ନୂଆଦିଲ୍ଲୀ: ୨୦୩୬ ଓ ୨୦୪୦ ଅଲିମ୍ପିକ୍ କ୍ରୀଡ଼ା ଆୟୋଜନ ପାଇଁ ଭାରତ ଇଚ୍ଛୁକ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଅଧ୍ୟକ୍ଷ ଥୋମାସ୍ ବାକ୍ କହିଛନ୍ତି । ୨୦୩୨ ଅଲିମ୍ପିକ୍ ବ୍ରିସ୍ବେନ୍ ଆୟୋଜନ କରିବ ବୋଲି ନିକଟରେ ଆଇଓସି ଘୋଷଣା କରିଥିଲା । “ୱାଲ୍ ଷ୍ଟ୍ରୀଟ୍ ଜର୍ନାଲ୍’ ବାକ୍ଙ୍କ ସୂତ୍ରରୁ ଜଣାଇଛି ଯେ ଗତ ମାସରେ ୨୦୩୨ ଅଲିମ୍ପିକ୍ ଆୟୋଜକ ଭାବେ ଅଷ୍ଟ୍ରେଲିଆର ବ୍ରିସ୍ବେନ୍କୁ ବଛା ଯାଇଥିଲେ ମଧ୍ୟ ୨୦୩୬ , ୨୦୪୦ ଏବଂ ଏହାପରେ ହେବାକୁ ଥିବା ଅଲିମ୍ପିକ୍ କ୍ରୀଡ଼ା ଆୟୋଜନ ପାଇଁ ଆଗ୍ରହୀ ବହୁ ଦେଶ ଲାଇନ୍ରେ ଅଛନ୍ତି । ଖବର ଅନୁସାରେ ଆୟୋଜନ ପାଇ ଇଚ୍ଛୁକ ଦେଶ ମଧ୍ୟରେ ଭାରତ, ଇଣ୍ଡୋନେସି, ଜର୍ମାନୀ ଓ କତର୍ ସାମିଲ ।
“ଏହି ଦେଶଗୁଡ଼ିକର ନାମ ମୋ ସ୍ମରଣରେ ରହିଛି । ଏଣୁ ଆମେ ଏକ ଉତ୍ତମ ଦୀର୍ଘକାଳୀନ ସ୍ଥିତିରେ ରହିଛୁ’ ବୋଲି ବାକ୍ କହିଥିବା ୱାଲ୍ ଷ୍ଟ୍ରୀଟ୍ ଜର୍ନାଲ୍ ରିପୋର୍ଟରେ ପ୍ରକାଶ ପାଇଛି । ଲକ୍ଷ ଲକ୍ଷ ଡଲାରର ବର୍ଦ୍ଧିତ ବ୍ୟୟ କାରଣରୁ କ୍ରୀଡ଼ାର ଆୟୋଜନକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ବାକ୍ଙ୍କ ଏହି ମନ୍ତବ୍ୟ ସାମ୍ନାକୁ ଆସିଛି । ନିକଟରେ ଶେଷ ହୋଇଥିବା ଟୋକିଓ କ୍ରୀଡ଼ା ଅବସରରେ ମଧ୍ୟ ଅଲିମ୍ପିକ୍ ଆୟୋଜନରେ ବ୍ୟୟ କରାଯାଇଥିବା ଅର୍ଥରାଶିକୁ ନେଇ ବିରୋଧ ହୋଇଥିଲା । ଅନ୍ୟପକ୍ଷରେ କ୍ରୀଡ଼ାର ଏହି ମହାକୁମ୍ଭ ଆୟୋଜନ ପାଇଁ ଇଚ୍ଛୁକ ଥିବା ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ)ର ସାଧାରଣ ସମ୍ପାଦକ ରାଜୀବ ମେହଟା ନ୍ୟୁଜ୍ ଏଜେନ୍ସି ପିଟିଆଇ ଜଣାଇଛନ୍ତି ।
ମେହଟା କହିଛନ୍ତି, “ଟୋକିଓ ଅଲିମ୍ପିକ୍ ପୂର୍ବରୁ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଅନୁଷ୍ଠିତ ଆଇଓଏ କମିଶନ୍ ବୈଠକରେ ଆଇଓଏ ୨୦୩୬ ଏବଂ ଏହାପରେ ହେବାକୁ ଥିବା ଅଲିମ୍ପିକ୍ କ୍ରୀଡ଼ା ଆୟୋଜନ ପାଇଁ ଇଚ୍ଛା ପ୍ରକାଶ କରିଥିଲା । ଭାରତ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ଅବସରରେ ୨୦୪୮ ଅଲିମ୍ପିକ୍ କ୍ରୀଡ଼ା ପାଇଁ ସଫଳ ବିଡ୍ ଡାକିବାକୁ ସମସ୍ତ ପ୍ରକାର ଉଦ୍ୟମ କରାଯିବ ବୋଲି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟା ଗତ ମାର୍ଚ୍ଚ ମାସରେ କହିଥିଲେ । ଏଥିପାଇଁ ଭିତ୍ତିଭୂମିରେ ସୁଧାର କରାଯିବ ବୋଲି ସେ କହିଥିଲେ । ପୂର୍ବରୁ ଭାରତ ୨୦୩୨ ଅଲିମ୍ପିକ୍ କ୍ରୀଡ଼ା ଆୟୋଜନ ପାଇଁ ଆଗ୍ରହ ପ୍ରକାଶ କରିଥିଲା । ଏହାଛଡ଼ା ୨୦୩୦ ଏସୀୟ କ୍ରୀଡ଼ା ଓ ୨୦୨୬ ଯୁବ ଅଲିମ୍ପିକ୍ ଆୟୋଜନ ପାଇଁ ମଧ୍ୟ ଭାରତ ଇଚ୍ଛୁକ ଥିଲା । ତେବେ ଗତ ଡିସେମ୍ବରରେ ୨୦୩୦ ଓ ୨୦୩୪ ଏସୀୟ କ୍ରୀଡ଼ା ଆୟୋଜନ ଦାୟିତ୍ୱ ଯଥାକ୍ରମେ କତର୍ ଓ ରିୟାଦ୍କୁ ପ୍ରଦାନ କରାଯାଇଥିଲା ।