ଭୁବନେଶ୍ୱର : ସମ୍ଭାବ୍ୟ ଶିଶୁ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୩ ହଜାର ବେଡ଼ ବ୍ୟବସ୍ଥା କରାଯାଇଛି । ତାଛଡ଼ା ଆହୁରି ବେଡ଼ ସଂଖ୍ୟା ବଢାଇବାକୁ ପ୍ରୟାସ ଜାରି ରହିଛି ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି । ଯଦି ଆବଶ୍ୟକ ହୁଏ ସ୍ବତନ୍ତ୍ର ଶିଶୁ କୋଭିଡ୍ ହସ୍ପିଟାଲ କରାଯିବ ।
ଅଡିଟେଡ଼ ମୃତ୍ୟୁ ନେଇ କହିଛନ୍ତି ଯେ, ସେତେବେଳେ ଥିବା ତଥ୍ୟ ଆଧାରରେ ମୃତ୍ୟୁ ଅଡିଟ୍ ୧୫ ଦିନରେ ସରିବ । ଏବେ ଯାଏଁ ମହାମାରୀ ସରିନି । ଏ ମଧ୍ୟରେ ବି ପୁରୁଣା ମୃତ୍ୟୁ ତଥ୍ୟ ଆସୁଛି । ମହାମାରୀ ସରିଲା ବେଳକୁ ସମ୍ପୂର୍ଣ୍ଣ ତଥ୍ୟ ଜଣାପଡ଼ିବ ବୋଲି ଡିଏମଇଟି କହିଛନ୍ତି ।
ଅନ୍ୟପଟେ , ସେପ୍ଟେମ୍ବର ସୁଦ୍ଧା ଭାରତରେ ଶିଶୁଙ୍କ ପାଇଁ କୋଭିଡ୍ ଟିକା ଉପଲବ୍ଧ ହେବ ବୋଲି ଆଇସିଏମ୍ଆର ଅଧୀନସ୍ଥ ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ନିର୍ଦ୍ଦେଶକ ଡାଃ ପ୍ରିୟା ଆବ୍ରାହମ ସୂଚନା ଦେଇଛନ୍ତି । ବର୍ତ୍ତମାନ ୨ରୁ ୧୮ ବର୍ଷ ବୟସ୍କ ଶିଶୁଙ୍କ ନିମନ୍ତେ ଉଦ୍ଦିଷ୍ଟ କୋଭାକ୍ସିନ୍ ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି । ତେଣୁ ଆଗାମୀ ଦିନରେ ଏହାର ଫଳାଫଳ ଜଣାପଡିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ବର୍ତ୍ତମାନ ଭାରତରେ ପ୍ରଦାନ କରାଯାଉଥିବା ତିନିଟି କୋଭିଡ୍ ଟିକା ମଧ୍ୟରୁ କୋଭାକ୍ସିନ ଅନ୍ୟତମ । ଆଇସିଏମଆର୍ର ମିଳିତ ସହଯୋଗରେ ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ୍ କମ୍ପାନୀ ଏହି ଟିକା ପ୍ରସ୍ତୁତ କରୁଛି । ଅନ୍ୟ ଦୁଇଟି ଟିକା ହେଲା ପୁଣେସ୍ଥିତ ସେରମ ଇନ୍ଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଓ ରୁଷ ନିର୍ମିତ ସ୍ପୁଟ୍ନିକ୍-୫ ।