ନୂଆଦିଲ୍ଲୀ: ଗୋଟିଏ ପଟେ ରୁଷ-ୟୁକ୍ରେନ୍ ଯୁଦ୍ଧ ପୁଣିଥରେ ଉଗ୍ରରୂପ ଧାରଣ କରିଥିବା ବେଳେ ଅନ୍ୟପକ୍ଷେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଆଜି ଏକ ବଡ଼ କଥା କହିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ପରବର୍ତ୍ତୀ ଶାନ୍ତି ଚୁକ୍ତି ବୈଠକ ପାଇଁ ଭାରତ ଏକ ଭଲ ସ୍ଥାନ ହୋଇପାରେ । ତାଙ୍କର ଏପ୍ରକାର ମନ୍ତବ୍ୟ ରୁଷ୍ ସହ ୟୁକ୍ରେନ୍ର ଯୁଦ୍ଧ ସମାପ୍ତ ଦିଗରେ ଏକ ସକାରାତ୍ମକ ବାର୍ତ୍ତା ବୋଲି ବିବେଚନା କରାଯାଉଛି ।
ଦୀର୍ଘ ଅଢ଼େଇ ବର୍ଷ ଧରି ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଭୟ ଦେଶ ଗସ୍ତ ସ୍ଥିତିରେ କେତେକ ସକାରାତ୍ମକ ପରିବର୍ତ୍ତନ ଆସିବାର ସଂକେତ ଦେଖାଦେଇଛି । କିନ୍ତୁ ରବିବାର ବିଳମ୍ବିତ ରାତିରେ ପୁଣିଥରେ ରୁଷ୍ ପକ୍ଷରୁ ଆକ୍ରମଣକୁ ଜୋରଦାର କରାଯିବା ପରିସ୍ଥିତିକୁ କିଛି ମାତ୍ରାରେ ଗଣ୍ଡଗୋଳିଆ କରିଦେଇଛି ।
ଗତ ଅଢ଼େଇ ବର୍ଷ ଧରି ଚାଲିଥିବା ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଶୀଘ୍ର ଶେଷ ହେବାର ନାଁ ନେଉନାହିଁ । ଉଭୟ ପକ୍ଷରୁ ଘନ ଘନ ଆକ୍ରମଣ ଜାରି ରହିଛି । ତେବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଭୟ ଦେଶ ଗସ୍ତ ପରେ ସ୍ଥିତିରେ କେତେକ ସକାରାତ୍ମକ ପରିବର୍ତ୍ତନ ଆସିବାର ସଂକେତ ଦେଖାଦେଇଛି । ସୂଚନାଯୋଗ୍ୟ, ଶେଷ ଥର ପାଇଁ ସ୍ୱିଜରଲ୍ୟାଣ୍ଡରେ ଶାନ୍ତି ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । କିନ୍ତୁ ଆଗାମୀ ଶାନ୍ତି ଆଲୋଚନା ମାଧ୍ୟମରେ ରୁଷ୍ ସହ ଚାଲିଥିବା ଯୁଦ୍ଧର ପରିସମାପ୍ତି ଘଟିବ ବୋଲି ୟୁକ୍ରେନ୍ ଆଶା ରଖିଛି ।










