17.1 C
Bhubaneswar
Monday, November 25, 2024
Homeଓଡିଶାଓଏଏସ୍ ଅଧିକାରୀଙ୍କ ନିଯୁକ୍ତି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବ; ଶୃଙ୍ଖଳା ଓ ନିଷ୍ଠାର ସହିତ କାର୍ଯ୍ୟ...

ଓଏଏସ୍ ଅଧିକାରୀଙ୍କ ନିଯୁକ୍ତି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବ; ଶୃଙ୍ଖଳା ଓ ନିଷ୍ଠାର ସହିତ କାର୍ଯ୍ୟ କରିବାକୁ ପରାମର୍ଶ

ଭୁବନେଶ୍ୱର: ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ମଙ୍ଗଳବାର ୨୦୨୦ ବ୍ୟାଚ୍ ଓଡିଶା ପ୍ରଶାସନିକ ସେବା ଶିକ୍ଷାନବିଶମାନଙ୍କର ନିଯୁକ୍ତି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ଅଧୀନରେ ପ୍ରଶିକ୍ଷଣ ନେବାପାଇଁ ଯୋଗ ଦେଇଥିବା ଏହି ୧୨୯ ଜଣ ଓଏଏସ୍ ପ୍ରୋବେସନରଙ୍କ ମଧ୍ୟରୁ ୧୨୮ ଜଣ ଓଏଏସ୍ – ୨୦୨୦ ବ୍ୟାଚ୍ ଏବଂ ଜଣେ ଓଏଏସ୍‌- ୨୦୧୮ ବ୍ୟାଚ୍‌ର ଅଟନ୍ତି ।

ଏହି ବ୍ୟାଚ୍‌ରେ ୫୬ ମହିଳା ଓ ୭୩ ପୁରୁଷ ପ୍ରଶିକ୍ଷାର୍ଥୀ ରହିଛନ୍ତି । ୨୨ ସପ୍ତାହ ବ୍ୟାପୀ ଏହି ନିଯୁକ୍ତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜୁନ୍ ୨୬ରୁ ନଭେମ୍ବର ୨୪ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି । ପ୍ରୋବେସନରମାନଙ୍କୁ ଶୃଙ୍ଖଳା ଅନୁସରଣ ପୂର୍ବକ ସଠିକ୍ ମାର୍ଗରେ ପରିଚାଳିତ ହେବା ଓ ନିଷ୍ଠାର ସହିତ କାର୍ଯ୍ୟ କରିବାକୁ ପ୍ରଶିକ୍ଷଣ ଦିବସର ପ୍ରାରମ୍ଭରେ ପରାମର୍ଶ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଶ୍ରୀ ଜେନା ପ୍ରଶିକ୍ଷାର୍ଥୀମାନଙ୍କ ଉଦ୍ଦେଶ୍ୟରେ ପ୍ରେରଣାଦାୟୀ ବକ୍ତବ୍ୟ ପ୍ରଦାନ କରି କହିଲେ ଯେ, ନବ ନିଯୁକ୍ତ ଅଧିକାରୀମାନେ ପ୍ରାୟ ୩୦ରୁ ୩୫ ବର୍ଷ ଧରି ସରକାରଙ୍କ ସେବା କରିବାକୁ ଯାଉଛନ୍ତି । ପ୍ରୋବେସନରମାନେ ନିରନ୍ତର ଜ୍ଞାନ ଅର୍ଜନ, ରାଜ୍ୟ ସରକାରଙ୍କ ‘୫-ଟି’ ଆଭିମୁଖ୍ୟକୁ କାର୍ଯ୍ୟକ୍ଷେତ୍ରରେ ପ୍ରୟୋଗ କରିବା, ଅଭିନବ ଚିନ୍ତାଧାରା ବ୍ୟବହାର ପୂର୍ବକ ଦକ୍ଷ ସେବା ପ୍ରଦାନ, ସାମର୍ଥ୍ୟକୁ ସର୍ବାଧିକ ଉପଯୋଗ କରିବା, ସେବାରେ ଗୁଣବତ୍ତା ସୁନିଶ୍ଚିତ କରିବା ଏବଂ ଓଡ଼ିଶା ସରକାରୀ ସେବା ଆଚରଣ ନିୟମକୁ କଡ଼ାକଡ଼ି ଭାବେ ପାଳନ କରି ରାଜ୍ୟର ରୂପାନ୍ତରଣକୁ ଆହୁରି ଆଗେଇ ନେବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।

ଟ୍ରେନିଂ ମଡ୍ୟୁଲରେ ଆଭ୍ୟନ୍ତରୀଣ ଏବଂ ବାହ୍ୟ ସମ୍ବଳ ଦ୍ୱାରା ଜ୍ଞାନ ଆଦାନ ପ୍ରଦାନରେ ପ୍ରଶିକ୍ଷଣ ଅବଧିକୁ ୧୮ ସପ୍ତାହରୁ ୨୨ ସପ୍ତାହକୁ ବୃଦ୍ଧି କରାଯାଇଛି । ଏହି ପର୍ଯ୍ୟାୟ ପ୍ରଶିକ୍ଷଣ ପ୍ରୋବେସନରମାନଙ୍କୁ ଉଚ୍ଚମାନର ସଚ୍ଚୋଟତା, ଏକାଗ୍ରତା ଓ ମୂଲ୍ୟବୋଧର ସହ ପୂର୍ଣ୍ଣାଙ୍ଗ ଅଧିକାରୀ ଭାବେ ଗଢ଼ି ତୋଳିବାରେ ସହାୟକ ହେବ ବୋଲି ମୁଖ୍ୟ ସଚିବ ଆଶାବ୍ୟକ୍ତ କରିଥିଲେ । ବିଭିନ୍ନ ଉଦାଗରଣ ଦେଇ ବର୍ଷ ବର୍ଷ ଧରି ଓଡ଼ିଶା ବିପର୍ଯ୍ୟୟ ମୁକାବିଲା ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ହାସଲ କରିଥିବା କେତେକ ଉଲ୍ଲେଖନୀୟ ମାଇଲଖୁଣ୍ଟକୁ ପ୍ରଶଂସା କରି ଯୁବ ପ୍ରୋବେସନରମାନେ ଅମଲାତନ୍ତ୍ରରେ ନେତୃତ୍ୱ ନେଇ ଏହି ଦୃଷ୍ଟିକୋଣକୁ ବାସ୍ତବରେ ପରିଣତ କରିବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ ।

ଗୋପବନ୍ଧୁ ପ୍ରଶାସନ ଏକାଡେମୀର ମହାନିର୍ଦ୍ଦେଶକ ତଥା ଓଡ଼ିଶା ରାଜସ୍ୱ ପରିଷଦର ସଦସ୍ୟ ରାଜ କୁମାର ଶର୍ମା ଯୁବ ପ୍ରୋବେସନରମାନଙ୍କୁ ‘କର୍ମବୀର’ ବୋଲି ଅଭିହିତ କରିଥିଲେ । ରୂପାନ୍ତରଣ ଜାରି ରହିଥିବା ଓଡ଼ିଶାରେ ଶାସନର ପ୍ରମୁଖ ମାଧ୍ୟମ ଭାବେ ସେମାନେ କାର୍ଯ୍ୟକରିବେ ବୋଲି ସେ ପ୍ରକାଶ କରିବା ସହ ଲୋକସେବାର ପ୍ରତୀକ ହୋଇ ରାଜ୍ୟ ତଥା ଦେଶକୁ ଗୌରବାନ୍ୱିତ କରିବେ ବୋଲି କହିଥିଲେ । ସେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ତିନୋଟି ମୂଳଦୁଆ ଉପରେ ଗୁରୁତ୍ୱାରୋପ କରି ପ୍ରଶିକ୍ଷାର୍ଥୀମାନେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ‘ତାବିଜ’(ଟାଲିସମ୍ୟାନ)ର ମହତ୍ୱକୁ ଉପଲବ୍ଧ କରି କାର୍ଯ୍ୟକ୍ଷେତ୍ରରେ ଲଗାଇବା, ୧୯୪୭ ଏପ୍ରିଲ ୨୧ ତାରିଖରେ ଆଇଏଏସ୍ ପ୍ରୋବେସନରମାନଙ୍କୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ବକ୍ତୃତାରେ ରହିଥିବା ଜାତୀୟ ସଂହତିର ମାର୍ଗ ଏବଂ ଏକ ସଫଳ ଜନସେବା ବୃତ୍ତି ଆପଣେଇବା, ‘୫-ଟି’ର ଦର୍ଶନକୁ ବୁଝି କାର୍ଯ୍ୟ କ୍ଷେତ୍ରରେ ଉପଯୋଗ କରିବା ସମ୍ପର୍କରେ ପରାମର୍ଶ ଦେଇଥିଲେ । ଓଡ଼ିଶାର ପରିବର୍ତ୍ତିତ ବିକାଶ ଧାରା ସମ୍ପର୍କରେ ତାଙ୍କର ଅଭିଜ୍ଞତା ବାଣ୍ଟି ସେ ଉଲ୍ଲେଖ କରିଥିଲେ ଯେ ୨୦୦୦ ପୂର୍ବରୁ ତୁଳନାତ୍ମକ ପଛୁଆ ଥିବା ଆମ ରାଜ୍ୟ ଏହା ଠାରୁ ଅନେକ କ୍ଷେତ୍ରରେ ଆଗେଇ ଆଜି ସୁଦ୍ଧା ଏକ ପ୍ରଗତିଶୀଳ ରାଜ୍ୟରେ ପରିଣତ ହୋଇଛି । ବିପର୍ଯ୍ୟୟ ପରିଚାଳନା, ଜଳସମ୍ପଦ, କୃଷି, ସ୍ୱାସ୍ଥ୍ୟ ସେବା, କ୍ରୀଡ଼ା ଆଦି ଅନେକ କ୍ଷେତ୍ରରେ ଓଡ଼ିଶା ଏହାର ସଫଳତାକୁ ପ୍ରମାଣିତ କରି ଉଲ୍ଲେଖନୀୟ ଅଗ୍ରଗତି କରିଛି । ଭବିଷ୍ୟତରେ ଓଡ଼ିଶାର ପ୍ରଗତିଶୀଳ ଯାତ୍ରାରେ ଯୁବ ପ୍ରୋବେସନରମାନେ ଆନ୍ତରିକତାର ସହ କାର୍ଯ୍ୟକରି ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବେ ବୋଲି ଶ୍ରୀ ଶର୍ମା ଆଶାବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଅତିରିକ୍ତ ମହାନିର୍ଦ୍ଦେଶକ ମନୀଷ ଅଗ୍ରୱାଲ ୨୦୨୦ ବ୍ୟାଚ୍ ର ପ୍ରଶିକ୍ଷଣ ପ୍ରଣାଳୀର ପ୍ରସ୍ତୁତି, ଅବଧି ଏବଂ ନକ୍ସା ସମ୍ପର୍କରେ ବିଶଦ୍ ସୂଚନା ଦେଇଥିଲେ । ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଅତିରିକ୍ତ କମିଶନର ଡଃ. ହିମାଂଶୁ ଭୂଷଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏକାଡେମୀର ଯୁଗ୍ମ ନିର୍ଦ୍ଦେଶିକା ଡଃ. ମମତାରାଣୀ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking