ନୂଆଦିଲ୍ଲୀ/ମସ୍କୋ: ଭାରତ ଏବେ ରୁଷ୍ ଠାରୁ ଏସ୍-୫୦୦ ଟ୍ରାୟମ୍ଫ ଏୟାର ଡିଫେନ୍ସ ସିଷ୍ଟମ୍ କିଣିବ । ଏଭଳି ଏକ ସମ୍ବାଦ ଏବେ ପ୍ରାୟ ସବୁଗଣମାଧ୍ୟମରେ ପ୍ରସାରିତ ତଥା ପ୍ରକାଶିତ ହେଉଥିବାର ଦେଖିବାକୁ ମିଳୁଛି । ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର କ୍ଷମତାକୁ ଆସିବା ପରେ ନିଜ ପ୍ରଥମ ଦ୍ୱିପାକ୍ଷିକ ରୁଷ୍ ଗସ୍ତ ସମୟରେ ( ଜୁଲାଇ ୧୯, ୨୦୨୪), ରୁଷ୍ ନିଜଆଡୁ ଏହାର ସଦ୍ୟତମ ଆଣ୍ଟି ମିସାଇଲ୍ ତଥା ଡିଫେନ୍ସ ସିଷ୍ଟମ୍ ଏସ୍ -୫୦୦ର ମିଳିତ ଉତ୍ପାଦନ ପାଇଁ ପ୍ରସ୍ତାବ ଦେଇଥିଲା । ଏହା ଭାରତ-ରୁଷ୍ ମଧ୍ୟରେ ଏସ୍-୪୦୦ ଟ୍ରୟମ୍ଫ୍ ଏୟାର ଡିଫେନ୍ସ ସିଷ୍ଟମ୍ ଚୁକ୍ତିର ନବୀକରଣ ପରିପ୍ରେକ୍ଷୀରେ ରୁଷ୍ ପକ୍ଷରୁ ଭାରତ ସମ୍ମୁଖରେ ରଖାଯାଇଥିଲା ।
ତେବେ ଯଦିଓ ଭାରତ ଆଜି ପର୍ଯ୍ୟନ୍ତ ରୁଷ୍ର ଏହି ପ୍ରସ୍ତାବ ଉପରେ କୌଣସି ସ୍ପଷ୍ଟ ସୂଚନା ଦେଇନଥିଲା ଏବେ କିନ୍ତୁ ଏସ୍-୪୦୦ର ଦମ୍ଦାର କାର୍ଯ୍ୟଦକ୍ଷତାକୁ ଦୃଷ୍ଟିରେ ରଖି ରୁଷ୍ର ଏସ୍-୫୦୦ ପ୍ରସ୍ତାବ ଉପରେ ବିଚାର କରୁଥିବା କୁହାଯାଉଛି । ବାସ୍ତବରେ ଏସ୍-୫୦୦ ହେଉଛି, ଏସ୍-୪୦୦ର ଅପଗ୍ରେଡ୍ ଭର୍ସନ । ଏସ୍-୪୦୦ର ରେସପନ୍ସ ଟାଇମିଂ ୯ରୁ ୧୦ ସେକେଣ୍ଡ୍ ରହିଥିବା ବେଳେ ଏସ୍-୫୦୦ର ରେସପନ୍ସ ଟାଇମିଂ ମାତ୍ର ୩ରୁ ୪ସେକେଣ୍ଡ୍ ରହିଛି । ଏସ୍-୫୦୦ ସିଷ୍ଟମ ଏକକାଳୀନ ୧୦ଟି ହାଇପରସୋନିକ୍ ଟାର୍ଗେଟକୁ ଟ୍ରାକ୍ କରିପାରିବ ଏବଂ ୨,୦୦୦ କିଲୋମିଟର ପର୍ଯ୍ୟନ୍ତ ଉଚ୍ଚତାରେ ଥିବା ଶତ୍ରୁପକ୍ଷର ଯେକୌଣସି ଆକ୍ରମଣକୁ ଚିହ୍ନଟ କରିପାରିବ ଏବଂ ୬୦୦ କିଲୋମିଟର ପର୍ଯ୍ୟନ୍ତ ଦୂରତାରେ ଏସବୁକୁ ନିମିଷକେ ନଷ୍ଟ କରିଦେଇପାରିବ । ଏସ୍-୫୦୦ର ପ୍ରାଥମିକ ଲକ୍ଷ୍ୟ ହେଉଛି ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ମୁକାବିଲା କରିବା । ତେବେ ଏସବୁ ମଧ୍ୟରେ ଭାରତ ଏବେ ରୁଷ୍ ଠାରୁ ଅତିରିକ୍ତ ଭାବେ ଆଉ କିଛି ଏସ୍-୪୦୦ ପ୍ରଣାଳୀ କ୍ରୟ କରିବ ବୋଲି ମଧ୍ୟ ସୂଚନା ମିଳିଛି ।









