ନୂଆଦିଲ୍ଲୀ: ୨୦୨୭ ସୁଦ୍ଧା ଭାରତ ବିଶ୍ୱର ୩ୟ ବୃହତ୍ତମ ଅର୍ଥନୀତି ପାଲଟିବ । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍)ର ଉପପରିଚାଳନା ନିର୍ଦ୍ଦେଶକ ଗୀତା ଗୋପୀନାଥ ଏପ୍ରକାର ଦୃଢ଼ୋକ୍ତିପୂଣ୍ଣ ମନ୍ତବ୍ୟ ଦେଇଛନ୍ତି । ଶନିବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସାକ୍ଷାତ କରିବା ପରେ ପରେ ଗଣମଧ୍ୟମ ପକ୍ଷରୁ ପଚରାଯାଇଥିବା କେତେକ ପ୍ରଶ୍ନର ଉତ୍ତରରେ ସେ ଏପରି କହିଛନ୍ତି ।
୭୮ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଖୁବ୍ଶୀଘ୍ର ବିଶ୍ୱର ୩ୟ ବୃହତ୍ତମ ଅର୍ଥନୀତି ପାଲଟିବାକୁ ଯାଉଥିବା କହିଥିଲେ । ମୋଦୀଙ୍କ ମନ୍ତବ୍ୟ ସମ୍ପର୍କରେ ଗୀତା ଗୋପୀନାଥ, କହିଛନ୍ତି ବର୍ତ୍ତମାନ ଭାରତ ବିଶ୍ୱର ୫ମ ବୃହତ୍ତମ ଅର୍ଥନୀତି ହୋଇ ରହିଛି । ଅନ୍ୟପକ୍ଷେ ବିଭିନ୍ନ କ୍ଷେତ୍ରରେ ଭାରତ ଦ୍ରୁତ ବିକାଶ କରୁଛି, ବିଶେଷ କରି ଗ୍ରାମୀଣ ଅର୍ଥନୀତି କ୍ଷେତ୍ରରେ ଭାରତର ବିକାଶ ଉଲ୍ଲେଖନୀୟ ରହିଥିବାରୁ ୨୦୨୭ ବେଳକୁ ଏହି ଦେଶ ବିଶ୍ୱର ୩ୟ ବୃହତ୍ତମ ଅର୍ଥନୀତି ପାଲଟିବାର ଦୃଢ଼ ଆଶା ସଞ୍ଚାର ହୋଇଛି ।
ଭାରତୀୟ ବଜାରରେ ବିଭିନ୍ନ ସାମଗ୍ରୀର ବିକ୍ରି ଉତ୍ସାହଜନକ ରହିଥିବା ବେଳେ ଭଲ ମୌସୁମୀ ବର୍ଷା ଯୋଗୁଁ କୃଷି ଉତ୍ପାଦନ ବୃଦ୍ଧି ପାଇବାର ଆଶା ରହିଛି ଯାହା କି ଭାରତୀୟ ଅର୍ଥନୀତିକୁ ଆହୁରି ସୁଦୃଢ଼ କରିବ ବୋଲି ଗୀତା କହିଛନ୍ତି । ସେହିପରି ନିଯୁକ୍ତିଗତ ସଂସ୍କାର ପ୍ରକ୍ରିୟା ମାଧ୍ୟମରେ ଭାରତ ଆସନ୍ତା ୫-୬ ବର୍ଷ ମଧ୍ୟରେ ଭାରତରେ ଅଧିକରୁ ଅଧିକ କର୍ମନିଯକ୍ତି ସୃଷ୍ଟି କରିବାର ଆବଶ୍ୟକତା ରହିଥିବା ସେ କହିଥିଲେ । ସେହିପରି କୋଲକାତା ଘଟଣା ସମ୍ପର୍କରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଗୀତା ଗୋପୀନାଥ କହିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ତଥା ବିଚଳିତ କରିଦେବା ଭଳି ଘଟଣା । ମହିଳାଙ୍କ କ୍ଷେତ୍ରରେ ଏପ୍ରକାର ଅପରାଧକୁ କପାଦି ବରଦାସ୍ତ କରାଯାଇପାରିବନି । କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ସୁରକ୍ଷା ସର୍ବପ୍ରଥମ ହେବା ଉଚିତ୍ ।










