ନୂଆଦିଲ୍ଲୀ : ଲଦାଖ୍ ସେକ୍ଟରର ଚୁଶୁଲୁ-ମୋଲ୍ଦୋରେ ରବିବାର ଭାରତ ଓ ଚୀନ୍ ମଧ୍ୟରେ ୧୮ତମ କୋର୍ କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଦୁଇ ଦେଶ ମଧ୍ୟରେ ତିନିବର୍ଷ ଧରି ଲାଗି ରହିଥିବା ସୈନ୍ୟ ଗତିରୋଧର ସମାଧାନ ପାଇଁ ଏହି ବୈଠକ ହୋଇଛି । ପ୍ରତିରକ୍ଷା ସୂତ୍ର ଅନୁସାରେ ଭାରତ ପକ୍ଷରୁ ବୈଠକର ନେତୃତ୍ୱ ଫାୟର୍ ଆଣ୍ଡ୍ ଫ୍ୟୁରୀ କର୍ପସ୍ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ୍ ରାଶିମ୍ ବାଲି କରୁଛନ୍ତି । ଚୀନ୍ ପକ୍ଷରୁ ମଧ୍ୟ ସମାନ ର୍ୟାଙ୍କ୍ର ଅଧିକାରୀ ବୈଠକରେ ସାମିଲ ହୋଇଛନ୍ତି । ପାଞ୍ଚମାସ ପରେ ଏହି ବୈଠକ ହେଉଛି । ଉଭୟ ପକ୍ଷ ମଧ୍ୟରେ ଗତବର୍ଷ ଡିସେମ୍ବରରେ କୋର୍ କମାଣ୍ଡର ସ୍ତରର ଅନ୍ତିମ ବୈଠକ ଅନୁଷ୍ଠିତ ହୋଇଥିଲା । ଭାରତ ଓ ଚୀନ୍ ନିଜ ନିଜର ସ୍ଥିତ ମଜଭୁତ କରିବା ନିମନ୍ତେ ସୀମା ଅଞ୍ଚଳରେ ଦ୍ରୁତ ଭାବେ ନିର୍ମାଣ ଗତିବିଧିରେ ଲାଗିଥିବା ବେଳେ ଏହି ବୈଠକ ଅନୁଷ୍ଠିତ ହେଉଛି । ଭାରତ ପକ୍ଷରୁ ଦେପ୍ସାଙ୍ଗର ସମତଳ ଅଞ୍ଚଳ, ଡେମ୍ଚୋକ୍ ଓ ଉଭୟ ପକ୍ଷର ସୈନ୍ୟ ପଛକୁ ହଟିବା ପ୍ରସଙ୍ଗ ବାରମ୍ବାର ଉଠାଇ ଆସୁଛି ।
୨୦୨୦ରେ ପୂର୍ବ ଲଦାଖ୍ରେ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (ଏଲ୍ଏସି)ର ଯଥାସ୍ଥିତକୁ ପରିବର୍ତ୍ତନ ପାଇଁ ଭାରୀ ଅସ୍ତଶସ୍ତ୍ର ଏବଂ ବହୁ ସଂଖ୍ୟକ ସୈନ୍ୟ ସହିତ ଆକ୍ରମଣାତ୍ମକ ଢଙ୍ଗରେ ଆଗକୁ ବଢ଼ିବାକୁ ଚୀନ୍ ପକ୍ଷରୁ ଉଦ୍ୟମ ହୋଇଥିଲା । ଭାରତ ମଧ୍ୟ ସୈନ୍ୟ ମୁତୟନ କରି ଏହାର ଜବାବ ଦେଇଥିଲା । ଅବଶ୍ୟ ପରେ ଦୁଇ ପକ୍ଷ ପଛକୁ ହଟି ନୂଆ ସ୍ଥାନରେ ଚାଲିଯାଇଥିଲେ । ଏହାପରେ ଦୁଇ ପକ୍ଷ ମଧ୍ୟରେ ମାମଲାର ସମାଧାନ ପାଇଁ କୋର୍ କମାଣ୍ଡର୍ ସ୍ତରର କଥାବାର୍ତ୍ତା ଆରମ୍ଭ ହୋଇଥିଲା । କଥାବାର୍ତ୍ତାରେ ଦୁଇପକ୍ଷ ନିକଟ ସମ୍ପର୍କରେ ରହିବା ଏବଂ ସୈନ୍ୟ ଓ କୂଟନୈତିକ ଚ୍ୟାନେଲ୍ ମାଧ୍ୟମରେ କଥାବାର୍ତ୍ତା ଜାରି ରଖି ଯଥାଶୀଘ୍ର ସମସ୍ୟାର ସମାଧାନ ପାଇଁ ରାଜି ହୋଇଥିଲେ । ଏହା ସତ୍ତ୍ୱେ ମାମଲାର ଶୀଘ୍ର ସମାଧାନ ପକ୍ଷରେ ଚୀନ୍ ଥିବା ଭଳି ଲାଗୁନାହିଁ କିମ୍ବା ଦେପ୍ସାଙ୍ଗ୍ ସମତଳ ଅଞ୍ଚଳ ପରି ଐତିହ୍ୟ ପ୍ରସଙ୍ଗ ଉପରେ ଆଗକୁ ବଢ଼ିବା ପାଇଁ ଅନୁମତି ଦେଉନାହିଁ । ସେ ଦୀର୍ଘ ସମୟ ଧରି ଭାରତୀୟ ପାଟ୍ରୋଲିଂ ଟିମ୍କୁ ସେହି ଅଞ୍ଚଳରେ ଥିବା ନିଜର ପ୍ରାଟ୍ରୋଲିଂ ପଏଣ୍ଟକୁ ଛାଡ଼ୁନାହିଁ ।
ସାଂଘାଇ ସହଯୋଗ ସଂଗଠନ (ଏସ୍ସିଓ) ବୈଠକର ଯୋଗଦେବା ପାଇଁ ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସିବେ । ନିକଟ ଭବିଷ୍ୟତରେ ଦୁଇ ପକ୍ଷ ମଧ୍ୟରେ ଉତ୍ତେଜନା ହ୍ରାସ ପାଇବା ସମ୍ଭାବନା ବହୁତ କମ୍ ରହିଛି । ଭାରତୀୟ ପକ୍ଷ ଯଥାସ୍ଥିତି ପରିବର୍ତ୍ତନ ପାଇଁ ଚୀନ୍ର ଯେକୌଣସି ଉଦ୍ୟମ ବିରୋଧରେ ଅଞ୍ଚଳରେ ବହୁ ସଂଖ୍ୟକ ସୈନ୍ୟ ମୁତୟନ କରିରଖିଛି । ଉଲ୍ଲେଖଯୋଗ୍ୟ, ଭାରତୀୟ ସୈନିକମାନେ ଗତବର୍ଷ ଡିସେମ୍ବରରେ ୟାଙ୍ଗ୍ତ୍ସେରେ ଏପରି ଏକ ଉଦ୍ୟମକୁ ବିଫଳ କରିଦେଇଥିଲେ । ଏଏଲ୍ସିରେ ଥିବା ଭାରତୀୟ ଚୌକିକୁ ଆସିବା ପାଇଁ ଉଦ୍ୟମ କରୁଥିବା ଚୀନ୍ ସେନାର ଏକ ୟୁନିଟ୍କୁ ବଳପୂର୍ବକ ପଛକୁ ଫେରାଇ ଦେଇଥିଲେ ।