ନୂଆଦିଲ୍ଲୀ : ବିବାଦରେ ଥିବା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ଡାକ୍ତର ସନ୍ଦୀପ ଘୋଷଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଇଣ୍ଡିଆନ ମେଡିକାଲ ଆସୋସିଏସ ବା ଆଇଏମଏ । ଆଜି ଆଇଏଏମ ତାଙ୍କ ସଦସ୍ୟତାକୁ ରଦ୍ଦ କରି ଦେଇଛି । ତାଙ୍କୁ ଆସୋସିଏସନ ନିଲମ୍ବିତ କରିଛି ।
ଅଗଷ୍ଟ ୯ରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ସେମିନାର ରୁମରୁ ଜଣେ ମହିଳା ଡାକ୍ତରଙ୍କ କ୍ଷତାକ୍ତ ମୃତଦେହ ମିଳିଥିଲା । ଏହାକୁ ନେଇ ସାରା ଦେଶରେ ତମ୍ଭିତୋଫାନ ଦେଖିବାକୁ ମିଳିଛି । ଏହି ଘଟଣାରେ ସିବିଆଇ ସନ୍ଦୀପ ଘୋଷଙ୍କୁ ଘନଘନ ଜେରା କରିବା ସହ ସୋମବାର ତାଙ୍କର ମିଛ ଧରା ପରୀକ୍ଷା ହୋଇଥିଲା । ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ପରିଚାଳନା କରିବାରେ ସେ ଅବହେଳା କରିଥିବା ଅଭିଯୋଗ ହୋଇଛି । ଏଥିସହ ତାଙ୍କ ନାଁରେ ଆର୍ôଥକ ଅନିୟମିତତାର ଅଭିଯୋଗ ମଧ୍ୟ ଆସିଛି ।
ବୁଧବାର ଆଇଏମଏ ଗୋଟିଏ ବିବୃତିରେ କହିଛି ଯେ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ଡାକ୍ତରଙ୍କ ପରିବାର ଲୋକ ଡାକ୍ତର ସନ୍ଦୀପ ଘୋଷଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ । ସନ୍ଦୀପ ଘୋଷ ଠିକ ଭାବେ ମାମଲାକୁ ପରିଚାଳନା କରି ନଥିଲେ । ଠିକ ସମୟରେ ଏପରି ଏକ ସମ୍ବେଦନଶୀଳ ଘଟଣାକୁ ସେ ନଜର ଅନ୍ଦାଜ କରିଥିଲେ ।










