ଅପରାହ୍ଣରେ ଭାରତ ୧ ନମ୍ବର, ସନ୍ଧ୍ୟାରେ ଅଷ୍ଟ୍ରେଲିଆ; ଦ୍ୱିତୀୟ ସ୍ଥାନରେ ଅଶ୍ୱିନ୍, ୧୬କୁ ଉଠିଲେ ଜାଡେଜା
ଦୁବାଇ: ବୁଧବାର ଆଇସିସି ପକ୍ଷରୁ ସଦ୍ୟ ଟେଷ୍ଟ୍ ର୍ୟାଙ୍କିଙ୍ଗ୍ ଘୋଷଣା କରାଯାଇଥିବା ବେଳେ ଏଥିରେ ଟିମ୍ ଇଣ୍ଡିଆ ଦ୍ୱିତୀୟ ସ୍ଥାନରେ କାଏମ ରହିଛି । ତେବେ ବୁଧବାର ଅପରାହ୍ଣରେ ଆଇସିସି ଭାରତକୁ ଏକ ନମ୍ବର ସ୍ଥାନ ଦେବା ଫଳରେ ଭାରତ ପ୍ରଥମ ଥର ପାଇଁ ତିନିଟିଯାକ ଫର୍ମାଟ୍ରେ ଏକ ନମ୍ବରରେ ରହିଥିଲା । ଆଇସିସି ଅଫିସିଆଲ୍ ୱେବ୍ସାଇଟ୍ରେ ଟିମ୍ ଇଣ୍ଡିଆକୁ ୧୧୫ ର୍ୟାଙ୍କିଙ୍ଗ ପଏଣ୍ଟ୍ ସହ ଶୀର୍ଷ ସ୍ଥାନରେ ରହିଥିବା ଦେଖିବାକୁ ମିଳିଥିଲା । ସେହିପରି ୧୧୧ ପଏଣ୍ଟ୍ ସହ ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନକୁ ଖସିଯାଇଥିଲା । କିନ୍ତୁ ସନ୍ଧ୍ୟା ୭ଟା ବେଳେ ଅଫିସିଆଲ୍ ୱେବ୍ସାଇଟ୍ରେ ଆଇସିସି ପକ୍ଷରୁ ଏହି ତାଲିକାରେ ସଂଶୋଧନ କରାଯାଇଥିଲା ।
ଏହି ସଂଶୋଧନ କ୍ରମେ ଟିମ୍ ଇଣ୍ଡିଆ ୧୧୫ ପଏଣ୍ଟ୍ ସହ ଦ୍ୱିତୀୟ ସ୍ଥାନକୁ ଖସିଯାଇଥିବା ବେଳେ ୧୨୬ ପଏଣ୍ଟ୍ ସହ ଅଷ୍ଟ୍ରେଲିଆ ଶୀର୍ଷକୁ ଉଠିଥିଲା । ତେଣୁ ର୍ୟାଙ୍କିଙ୍ଗ୍ରେ ଟିମ୍ ଇଣ୍ଡିଆ ଓ ଅଷ୍ଟ୍ରେଲିଆର ସ୍ଥାନ ନେଇ ଯଥେଷ୍ଟ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ଚଳିତ ବର୍ଡର୍-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ୍ରେ ଟିମ୍ ଇଣ୍ଡିଆ ବିଶାଳ ବ୍ୟବଧାନରେ ବିଜୟୀ ହୋଇଥିବା ବେଳେ ଆସନ୍ତା ଶୁକ୍ରବାରଠାରୁ ଆରମ୍ଭ ହେଉଥିବା ଦ୍ୱିତୀୟ ମ୍ୟାଚ୍ ଜିତି ଶୀର୍ଷ ସ୍ଥାନ ହାସଲ ପାଇଁ ଉଦ୍ୟମ କରିବ । ଏହାଛଡ଼ା କ୍ରମାଗତ ଦ୍ୱିତୀୟ ବିଜୟ ଦଳକୁ କ୍ରମାଗତ ଦ୍ୱିତୀୟ ଥର ପାଇଁ ୱାର୍ଲ୍ଡ ଟେଷ୍ଟ୍ ଚାମ୍ପିଅନ୍ଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ୍ରେ ପହଞ୍ଚିବା ଦିଗରେ ମଧ୍ୟ ସହାୟକ ହେବ । କାରଣ ଆଲୋଚ୍ୟ ସିରିଜ୍ରେ ଭାରତ ୩-୧ କିମ୍ବା ୩-୦ ବ୍ୟବଧାନରେ ବିଜୟୀ ହେଲେ ଡବ୍ଲ୍ୟୁଟିସି ଫାଇନାଲ୍ରେ ପହଞ୍ଚିପାରିବ ।
ସେହିପରି ବୋଲର୍ ତାଲିକାରେ ଟିମ୍ ଇଣ୍ଡିଆର ଭେଟେରାନ୍ ଅଫ୍ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ସେ ନାଗପୁର ଟେଷ୍ଟ୍ରେ ଦ୍ୱିତୀୟ ଇନିଂସରେ ୫ଟି ସହ ମୋଟ ୮ଟି ୱିକେଟ୍ ନେଇ ତାଙ୍କ ର୍ୟାଙ୍କିଙ୍ଗ୍ରେ ପୂର୍ବ ସପ୍ତାହ ତୁଳନାରେ ଯଥେଷ୍ଟ ଉନ୍ନତି ଘଟାଇପାରିଛନ୍ତି । ଏଥିସହ ଏକ ନମ୍ବର ସ୍ଥାନରେ ଥିବା ଅଷ୍ଟ୍ରେଲିଆ ଟେଷ୍ଟ୍ ଦଳର ଅଧିନାୟିକା ପ୍ୟାଟ୍ କମିନ୍ସଙ୍କଠାରୁ ୩୬ ବର୍ଷୀୟ ଅଶ୍ୱିନ୍ ମାତ୍ର ୨୧ ପଏଣ୍ଟ୍ ପଛରେ ଅଛନ୍ତି । କାରଣ କମିନ୍ସଙ୍କ ପଏଣ୍ଟ୍ ସଂଖ୍ୟା ୮୬୭ ଥିବା ବେଳେ ଅଶ୍ୱିନ୍ଙ୍କ ପଏଣ୍ଟ୍ ସଂଖ୍ୟା ୮୪୬ରେ ପହଞ୍ଚିଯାଇଛି । ତେଣୁ ତାଙ୍କ ପାଖରେ ଚଳିତ ସିରିଜ୍ରେ କମିନ୍ସଙ୍କୁ ଟପି ଏକ ନମ୍ବର ସ୍ଥାନ ହାସଲ କରିବାର ସୁଯୋଗ ରହିଛି ।
ତା’ଛଡ଼ା ନାଗପୁର ଟେଷ୍ଟ୍ ମାଧ୍ୟମରେ ପାଖାପାଖି ୫ ମାସ ପରେ ଅନ୍ତର୍ଜାତୀୟ କ୍ରିକେଟ୍କୁ ପ୍ରତ୍ୟାବର୍ତ୍ତନ କରିଥିବା ରବୀନ୍ଦ୍ର ଜାଡେଜା ବୋଲର୍ ତାଲିକାରେ ଉଲ୍ଲେଖନୀୟ ଉନ୍ନତି ଘଟାଇ ଷୋଡ଼ଶ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ସେ ଆଲୋଚ୍ୟ ଟେଷ୍ଟ୍ରେ ଉଭୟ ବ୍ୟାଟ୍ ଆଉ ବଲ୍ରେ ସଫଳ ରହି ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ଜାଡେଜାଙ୍କ ପରି ଗତ ସେପ୍ଟେମ୍ବରରୁ ଦଳଠାରୁ ଦୂରେଇ ରହିଥିବା ଜସପ୍ରୀତ୍ ବୁମ୍ରା ପଞ୍ଚମ ସ୍ଥାନରେ ରହିଥିବା ବେଳେ ମହମ୍ମଦ ଶମି ଓ ଅକ୍ଷର ପଟେଲ୍ ଅନ୍ୟ ଦୁଇ ଭାରତୀୟ ବୋଲର୍ ଭାବେ ଶୀର୍ଷ ୨୦ରେ ରହିଛନ୍ତି ।
ଅନ୍ୟପକ୍ଷରେ ବ୍ୟାଟ୍ସମ୍ୟାନ୍ ତାଲିକାରେ ରୋହିତ ୨ଟି ସ୍ଥାନରେ ଉନ୍ନତି ଘଟାଇ ୭୮୬ ପଏଣ୍ଟ୍ ସହ ଅଷ୍ଟମରେ ପହଞ୍ଚିଯାଇଛନ୍ତି । ନାଗପୁର ଟେଷ୍ଟ୍ରେ ଶତକୀୟ ଇନିଂସ ଖେଳିବା ଫଳରେ ରୋହିତଙ୍କୁ ଏହି ଉନ୍ନତି ମିଳିଛି । ଗତ ଡିସେମ୍ବର ୩୦ ତାରିଖରେ ଭୟାବହ ସଡ଼କ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ୱିକେଟ୍କିପର୍-ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ୍ ୭୮୯ ପଏଣ୍ଟ୍ ସହ ଅନ୍ୟତମ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଶୀର୍ଷ ୧୦ ମଧ୍ୟରେ ରହିଛନ୍ତି । ସପ୍ତମ ସ୍ଥାନରେ ରହିଥିବା ପନ୍ତ୍ ନିକଟରେ ତାଙ୍କର ଏକ ଫଟୋ ସୋସିଆଲ୍ ମିଡିଆରେ ଅପଲୋଡ୍ କରିଥିଲେ, ଯେଉଁଥିରେ ସେ ଆଶାବାଡ଼ି ଚାଲୁଥିବା ଦେଖାଯାଇଥିଲା । ୯୨୧ ର୍ୟାଙ୍କିଙ୍ଗ୍ ପଏଣ୍ଟ୍ ସହ ଅଷ୍ଟ୍ରେଲିଆର ମାର୍ନସ୍ ଲାବୁଶେନ୍ ଏହି ତାଲିକାର ଏକ ନମ୍ବରରେ ରହିଛନ୍ତି ।