୍ରୋର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ବେଗ ନିୟନ୍ତ୍ରଣ ହୋଇ ପାରିନଥିଲା । ଗତିପଥରେ ପରିବର୍ତନ ଓ ଦ୍ରୁତ ଗତି ଯୋଗୁଁ କ୍ରାସ ଲ୍ୟାଣ୍ଡିଂ କରିଥିଲା ଲ୍ୟାଣ୍ଡର । ଏହା ସହ ଭାରତର ଚନ୍ଦ୍ର ବିଜୟ ସ୍ୱପ୍ନ ମଧ୍ୟ ଚୁରମାର ହୋଇ ଯାଇଥିଲା । କିନ୍ତୁ ଭାରତ ପଛକୁ ନହଟି ଆରମ୍ଭ କରିଥିଲା ମିସନ ଚନ୍ଦ୍ରଯାନ-୩ । ଆଉ ଯଦି ଏଥର ଯଦି ଚନ୍ଦ୍ର ଅଭିଯାନ ସଫଳ ହେବ, ତାହେଲେ ଇତିହାସ ରଚିବ ଭାରତ ।
ଏଲଭିଏମ୍-୩ ଉପରେ ଏବେ ରହିଛି ସମସ୍ତଙ୍କ ନଜର । ୪୩ ଦଶମିକ ୫ ମିଟର ଏଲଭିଏମ୍-୩ ଲଂଚ ରକେଟ୍ ଚନ୍ଦ୍ରଯାନକୁ ପ୍ରଥମେ ଏକ ଅର୍ଦ୍ଧାବୃତାକାର ପୃଥ୍ୱିବୀ କକ୍ଷପଥକୁ ପଠାଇବ । ଏହା ପରେ ଚନ୍ଦ୍ରଯାନ ତାର ଗତିପଥରେ ଅଗ୍ରସର ହୋଇ ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ନିର୍ଦ୍ଧାରିତ ସ୍ଥାନରେ ଅବତରଣ କରିବା ଆଶା କରାଯାଉଛି ।