21.1 C
Bhubaneswar
Thursday, February 12, 2026
Homeଓଡିଶାରାଜ୍ୟ କ୍ୟାବିନେଟ୍‌ରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି; ନିଯୁକ୍ତି ପରୀକ୍ଷାରେ ହେର୍‌ଫେର୍ କଲେ ୫ ବର୍ଷ ଜେଲ୍‌

ରାଜ୍ୟ କ୍ୟାବିନେଟ୍‌ରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି; ନିଯୁକ୍ତି ପରୀକ୍ଷାରେ ହେର୍‌ଫେର୍ କଲେ ୫ ବର୍ଷ ଜେଲ୍‌

– ଆଦାୟ ହେବ ୧୦ ଲକ୍ଷ ଜୋରିମାନା
-ସେବା ପ୍ରଦାନକାରୀ ତ୍ରୁଟି କଲେ ୧ କୋଟି
-ପରୀକ୍ଷା ପରିଚାଳନାରେ ଆସିବ ସ୍ୱଚ୍ଛତା
-ଅନ୍ୟାୟର ଶିକାର ହେବେନି ମେଧାବୀ

ଭୁବନେଶ୍ୱର: ବିଭିନ୍ନ ନିଯୁକ୍ତି ଏଜେନ୍ସି ଦ୍ୱାରା କରାଯାଉଥିବା ପରୀକ୍ଷାର ଅନିୟମିତତା ବା ହେର୍‌ଫେର୍ ଆଉ କ୍ଷମଣୀୟ ନୁହେଁ। ଏଣିକି ତାହା କଲେ ଅପରାଧୀଙ୍କୁ ୩ରୁ ୫ବର୍ଷ ଜେଲ୍‌ଦଣ୍ଡ ସହ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିବ। ଏଥିପାଇଁ ରାଜ୍ୟ କ୍ୟାବିନେଟ୍ ‘ଓଡ଼ିଶା ସାବର୍ଜନୀନ ପରୀକ୍ଷା(ଅନୁଚିତ୍ ସାଧନ ନିବାରଣ) ଆଇନ-୨୦୨୪’କୁ ମଞ୍ଜୁରୀ ଦେଇଛନ୍ତି। ବୁଧବାର ସନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତାରେ ବସିଥିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ଉକ୍ତ ବୈଠକରେ ୮ଟି ପ୍ରସ୍ତାବରେ ମୋହର ଲାଗିଛି। ଏଥିରେ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗରେ ୫ଟି, ସାଧାରଣ ପ୍ରଶାସନ ବିଭାଗର ଗୋଟିଏ ଓ ଜଳସମ୍ପଦ ବିଭାଗର ଗୋଟିଏ ଓ ଅନ୍ୟଟି ସପ୍ତଦଶ ବିଧାନସଭାର ଆଗାମୀ ଦ୍ୱିତୀୟ ଅଧିବେଶନ ଅନୁଷ୍ଠିତ ହେବା ସମ୍ପର୍କିତ ପ୍ରସ୍ତାବ ଅନ୍ତର୍ଭୁକ୍ତ।

ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା ଗଣମାଧ୍ୟମକୁ କହିଛନ୍ତି ଯେ, ରାଜ୍ୟ କ୍ୟାବିନେଟ ବୈଠକରେ ନିଯୁକ୍ତି ପରୀକ୍ଷା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ଓଡ଼ିଶା ଲୋକେସବା ଆୟୋଗ(ଓପିଏସ୍‌ସି), ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ, ଓଡ଼ିଶା ସବ୍‌ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିଶନ, ସର୍ଭିସ୍ ସିଲେକ୍ସନ ବୋର୍ଡ଼, ଓଡ଼ିଶା ପୁଲିସ୍ ସିଲେକ୍ସନ ବୋର୍ଡ଼, ଓଡ଼ିଶା ଶିକ୍ଷା (ରାଜ୍ୟ ପାଇଁ ସିଲେକ୍ସନ ବୋର୍ଡ଼) ରୁଲ୍ସ-୧୯୯୨, ଓଡ଼ିଶା ଜେଇଇ ସମେତ ରାଜ୍ୟ ସରକାରଙ୍କ ଦ୍ୱାରା ନିୟୋଜିତ କିମ୍ବା ଗଠିତ ଚୟନ କମିଟି ବା ଏଜେନ୍ସି ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତି ଏଜେନ୍ସି ଦ୍ୱାରା ପରିଚାଳିତ ସମସ୍ତ ସରକାରୀ ପରୀକ୍ଷା ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ପାରଦର୍ଶୀ କରିବାକୁ ଏହି ନୂଆ ଆଇନ ଅଣାଯାଇଛି। ଏହାକୁ ଆସନ୍ତା ବିଧାନସଭା ଶୀତଅଧିବେଶନରେ ପାରିତ କରିବାରକୁ ସରକାର ଲକ୍ଷ୍ୟ ରଖିଛନ୍ତି। ତେବେ ‘ଓଡ଼ିଶା ପବ୍ଲିକ୍ ଏକ୍ସଜାମିନେସନ(ପ୍ରିଭେନ୍ସନ୍ ଅଫ୍ ଅନଫେୟାର ମିନ୍ସ) ଆକ୍ଟ-୨୦୨୪’ କାର୍ଯ୍ୟକ୍ଷମ ହେଲେ, ସରକାରୀ ଚାକିରି ପାଇଁ ଚୟନ ପରୀକ୍ଷରେ ବିଭିନ୍ନ ପ୍ରକାରର ଅନ୍ୟାୟ ଯଥା ମିଥ୍ୟା ପରିଚୟ ପ୍ରଦାନ, ନିର୍ଦ୍ଧାରିତ ସମୟ ପୂର୍ବରୁ ପରୀକ୍ଷା ସଂକ୍ରାନ୍ତ ସୂଚନା ଲିକ୍‌, ପରୀକ୍ଷା ହଲ୍ ଭିତରକୁ ଅନଧିକୃତ ପ୍ରବେଶ ଆଦି ବେଆଇନ କାର୍ଯ୍ୟରେ ରୋକ୍ ଲାଗିଯିବ। ଏହାଦ୍ୱାରା ପରୀକ୍ଷା ପରିଚାଳନାରେ ସ୍ୱଚ୍ଛତା ଆସିପାରିବ। ମେଧାବୀ ଛାତ୍ରଛାତ୍ରୀ ଆଉ ଅନ୍ୟାୟର ଶିକାର ହେବେ ନାହିଁ। ତେଣୁ ସରକାରୀ ଚାକିରି ନିଯୁକ୍ତି ପରୀକ୍ଷାରେ ଅନିୟମିତତା କଲେ ଜେଲ୍ ଓ ଜରିମାନା ଆଦାୟ ହେବ। ଦୋଷୀଙ୍କୁ ୫ ବର୍ଷ ପାଇଁ ଜେଲ୍ ସହ ୧୦ ଲକ୍ଷ ଟଙ୍କା ଜରିମାନା ଦେବାକୁ ହେବ। ସେହିପରି ଓପିଏସ୍‌ସି, ଓଏସ୍‌ଏସ୍‌ସି, ଓଏସ୍‌ଏସ୍‌ଏସ୍‌ସି ଆଦି ପରୀକ୍ଷା କରୁଥିବା ସର୍ଭିସ ପ୍ରୋଭାଇଡର ବା ସେବା ପ୍ରଦାନକାରୀ କିଛି ତ୍ରୁଟି କଲେ ୧ କୋଟି ଟଙ୍କା ଜରିମାନା ଦେବାକୁ ହେବ। ଏନେଇ ସଂଶୋଧିତ ନିୟମରେ ଅନୁମୋହନ ମିଳିଛି ବୋଲି ଶ୍ରୀ ଆହୁଜା ସ୍ପଷ୍ଟ ଭାବେ କହିଛନ୍ତି।

ମୁଖ୍ୟ ଶାସନ ସଚିବ ପୁଣି କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ହଜାର ହଜାର ପଦବୀ ଖାଲି ପଡ଼ିଛି। ଏସବୁ ପଦବୀ ପୂରଣ ପାଇଁ ସରକାର ଖସଡ଼ା ପ୍ରସ୍ତୁତ କରିଛନ୍ତି। ପର୍ଯ୍ୟାୟ କ୍ରମେ ତାହା ପୂରଣ ହେବ। ରାଜ୍ୟର ଶିକ୍ଷିତ ଯୁବକ ଯୂବତୀ ନିଯୁକ୍ତି ସୁଯୋଗ ପାଇବେ। ରାଜ୍ୟ ସରକାରଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପ ସବୁ ଆଶାୟୀଙ୍କ ମଧ୍ୟରେ ଖୁସି ଆଣିଛି ବୋଲି ଶ୍ରୀ ଆହୁଜା ସ୍ପଷ୍ଟ କରିଛନ୍ତି। ତେବେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ମୁଖ୍ୟ ଶାସନ ଶ୍ରୀ ଆହୁୂଜାଙ୍କ ସହ ବିଭିନ୍ନ ବିାଭାଗର ସଚିବମାନେ ଉପସ୍ଥିତ ଥିଲେ।

‘ଗୋମାତା ଯୋଜନା’କୁ ମଞ୍ଜୁରୀ; ୩ ବର୍ଷରେ ବ୍ୟୟ ହେବ ୩୪୨.୬୫ କୋଟି
ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ବୈଠକରେ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ମୋଟ୍ ୫ଟି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ନିଜସ୍ୱ ଓ ଗୁରୁତ୍ୱପୂର୍ଣ୍ଣ ନୂଆ ରାଜ୍ୟ ଯୋଜନା ‘ଗୋମାତା ଯୋଜନା’କୁ ମଞ୍ଜୁରୀ ମିଳିଛି। ଏଣିିକି ପ୍ରାଣୀମାନଙ୍କ ପାଇଁ ଟିକା ଉତ୍ପାଦନ, ଭ୍ରାମ୍ୟମାଣ ଚିକିତ୍ସା ସେବା ଉପଲବ୍ଧ କରିବେ ସରକାର। ‘ଗୋମାତା’ରେ ୩ ବର୍ଷରେ ବ୍ୟୟ ହେବ ୩୪୨.୬୫ କୋଟି ଟଙ୍କା। ୨୦୨୪-୨୫ରୁ ୨୦୨୬-୨୭ ମସିହା ପର୍ଯ୍ୟନ୍ତ ୩ବର୍ଷ ପାଇଁ ଏହି ଯୋଜନାରେ ମୋଟ ୩୪୨.୬୫କୋଟି ଟଙ୍କା ବ୍ୟୟବରାଦ ରହିଛି । ଏହି ଯୋଜନାରେ ରାଜ୍ୟ ଚାଷୀମାନଙ୍କୁ ପ୍ରାଣୀ ଚିକିତ୍ସାଳୟ, ପ୍ରାଣୀଧନ ସହାୟତା କେନ୍ଦ୍ର ଓ ଭ୍ରାମ୍ୟମାଣ ପ୍ରାଣୀଚିକିତ୍ସା ସେବା ମାଧ୍ୟମରେ ଚିକିତ୍ସା, ଟୀକାକରଣ, ରୋଗ ନିୟନ୍ତ୍ରଣ ଆଦି ସେବା ଯୋଗାଇ ଦିଆଯିବ । ଏହି ଯୋଜନାରେ ବାର୍ଷିକ ଅଢ଼େଇ କୋଟି ଟୀକାକରଣ ଓ ବାର୍ଷିକ ୧.୩୦କୋଟି ପ୍ରାଣୀଧନର ଚିକିତ୍ସା କରାଯାଇପାରିବ ।

ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା ଅନ୍ତର୍ଗତ ‘କୁକୁଟ୍ଟ ଉନ୍ନୟନ’ ଉପଯୋଜନାରେ ୫ ବର୍ଷରେ ବ୍ୟୟ ହେବ ୧୦୩୧.୧୯ କୋଟି ଟଙ୍କା। ଏହାକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି। ଏହି ଯୋଜନାରେ ବାର୍ଷିକ ଅଢ଼େଇ କୋଟି ଟିକାକରଣ ଓ ବାର୍ଷିକ ୧.୩୦କୋଟି ପ୍ରାଣୀଧନର ଚିକିତ୍ସା କରାଯାଇପାରିବ। ସେହିପରି ‘ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା’ ଅନ୍ତର୍ଗତ ୧୭ଟି ଉପଯୋଜନାରେ ୨୨୩୯ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ୨୦୨୪-୨୫ରୁ ୨୦୨୮-୨୯ ମଧ୍ୟରେ ଏହି ଅର୍ଥ ଖର୍ଚ୍ଚ ହେବ। ଏହି ଯୋଜନା ଦ୍ୱାରା ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ସହ ରପ୍ତାନୀ ବୃଦ୍ଧି ମାଧ୍ୟମରେ ମତ୍ସ୍ୟଜୀବୀଙ୍କ ଆୟ ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି । ଆଗାମୀ ୫ବର୍ଷରେ ଯୋଜନାରେ ୬,୬୭,୫୦୦ ମତ୍ସ୍ୟଜୀବୀ ଓ ୭,୩୨,୫୦୦ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ (ଏସ୍‌ଏଚଜି)ଙ୍କ ସମେତ ମୋଟ୍ ୧୪ ଲକ୍ଷ ମତ୍ସ୍ୟଜୀବୀ ଉପକୃତ ହେବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking