18.1 C
Bhubaneswar
Saturday, November 23, 2024
Homeଖେଳଆଇସିସି ମହିଳା ଟି-୨୦ ବିଶ୍ୱକପ୍‌; ଆଜି ଅଷ୍ଟ୍ରେଲିଆ-ସାଉଥ୍ ଆଫ୍ରିକା ଫାଇନାଲ୍‌

ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌; ଆଜି ଅଷ୍ଟ୍ରେଲିଆ-ସାଉଥ୍ ଆଫ୍ରିକା ଫାଇନାଲ୍‌

କେପ୍‌ଟାଉନ: ଚଳିତ ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌ର ଅଷ୍ଟମ ସଂସ୍କରଣର ଫାଇନାଲ୍ ମ୍ୟାଚ୍ ରବିବାର ଏଠାକାର ନ୍ୟୁଲାଣ୍ଡ୍‌ସ ଷ୍ଟାଡିୟମ୍‌ଠାରେ ଖେଳାଯିବ । ଏଥିରେ ଆୟୋଜକ ସାଉଥ୍ ଆଫ୍ରିକା ଓ ୫ ଥରର ଚାମ୍ପିଅନ୍ ଟିମ୍ ଅଷ୍ଟ୍ରେଲିଆ ମଧ୍ୟରେ ଟାଇଟଲ୍ ପାଇଁ ଲଢ଼େଇ ହେବ । ଗୋଟିଏ ପଟେ ଅଷ୍ଟ୍ରେଲିଆ ୭ ଥର ଫାଇନାଲ୍‌ରେ ପହଞ୍ଚିଥିବା ବେଳେ ଅନ୍ୟପକ୍ଷରେ ସାଉଥ୍ ଆଫ୍ରିକା ପ୍ରଥମ ଥର ପାଇଁ ଟାଇଟଲ୍ ମୁକାବିଲାରେ ଅବତୀର୍ଣ୍ଣ ହେବାକୁ ଯାଉଛି । ତେଣୁ ଫାଇନାଲ୍‌ରେ ଚାମ୍ପିଅନ୍ ହୋଇ ଐତିହାସିକ ସଫଳତା ଧାରାକୁ କାଏମ ରଖିବା ସକାଶେ ସାଉଥ୍ ଆଫ୍ରିକାକୁ ଯଥେଷ୍ଟ ପରିଶ୍ରମ କରିବାକୁ ପଡ଼ିବ । ଦଳ ଦିନକ ତଳେ ସେମିଫାଇନାଲ୍‌ରେ ଶକ୍ତିଶାଳୀ ଇଂଲଣ୍ଡକୁ ହରାଇବା ପରେ ଏହାର ମନୋବଳ ବହୁଗୁଣିତ ହୋଇଛି, ଯାହାକି ଫାଇନାଲ୍ ମୁକାବିଲାରେ ଦଳକୁ ମାନସିକ ଦୃଢ଼ତା ପ୍ରଦାନ କରିବ ।

ଏହା ମାଧ୍ୟମରେ ସୁନ୍ ଲୁସ୍‌ଙ୍କ ନେତୃତ୍ୱାଧୀନ ସାଉଥ୍ ଆଫ୍ରିକା ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆର ବିଜୟ ଧାରାରେ ବ୍ରେକ୍ ଲଗାଇବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ । ଦଳ ଗତ ବର୍ଷକ ମଧ୍ୟରେ ନିଜର ପ୍ରଦର୍ଶନରେ ଯଥେଷ୍ଟ ସୁଧାର ଆଣିବାରେ ସକ୍ଷମ ହୋଇଛି । ଦଳ ଗତ ବର୍ଷ ଆଇସିସି ଦିନିକିଆ ବିଶ୍ୱକପ୍ ସେମିଫାଇନାଲ୍‌ରେ ପହଞ୍ଚିଥିବା ବେଳେ ଏବେ ଟି-୨୦ ବିଶ୍ୱକପ୍ ଫାଇନାଲ୍‌ରେ ଅବତୀର୍ଣ୍ଣ ହୋଇ ଏହାର ଉନ୍ନତ ପ୍ରଦର୍ଶନ ଧାରାକୁ ଜାରି ରଖିପାରିଛି । ଇଂଲଣ୍ଡ ବିପକ୍ଷ ସେମିଫାଇନାଲ୍‌ରେ ଓପନର ଲୌରା ଉଲ୍‌ଭାର୍ଟ ଓ ତାଜମିନ୍ ବ୍ରିଟ୍ସ ଦଳକୁ ଦମ୍‌ଦାର ପ୍ରାରମ୍ଭ ଦେବା ଫଳରେ ପରବର୍ତ୍ତୀ ସମୟରେ ଏହା ମ୍ୟାଚ୍‌ର ଟର୍ଣ୍ଣିଂ ପଏଣ୍ଟ୍ ସାବ୍ୟସ୍ତ ହୋଇଥିଲା । ଏହି ଯୋଡ଼ି ଚଳିତ ବିଶ୍ୱକପ୍‌ରେ ଅନ୍ୟତମ ସଫଳ ଓପନିଂ ଯୋଡ଼ି ସାବ୍ୟସ୍ତ ହୋଇପାରିଛି । ତେଣୁ ଫାଇନାଲ୍‌ରେ ସେମାନଙ୍କ ପ୍ରଦର୍ଶନ ସାଉଥ୍ ଆଫ୍ରିକାର ଭାଗ୍ୟ ନିର୍ଦ୍ଧାରଣ କରିବା ନିଶ୍ଚିତ ।

ଏହି ଦୁଇ ଖେଳାଳିଙ୍କ ବ୍ୟତୀତ ସାଉଥ୍ ଆଫ୍ରିକା ପାଇଁ ଫାଇନାଲ୍‌ରେ ଅଲ୍‌ରାଉଣ୍ଡର୍ ମାରିଜେନ୍ କାପ୍ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । କାରଣ ସେ ସେମିଫାଇନାଲ୍‌ରେ ଧୂଆଁଧାର ଇନିଂସ ଖେଳି ଦଳୀୟ ସ୍କୋର୍‌କୁ ଦୃଢ଼ତା ପ୍ରଦାନ କରିଥିଲେ । ସେହିପରି ଲୁସ୍‌ଙ୍କ ପାଖରେ ବିଶ୍ୱର ଶ୍ରେଷ୍ଠ ବୋଲିଂ ବାହିନୀ ମହଜୁଦ ରହିଥିବା ତାଙ୍କର ବିଶ୍ୱାସ । ଦଳର ଦୁଇ ପ୍ରମୁଖ ପେସର୍ ଶବନିମ୍ ଇସମାଇଲ୍ ଓ ଆୟାବୋଙ୍ଗା ଖାକା ଇଂଲଣ୍ଡର ୭ ଜଣ ବ୍ୟାଟ୍ସଓମ୍ୟାନ୍‌ଙ୍କୁ ଆଉଟ୍ କରି ଦଳର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଦେଇଥିଲେ । ତା’ଛଡ଼ା ଦଳକୁ ଘରୋଇ ଦର୍ଶକଙ୍କ ସମର୍ଥନ ମଧ୍ୟ ମିଳିବ ।

ଅନ୍ୟପକ୍ଷରେ ବିଶ୍ୱକପ୍ ଇତିହାସରେ ନିଦ୍ୱର୍ନ୍ଦ୍ୱରେ ଶ୍ରେଷ୍ଠ ଟିମ୍‌ର ମାନ୍ୟତା ପାଇଥିବା ଅଷ୍ଟ୍ରେଲିଆ ଫାଇନାଲ୍‌ରେ ତା’ର ଦବ୍‌ଦବା କାଏମ ରଖିବାକୁ ଉଦ୍ୟମ କରିବ । ଦଳ ପ୍ରତିଟି ବିଭାଗରେ ପ୍ରତିଦ୍ୱନ୍ଦ୍ୱୀ ଟିମ୍‌କୁ ପଛରେ ପକାଇବାର ସାମର୍ଥ୍ୟ ରଖେ । ଏହି କାରଣରୁ ଅଷ୍ଟ୍ରେଲିଆ ପାଇଁ କୌଣସି ଟାର୍ଗେଟ୍ ଅପହଞ୍ଚ ନୁହେଁ । ଗତ ଭାରତ ବିପକ୍ଷ ପ୍ରଥମ ସେମିଫାଇନାଲ୍‌ରେ ମେଗ୍ ଲାନିଙ୍ଗ୍‌ଙ୍କ ଦଳ ଏହା ପ୍ରମାଣିତ କରିସାରିଛି । ଉକ୍ତ ମ୍ୟାଚ୍‌ରେ ଭାରତ ଅନ୍ତିମ ୫ ଓଭର୍‌ରେ ବିଜୟ ପାଇଁ ୩୯ ରନ୍ ଆବଶ୍ୟକ କରୁଥିବା ବେଳେ ପିଚ୍‌ରେ ଦୁଇ ବ୍ୟାଟ୍ସଓମ୍ୟାନ୍ ଜେମିମା ରଡରିଗ୍ସ ଓ ଅଧିନାୟିକା ହରମନ୍‌ପ୍ରୀତ୍ କୌର୍ ବେଶ୍ ଜମିଯାଇଥିଲେ । କିନ୍ତୁ ଅଷ୍ଟ୍ରେଲୀୟ ବୋଲର୍ ଓ ଫିଲ୍‌ଡର୍‌ମାନେ ସେମାନଙ୍କ ଶତପ୍ରତିଶତ ପ୍ରଦର୍ଶନ ମାଧ୍ୟମରେ ଭାରତକୁ ବ୍ୟାକ୍‌ଫୁଟ୍‌କୁ ଠେଲିଦେବାରେ ସକ୍ଷମ ହୋଇଥିଲେ ।

ଲାନିଙ୍ଗ୍‌ଙ୍କ ନେତୃତ୍ୱାଧୀନ ଅଷ୍ଟ୍ରେଲିଆ କଷ୍ଟସାଧ୍ୟ ମୁହୂର୍ତ୍ତରେ ବି ବିଜୟ ପଥ ଖୋଜିବାରେ ସକ୍ଷମ ହୋଇପାରୁଥିବା ଅତୀତରେ ଏକାଧିକ ବାର ପ୍ରମାଣିତ କରିସାରିଛି ଓ ରବିବାର ମ୍ୟାଚ୍‌ରେ ଦଳ ପୁଣିଥରେ ଏହା ପ୍ରମାଣିତ କଲେ, ସାଉଥ୍ ଆଫ୍ରିକାକୁ ନିରାଶ ହେବାକୁ ପଡ଼ିବ ।
ସମ୍ଭାବ୍ୟ ସାଉଥ୍ ଆଫ୍ରିକା ଏକାଦଶ: ତାଜମିନ୍ ବ୍ରିଟ୍ସ, ଲୌରା ଉଲ୍‌ଭାର୍ଟ, ମାରିଜେନ୍ କାପ୍‌, ସୁନ୍ ଲୁସ୍ (ଅଧିନାୟିକା), କ୍ଲୋଏ ଟ୍ରାୟନ୍‌, ଆନେକ୍ ବୋସ୍କ, ନାଡିନ୍ ଡି କ୍ଲର୍କ, ସିନାଲୋ ଜାଫ୍‌ଟା (ୱିକେଟ୍‌କିପର୍‌), ଶବନିମ୍ ଇସମାଇଲ୍‌, ଆୟାବୋଙ୍ଗା ଖାକା ଓ ନୋନ୍‌କୁଲୁଲେକୋ ଏମ୍‌ଲାବା ।

ସମ୍ଭାବ୍ୟ ଅଷ୍ଟ୍ରେଲୀୟ ଏକାଦଶ: ଆଲିସା ହିଲି (ୱିକେଟ୍‌କିପର୍‌), ବେଥ୍ ମୁନୀ, ମେଗ୍ ଲାନିଙ୍ଗ୍ (ଅଧିନାୟିକା), ଆଶ୍‌ଲୀ ଗାର୍ଡନର୍‌, ଏଲିସ୍ ପେରୀ, ତହଲିଆ ମ୍ୟାକ୍‌ଗ୍ରାଥ୍‌, ଗ୍ରେସ୍ ହ୍ୟାରିସ୍‌, ଜର୍ଜିଆ ୱେୟାର୍‌ହାମ୍‌, ଜେସ୍ ଜୋନାସନ୍‌, ମେଗାନ୍ ସ୍କଟ୍ ଓ ଡାର୍ସି ବ୍ରାଉନ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking