ଭୁବନେଶ୍ବର: ‘ସବୁଜ ଇନ୍ଧନର ବହୁଳ ଗ୍ରହଣୀୟତା ଦ୍ୱାରା ଇନ୍ଧନ ଆମଦାନୀକାରୀରୁ ରପ୍ତାନିକାରୀ ରାଷ୍ଟ୍ର ହେବା ଦିଗରେ ଅଗ୍ରସର ହେଉଛି ଭାରତ । ଏବେ ସୁଦ୍ଧା 80 ଲକ୍ଷ ଟନ ସହରାଞ୍ଚଳ ବର୍ଜ୍ୟବସ୍ତୁକୁ ରାସ୍ତା ନିର୍ମାଣରେ ଉପଯୋଗ କରାଯାଇଛି’ ଆଜି ଇଣ୍ଡିଆନ ରୋଡ୍ସ କଂଗ୍ରେସ ଉଦଘାଟନୀ କାର୍ଯ୍ୟକ୍ରମରେ ଏହା କହିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ । ସଡ଼କ ନିର୍ମାଣରେ ବର୍ଜ୍ୟବସ୍ତୁ ଉପଯୋଗ କରିବା ଲାଗି ଯୋଜନା ଏବଂ ନୀତି ପ୍ରଣୟନ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଭୁବନେଶ୍ୱରରେ ଇଣ୍ଡିଆନ ରୋଡ୍ସ କଂଗ୍ରେସର ୮୪ ତମ ଅଧିବେଶନକୁ ଉଦଘାଟନ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ।
କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି, ‘ଭାରତ ଏବେ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା । ଏହାକୁ ବିଶ୍ୱର ତୃତୀୟ ସର୍ବବୃହତ ଅର୍ଥବ୍ୟବସ୍ଥାରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂକଳ୍ପ ନେଇଛନ୍ତି । ଆମେ ଏବେ ବିଶ୍ୱଗୁରୁ ହେବାର ଲକ୍ଷ୍ୟ ଦିଗରେ ଅଗ୍ରସର ହେଉଛୁ । ଏଥିପାଇଁ ଆମକୁ ବିଶ୍ୱସ୍ତରୀୟ ଭିତ୍ତିଭୂମିର ଆବଶ୍ୟକତା ରହିଛି । ଉନ୍ନତ ମାନର ଭିତ୍ତିଭୂମି ନିର୍ମାଣ କରିବା ଆବଶ୍ୟକତା ରହିଛି । ନିର୍ମାଣ ଖର୍ଚ୍ଚ କମାଇବା ପାଇଁ ଯୋଜନା ପ୍ରଣୟନ କରାଯିବା ଉଚିତ । ପରିବେଶ ଓ ଜୀବଜଗତର ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ସଡ଼କ ନିର୍ମାଣରେ ବର୍ଜ୍ୟବସ୍ତୁ ଉପଯୋଗ କରିବା ଲାଗି ଯୋଜନା ଏବଂ ନୀତି ପ୍ରଣୟନ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଦେଶରେ ବିକଳ୍ପ ଇନ୍ଧନ କ୍ଷେତ୍ରରେ ରହିଛି ସମ୍ଭାବନା । ସବୁଜ ହାଇଡ୍ରୋଜେନ ଚାଳିତ ବାହନ ଚଳାଚଳ ପାଇଁ ୧୦ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ସେଥି ମଧ୍ୟରୁ ଗୋଟିଏ ଓଡ଼ିଶାରେ ରହିଛି । ହାଇଡ୍ରୋଜେନ ଭଳି ସବୁଜ ଇନ୍ଧନ କ୍ଷେତ୍ରରେ ନିର୍ଭରଶୀଳତା ଦେଶର ତୈଳ ଆମଦାନୀ ହ୍ରାସ କରିବ । ଗବେଷଣା ଓ ନବସୃଜନ ବଳରେ ଉନ୍ନତ ସଡ଼କ ଓ ବିକଳ୍ପ ଇନ୍ଧନ ଜରିଆରେ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିହେବ । ଫଳରେ ଦେଶକୁ ସମୃଦ୍ଧ କରାଯାଇପାରିବ ।
ଇଥାନଲ, ମିଥାନଲ, ସିଏନଜି, ବାୟୋ-ଏଲଏନଜି ଏବଂ ସବୁଜ ହାଇଡ୍ରୋଜେନର ବହୁଳ ଗ୍ରହଣୀୟତା ଦ୍ୱାରା ଭାରତ ଇନ୍ଧନ ଆମଦାନୀକାରୀ ରାଷ୍ଟ୍ରରୁ ଇନ୍ଧନ ରପ୍ତାନିକାରୀ ରାଷ୍ଟ୍ର ହେବା ଦିଗରେ ଏକ ନିର୍ଣ୍ଣାୟକ ପରିବର୍ତ୍ତନ ଆଣୁଛି । ଅନୁରୂପ ଭାବେ ସରକାର ସଡ଼କ ସୁରକ୍ଷା, ଆଧୁନିକ ଇଞ୍ଜିନିୟରିଂ ମାନଦଣ୍ଡ, ଦକ୍ଷ ପରିବହନ ବ୍ୟବସ୍ଥା ଏବଂ ସମସ୍ତଙ୍କ ପାଇଁ ସୁରକ୍ଷିତ ଓ ଅଧିକ ଦକ୍ଷ ପରିବହନ ସୁନିଶ୍ଚିତ କରିବା ପାଇଁ ଦେଶବ୍ୟାପୀ ସଚେତନତା ପଦକ୍ଷେପ ଗୁଡ଼ିକୁ ଏକୀକୃତ କରିବା ପାଇଁ ଗଭୀର ଭାବରେ ସଂକଳ୍ପବଦ୍ଧ । କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ‘ଭାରତର ବିକାଶଧାରାକୁ ତ୍ୱରାନ୍ୱିତ କରିବା ଲାଗି ଆମେ ନୂତନ ପଦ୍ଧତି ଓ ସଫଳ ପ୍ରୟୋଗ କରିବାକୁ ଚାହୁଁଛୁ । ଏଥିପାଇଁ କାର୍ଯ୍ୟଧାରା, ମାର୍ଗଦର୍ଶିକା ଏବଂ ଡିଜାଇନ ପ୍ରଣାଳୀକୁ ପ୍ରୋତ୍ସାହିତ କରିବା ଆବଶ୍ୟକ । ଭାରତର ସଡ଼କ ନେଟୱର୍କ ବିଶ୍ୱରେ ଏକ ନମ୍ବର ହେବାକୁ ଯାଉଛି । ଉନ୍ନତ ସଡ଼କ ବିକଶିତ ହେଲେ ବାଣିଜ୍ୟ, ବ୍ୟବସାୟ ଓ ଶିଳ୍ପର ଆଗମନ ହୋଇଥାଏ । ଏସବୁକୁ ପ୍ରୋତ୍ସାହନ ମିଳିଲେ ପୁଞ୍ଜିନିବେଶ, ରୋଜଗାର ସୃଜନ ଏବଂ ଆର୍ଥିକ ଅଭିବୃଦ୍ଧିର ମାର୍ଗ ପ୍ରଶସ୍ତ ହୁଏ । ସଡ଼କ ନିର୍ମାଣ ସମୟରେ ପରିବେଶ ଓ ଜୀବଜଗତର ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି । ରାସ୍ତା ନିର୍ମାଣ କାରଣରୁ ଦେଶରେ ସର୍ବାଧିକ ପ୍ରଦୂଷଣ ହେଉଛି । ଏହାର ସମାଧାନ ଲାଗି ବର୍ତ୍ତମାନ ସଡ଼କ ନିର୍ମାଣରେ ବର୍ଜ୍ୟବସ୍ତୁର ଉପଯୋଗ କରାଯାଉଛି । ଏବେ ସୁଦ୍ଧା ୮୦ ଲକ୍ଷ ଟନ ସହରାଞ୍ଚଳ ବର୍ଜ୍ୟବସ୍ତୁକୁ ରାସ୍ତା ନିର୍ମାଣରେ ଉପଯୋଗ କରାଯାଇଛି ।










