28.1 C
Bhubaneswar
Saturday, September 28, 2024
Homeଖେଳଆଜିଠାରୁ ଭାରତ-ସାଉଥ୍ ଆଫ୍ରିକା ଦିନିକିଆ ସିରିଜ୍

ଆଜିଠାରୁ ଭାରତ-ସାଉଥ୍ ଆଫ୍ରିକା ଦିନିକିଆ ସିରିଜ୍

ଜୋହାନ୍ସବର୍ଗ : ଆଜିଠାରୁ ଭାରତ ଓ ସାଉଥ୍ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ ଆରମ୍ଭ ହେଉଛି । ପ୍ରଥମ ମ୍ୟାଚ୍ ଜୋହାନ୍ସବର୍ଗର ନ୍ୟୁ ୱାଣ୍ଡରର୍ସରେ ଖେଳାଯିବ । କେଏଲ୍ ରାହୁଲଙ୍କ ନେତୃତ୍ୱାଧୀନ ଯୁବ ଭାରତୀୟ ଟିମ୍ ପ୍ରଥମ ମ୍ୟାଚ୍ ଜିତି ସିରିଜ୍‌ରେ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି । ଟିମ୍‌ରେ ସିନିୟର୍‌ଙ୍କ ଅନୁପସ୍ଥିତିରେ ଅନେକ ଯୁବ ଖେଳାଳିଙ୍କୁ ସାମିଲ କରାଯାଇଥିବାରୁ ମ୍ୟାଚ୍‌ରେ ସେମାନେ ନିଜ ଛାପ ଛାଡ଼ିବାକୁ ପ୍ରୟାସ କରିବେ ବୋଲି ଆଶା କରାଯାଉଛି । ଆଗାମୀ ଟି-୨୦ ବିଶ୍ୱକପ୍ ଦୃଷ୍ଟିରୁ ଦିନିକିଆ ସିରିଜ୍‌ର ମୂଲ୍ୟ କମ୍ ହୋଇଥିଲେ ମଧ୍ୟ ଏହି ସିରିଜ୍ ଆଇସିସି ଦିନିକିଆ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରସ୍ତୁତିରେ ଦୁଇ ଟିମ୍ ପାଇଁ ଏକ ନୂତନ ଯୁଗର ପ୍ରତିନିଧିତ୍ୱ କରିବ । ଗତ ୧୫ ବର୍ଷ ମଧ୍ୟରେ ବିରାଟ କୋହଲି ଓ ରୋହିତ ଶର୍ମା ହ୍ୱାଇଟ୍ ବଲ୍ ଫର୍ମାଟ୍‌ରେ ଟିମ୍ ଇଣ୍ଡିଆକୁ ଶକ୍ତିଶାଳୀ କରିଛନ୍ତି । ଯେହେତୁ ସେମାନେ କ୍ୟାରିୟର୍ ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି ଯୁବ ଖେଳାଳିମାନେ ସେମାନଙ୍କ ସେହି ଲିଗାସୀକୁ ବଜାୟରଖିବାକୁୁ ଉଦ୍ୟମ କରିବେ । ସିରିଜ୍‌ରେ ଟିମ୍‌ର ନେତୃତ୍ୱ ନେଉଥିବାରୁ କେଏଲ୍ ରାହୁଲ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବେ । ଯଦିଓ ପୂର୍ବରୁ ସେ ଟିମ୍‌ର ନେତୃତ୍ୱ ନେଇଛନ୍ତି, ତେବେ ଏହି ସିରିଜ୍ ବିଜୟ ତାଙ୍କୁ ଦୀର୍ଘ ସମୟ ପାଇଁ ନିଜ ପଦବୀ ବଜାୟ ରଖିବାରେ ସହାୟକ ହେବ । ଚଳିତ ବର୍ଷ ଟି-୨୦ରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ରିଙ୍କୁ ସିଂହଙ୍କୁ ଟିମ୍ ମ୍ୟାନେଜମେଣ୍ଟ୍ ଦିନିକିଆକୁ ଉନ୍ନୀତ କରିଛି । ଏହି ବାମହାତୀ ବ୍ୟାଟର୍ ଆସନ୍ତାକାଲି ଦିନିକିଆ ପଦାର୍ପଣ କରିପାରନ୍ତି । ଘରୋଇ କ୍ରିକେଟ୍‌ରେ ଉନ୍ନତ ପ୍ରଦର୍ଶନ କରି ଟିମ୍‌ରେ ସାମିଲ ହୋଇଥିବା ତିଳକ ବର୍ମା, ରଜତ ପଟିଦାରଙ୍କ ସହ ସାଇ ସୁଦର୍ଶନଙ୍କୁ ମଧ୍ୟ ଅନ୍ତର୍ଜାତୀୟ ସୁଯୋଗ ମିଳିପାରେ । ଆହତ ଆନ୍‌ରିକ୍ ନୋର୍ଜେ ଓ କାଗିସୋ ରବାଡାଙ୍କ ଅନୁପସ୍ଥିତିରେ ଏହି ଯୁବ ଖେଳାଳି ସାଉଥ୍ ଆଫ୍ରିକା ଆକ୍ରମଣକୁ ସମ୍ମୁଖୀନ ହୋଇପାରିବେ ବୋଲି ଟିମ୍ ମ୍ୟାନେଜମେଣ୍ଟ୍ ଆଶା ରଖିଛି । ଦିନିକିଆ ବିଶ୍ୱକପ୍‌ରେ ନିଜ ପ୍ରଦର୍ଶନ ବଳରେ ଭାରତକୁ ଫାଇନାଲ୍‌ରେ ପହଞ୍ଚାଇଥିବା ଜସ୍‌ପ୍ରୀତ୍ ବୁମ୍‌ରା, ମହମ୍ମଦ ଶମୀ ଓ ମହମ୍ମଦ ସିରାଜ୍ ଏହି ସିରିଜ୍‌ରେ ନାହାନ୍ତି । ତେଣୁ ପେସ୍ ବୋଲିଂ ଆକ୍ରମଣ ଦାୟିତ୍ୱ ଅଭେସ୍ ଖାନ୍‌, ମୁକେଶ କୁମା ଓ ଅର୍ଶଦୀପ ସିଂହଙ୍କ ଉପରେ ରହିବ । ଅବଶ୍ୟ ସେମାନେ ଏହି ଗ୍ରାଉଣ୍ଡ୍‌ରେ ଖେଳାଯାଇଥିବା ଅନ୍ତିମ ଟି-୨୦ରେ ପ୍ରଶଂସନୀୟ ପ୍ରଦର୍ଶନ କରିଥିଲେ । ସେହିପରି ସ୍ପିନ୍ ବୋଲିଂ ଦାୟିତ୍ୱ କୁଲଦୀପ ଯାଦବ, ଅକ୍ଷର ପଟେଲ୍ ଓ ୟୁଜବେନ୍ଦ୍ର ଚହଲ୍‌ଙ୍କ ଉପରେ ନ୍ୟସ୍ତ ହେବ । ସ୍ପିନ୍ ଅଲ୍‌ରାଉଣ୍ଡର୍ ୱାଶିଂଟନ୍ ସୁନ୍ଦର ମଧ୍ୟ ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରିଥିବାରୁ ସେ ମଧ୍ୟ ବିପକ୍ଷ ବ୍ୟାଟର୍‌ଙ୍କ ପାଇଁ କିଛିଟା ଚ୍ୟାଲେଞ୍ଜ୍ ହୋଇପାରନ୍ତି । ଟିମ୍‌ରେ ସ୍ଥାନ ପାଇଥିବା ୱିକେଟ୍‌କିପର୍ ବ୍ୟାଟର୍ ସଞ୍ଜୁ ସାମ୍‌ସନ୍ ପଞ୍ଚମ ନମ୍ବରରେ ବ୍ୟାଟିଂ କରିବା ନିଶ୍ଚିତ ହୋଇଛି ।  ମ୍ୟାଚ୍ ପୂର୍ବ ପ୍ରେସ୍ ମିଟ୍‌ରେ ଅଧିନାୟକ ରାହୁଲ ଏହି ସଙ୍କେତ ଦେଇ କହିଛନ୍ତି, ସାମ୍‌ସନ୍ ୪-୫ ନମ୍ବର ସ୍ଥାନରେ ବ୍ୟାଟିଂ କରିବେ ଏବଂ ଆବଶ୍ୟକ ବେଳେ ମଧ୍ୟ ୱିକେଟ୍‌କିପିଂ ଦାୟିତ୍ୱ ତୁଲାଇବେ ।
ସାଉଥ୍ ଆଫ୍ରିକାରେ ଟିମ୍ ଇଣ୍ଡିଆର ଦିନିକିଆ ଫର୍ମାଟ୍ ରେକର୍ଡ ଏତେ ଭଲ ନୁହେଁ । ଟିମ୍ ଇଣ୍ଡିଆ ଏଠାରେ ଖେଳିଥିବା ୬ଟି ସିରିଜ୍ ମଧ୍ୟରୁ ପାଞ୍ଚଟିରେ ପରାଜିତ ହୋଇଛି । ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ୍ ଗୋଟିଏ ସିରିଜ୍ ଜିତିଛି । ୨୦୧୭-୧୮ରେ ଅନୁଷ୍ଠିତ ୬ ମ୍ୟାଚ୍ ବିଶିଷ୍ଟ ସିରିଜ୍‌କୁ ଟିମ୍ ୫-୧ରେ ଜିତିଥିଲା । ସାଉଥ୍ ଆଫ୍ରିକା ମାଟିରେ ଟିମ୍ ଇଣ୍ଡିଆ ନିଜର ଶେଷ ଦିନିକିଆ ସିରିଜ୍ ୨୦୨୧-୨୨ରେ ଖେଳି କ୍ଲିନ୍‌ସ୍ୱିପ୍‌ର ସମ୍ମୁଖୀନ ମଧ୍ୟ ହୋଇଥିଲା । ଉଭୟ ଟିମ୍ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୯୧ ମ୍ୟାଚ୍ ଖେଳାଯାଇଥିବା ବେଳେ ଟିମ୍ ଇଣ୍ଡିଆ ମାତ୍ର ୩୮ ମ୍ୟାଚ୍‌ରେ ବିଜୟୀ ହୋଇଛି । ୫୦ ମ୍ୟାଚ୍ ସାଉଥ୍ ଆଫ୍ରିକା ଜିତିଛି । ଏହା ବ୍ୟତୀତ ତିନିଟି ମ୍ୟାଚ୍‌ର କୌଣସି ଫଳାଫଳ ବାହାରି ନାହିଁ । ସେହିପରି ସାଉଥ୍ ଆଫ୍ରିକା ବର୍ତ୍ତମାନ ସୁଦ୍ଧା ଭାରତରେ ଖେଳିଥିବା ୩୭ ମ୍ୟାଚ୍ ମଧ୍ୟରୁ ୧୦ଟି ବିଜୟୀ ହୋଇଥିବା ବେଳେ ୨୫ରେ ପରାଜୟର ସମ୍ମୁଖୀନ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking