ନୂଆଦିଲ୍ଲୀ: ଋଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ସପ୍ତମ ଦିନରେ ଭାରତୀୟ ଦୂତାବାସ ଏକ ନୂତନ ପରାମର୍ଶ ଜାରି କରିଛନ୍ତିି । ସୂଚନା ଅନୁଯାୟୀ, ଖାର୍କିବରେ ଉପସ୍ଥିତ ଥିବା ସମସ୍ତ ଭାରତୀୟ ନିଜ ସୁରକ୍ଷା ପାଇଁ ତୁରନ୍ତ ଖାର୍କିଭ ସହର ଛାଡନ୍ତୁ । ଗାଡ଼ି ବା ଟ୍ରେନ ନମିଳିଲେ ଅପେକ୍ଷା ନକରି ତୁରନ୍ତ ଚାଲି ଚାଲି ସୀମାରେ ପହଞ୍ଚନ୍ତୁ ବୋଲି କହିଛି ଭାରତୀୟ ଦୂତାବାସ । ସବୁଠାରୁ ବଡ଼ କଥା ହେଲା ପରାମର୍ଶ ଜାରି ହେବା ପରେ ପରେ ଖାର୍କିଭ ଉପରେ କ୍ରୁଜ୍ କ୍ଷେପଣାସ୍ତ୍ର ପକାଇଛି ଋଷ । କ୍ରୁଜ୍ କ୍ଷେପଣାସ୍ତ୍ର ପକାଇବା ପରେ ଏବେ ସେଠାରେ ଥିବା ଭାରତୀୟଙ୍କ ଚିନ୍ତା ବଢ଼ିଛି । ତେବେ ଭାରତୀୟ ଦୂତାବାସ ଜାରି କରିିଥିବା ନୂତନ ପରାମର୍ଶ ଅନୁଯାୟୀ, ନିଜ ସୁରକ୍ଷା ପାଇଁ ତୁରନ୍ତ ଖାର୍କିଭ ଛାଡିବାକୁ ପଡିବ । ଯଥା ଶୀଘ୍ର ସମ୍ଭବ ପେସୋଚିନ୍, ବାବାଏ ଏବଂ ବେଜାଇଲିଉଡୋଭ୍କାକୁ ଚାଲିଯାଆନ୍ତୁ । ଭାରତୀୟ ଦୂତାବାସ ଖାର୍କିଭରେ ଥିବା ସମସ୍ତ ନାଗରିକଙ୍କ ପାଇଁ ସହରରୁ କିପରି ବାହାରକୁ ଯାଇ ହେବ ସେନେଇ ଦ୍ୱିତୀୟ ପରାମର୍ଶଦାତା ମଧ୍ୟ ଜାରି କରିଛି । ଦ୍ୱିତୀୟ ପରାମର୍ଶରେ ଗାଡ଼ି ନମିଳିଲେ ଚାଲି ଚାଲି ପେସୋଚିନ୍, ବାବାଏ ଏବଂ ବେଜାଇଲିଉଡୋଭ୍କାରେ ପହଞ୍ଚିବାକୁ କୁହାଯାଇଛି । ଯେଉଁମାନେ ରେଳଷ୍ଟେସରେ ଅଛନ୍ତି ସେମାନେ ୧୧କିଲୋମିଟର ଚାଲିଚାଲି ପେସୋଚିନକୁ ଯାଇପାରିବା ସହ ୧୨କିଲୋମିଟର ଚାଲି ଚାଲି ବାବାଏ ଏବଂ ୧୬କିଲୋମିଟର ଚାଲିଚାଲି ବେଜାଇଲିଉଡୋଭ୍କାରେ ପହଞ୍ଚିପାରିବେ ବୋଲି କହିଛି ଦୂତାବାସ ।