ନୂଆଦିଲ୍ଲୀ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିବଂଗତ କର୍ପୁରୀ ଠାକୁରଙ୍କୁ ମରଣୋତ୍ତର ଭାବେ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବ । ଏସମ୍ପର୍କରେ ଭାରତ ସରକାରଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି । ତେବେ କର୍ପୁରୀ ଠାକୁରଙ୍କୁ ଏପରି ଏକ ସମୟରେ ଭାରତ ରତ୍ନ ପ୍ରଦାନ କରାଯାଉଛି ଯେତେବେଳେ ଆଗକୁ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ରାଜ୍ୟ ରାଜନୀତି ସମୀକରଣରେ ମଧ୍ୟ ପରିବର୍ତ୍ତନର ଆଶଙ୍କା କରାଯାଉଛି ।
ରାଜ୍ୟର ପଛୁଆ ବର୍ଗର ବ୍ୟକ୍ତିବିଶେଷଙ୍କ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିବା ମହାନ ବ୍ୟକ୍ତିତ୍ୱ ଥିଲେ କର୍ପୁରୀ ଠାକୁର । ୨୪ ଜାନୁଆରୀ ୧୯୨୪ରେ ଜନ୍ମଗ୍ରହଣ କରିଥିବା କର୍ପୁରୀ ଠାକୁର ୧୭ ଫେବ୍ରୁଆରୀ ୧୯୮୮ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ପ୍ରତ୍ୟେକ ବର୍ଷ ଜାନୁଆରୀ ୨୪ରେ ତାଙ୍କ ଜୟନ୍ତୀ ପାଳନ କରାଯାଇଆସୁଛି । ଆସନ୍ତା କାଲି ଅର୍ଥାତ୍ ବୁଧବାର ତାଙ୍କର ୧୦୦ ତମ ଜୟନ୍ତୀ ପାଳନ କରାଯିବ । ୨୨ ଡିସେମ୍ବର ୧୯୭୦ରୁ ୨ ଜୁନ୍ ୧୯୭୧ ପର୍ଯ୍ୟନ୍ତ ଏବଂ ପରେ ୨୪ ଜୁନ୍ ୧୯୭୭ରୁ ୨୧ ଏପ୍ରିଲ୍ ୧୯୭୯ ପର୍ଯ୍ୟନ୍ତ ସେ ବିହାରର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ ।
ସେସମୟରେ ବିହାରର ପ୍ରଥମ ଅଣକଂଗ୍ରେସୀ ମୁଖ୍ୟମନ୍ତ୍ରୀ ହେବାର ଏକ ବିରଳ କୃତୀତ୍ୱ ମଧ୍ୟ କର୍ପୁରୀ ଠାକୁରଙ୍କ ନାମରେ ରହିଛି । ୧୯୫୨ରେ ସେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନରେ ବିଜୟ ଲାଭ କରିଥିଲେ । ୧୯୬୭ରେ କର୍ପୁରୀ ଠାକୁର ବିହାରର ଉପମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ । ଏହି ସମୟରେ ବିହାରରେ ଇଂରାଜୀ ଭାଷାକୁ ବାଧ୍ୟତାମୂଳକ କରାଯିବା ପ୍ରକ୍ରିୟାକୁ ସେ ଶେଷ କରିଥିଲେ । ନିଜ ଜୀବନ କାଳ ମଧ୍ୟରେ ସେ ନେଇଥିବା ଅପ୍ରତୀମ ନିଷ୍ପତ୍ତି ତାଙ୍କୁ ଜନନାୟକ ଭାବେ ବିହାର ସମେତ ସମଗ୍ର ଦେଶରେ ପ୍ରତିଷ୍ଠିତ କରାଇଥିଲା ।
ସେସମୟରେ ଦେଶର ପ୍ରଚଳିତ ସାମାଜିକ ବ୍ୟବସ୍ଥାରେ ପରିବର୍ତ୍ତନ କରାଯିବାର ଆବଶ୍ୟକତା ରହିଥିବା ନେଇ ଯେଉଁ କେତେଜଣ ଚିନ୍ତା କରୁଥିଲେ ସେମାନଙ୍କ ମଧ୍ୟରେ କର୍ପୁରୀ ଠାକୁର ଅନ୍ୟତମ ଥିଲେ । ଜେପି ଲୋହିୟା ଏବଂ ଆଚାର୍ଯ୍ୟ ନରେନ୍ଦ୍ର ଦେବଙ୍କ ଭଳି ଜନନାୟକଙ୍କୁ କର୍ପୁରୀ ଠାକୁର ନିଜ ଆଦର୍ଶ ଭାବେ ଗ୍ରହଣ କରିଥିଲେ । ଯେତେବେଳେ ୧୯୭୦ରେ ସେ ବିହାର ପ୍ରଦେଶର ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ସେତେବେଳେ ସେ ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଥିଲେ । ସ୍କୁଲ ଶିକ୍ଷା ବ୍ୟବସ୍ଥାରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସେ ମାଗଣା ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରିଥିଲେ । ସେହିପରି ୫ ଏକର ଜମି ଧାରକଙ୍କୁ ଟିକସ ମୁକ୍ତ କରିଥିଲେ କର୍ପୁରୀ ଠାକୁର ।
ନିଜ ୨/୩ ବର୍ଷର ମୁଖ୍ୟମନ୍ତ୍ରୀତ୍ୱ କାଳରେ କର୍ପୁରୀ ଠାକୁର ଅନେକ ନିଷ୍ପତ୍ତି ନେଇଥିଲେ ଯାହାକି ସେତେବେଳେ ଯୁଗାନ୍ତକାରୀ ନିଷ୍ପତ୍ତି ସାବ୍ୟସ୍ତ ହୋଇଥିଲା । ଦେଶରେ ପ୍ରଥମଥର ପାଇଁ ସେ ଓବିସିକୁ ସଂରକ୍ଷଣ ବର୍ଗରେ ସାମିଲ କରିଥିଲେ । ୧୯୭୭ରେ ସେ ମୁଙ୍ଗେରିଲାଲ କମିଶନ ଲାଗୁ କରିଥିଲେ, ଯାହାଦ୍ୱାରା ପଛୁଆ ବର୍ଗର ଆଶାୟୀଙ୍କୁ ସରକାରୀ ନିଯୁକ୍ତିରେ ସଂରକ୍ଷଣ ମିଳିବା ଆରମ୍ଭ ହୋଇଥିଲା ।
ନିଜ ରାଜ୍ୟରେ ସ୍କୁଲ ଶିକ୍ଷା (୧୦ମ ଶ୍ରେଣୀ ପର୍ଯ୍ୟନ୍ତ)କୁ ସମ୍ପୂର୍ଣ୍ଣ ମାଗଣା କରିବାରେ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ସାଜିଥିଲେ କର୍ପୁରୀ ଠାକୁର । ସେ ବିହାରରେ ଊର୍ଦ୍ଦୁ ଭାଷାକୁ ୨ୟ ଭାଷାର ମାନ୍ୟତା ପ୍ରଦାନ କରିଥିଲେ ଏବଂ ଇଂରାଜୀ ଭାଷାର ବାଧ୍ୟତାମୂଳକ ବ୍ୟବହାରକୁ ଶେଷ କରିଥିଲେ । ଆର୍ଥିକସ୍ତରରେ ଅନଗ୍ରସର ମହିଳାଙ୍କ ପାଇଁ ସେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଥିଲେ । ନିଜ ଜୀବନକାଳରେ ସମ୍ପୂର୍ଣ୍ଣ ସରଳ ଓ ନିରାଡମ୍ବର ଜୀବନଯାପନ କରିଥିବା କର୍ପୁରୀ ଠାକୁର ସଚ୍ଚୋଟତାର ପ୍ରତୀକ ଥିଲେ ।