ଦୁବାଇ : ଆସନ୍ତା ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଇସିସି ଟି-୨୦ ପୁରୁଷ ବିଶ୍ୱକପ୍ରେ ଟିମ୍ ଇଣ୍ଡିଆ ୨ଟି ୱାର୍ମଅପ୍ ମ୍ୟାଚ୍ ଖେଳିବ । ଏହି ଦୁଇଟି ମ୍ୟାଚ୍ ମଧ୍ୟରୁ ଦଳ ପ୍ରଥମେ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆକୁ ଅକ୍ଟୋବର ୧୭ରେ ଏବଂ ପରେ ନ୍ୟୁଜିଲାଣ୍ଡ୍କୁ ଅକ୍ଟୋବର ୧୯ ତାରିଖରେ ଭେଟିବ । ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଏହି ଦୁଇଟିଯାକ ମ୍ୟାଚ୍ ବ୍ରିସ୍ବେନ୍ର ଗାବା ଷ୍ଟାଡିୟମ୍ଠାରେ ଖେଳିବ ବୋଲି ଗୁରୁବାର ଆୟୋଜକ ଆଇସିସି ପକ୍ଷରୁ ୱାର୍ମଅପ୍ ମ୍ୟାଚ୍ଗୁଡ଼ିକର କାର୍ଯ୍ୟସୂଚୀ ଘୋଷଣା କରିବା ପରେ ସ୍ପଷ୍ଟ ହୋଇଛି । ମେଲ୍ବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ୍ (ଏମ୍ସିଜି)ରେ ପ୍ରଥମ ରାଉଣ୍ଡ୍ ଦଳଗୁଡ଼ିକର ୱାର୍ମଅପ୍ ମ୍ୟାଚ୍ ଆସନ୍ତା ଅକ୍ଟୋବର ୧୦ରୁ ୧୩ ମଧ୍ୟରେ ଖେଳାଯିବ । ତେବେ ଗାବା ଓ ଆଲାନ୍ ବର୍ଡର୍ ଫିଲ୍ଡରେ ସୁପର୍-୧୨ ପର୍ଯ୍ୟାୟର ଅକ୍ଟୋବର ୧୭ରୁ ୧୯ ପର୍ଯ୍ୟନ୍ତ ମ୍ୟାଚ୍ଗୁଡ଼ିକ ଖେଳାଯିବ । ଆହୁରି ପ୍ରତିଯୋଗିତା ସକାଶେ ପ୍ରଥମ ୱାର୍ମଅପ୍ ମ୍ୟାଚ୍ ଦୁଇ ଥରର ଚାମ୍ପିଅନ୍ ୱେଷ୍ଟ୍ଇଣ୍ଡିଜ୍ ଓ ୟୁଏଇ ମଧ୍ୟରେ ଅକ୍ଟୋବର ୧୦ରେ ଜଙ୍କ୍ସନ୍ ଓଭାଲ୍ଠାରେ ଖେଳାଯିବ । ଅନ୍ୟପକ୍ଷରେ ଅକ୍ଟୋବର ୧୮ରେ ଗାବାଠାରେ ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ୱାର୍ମଅପ୍ ମୁକାବିଲା ହେବ । ୨୦୧୪ ଚାମ୍ପିଅନ୍ ଶ୍ରୀଲଙ୍କା ତା’ର ଦୁଇଟି ୱାର୍ମଅପ୍ ମ୍ୟାଚ୍ ଏମ୍ସିଜିଠାରେ ଜିମ୍ବାୱେ ଓ ଆୟର୍ଲାଣ୍ଡ୍ ବିପକ୍ଷରେ ଯଥାକ୍ରମେ ଅକ୍ଟୋବର ୧୦ ଓ ୧୩ ତାରିଖରେ ଖେଳିବ । ୯ ଦିନ ଧରି ଚାଲିବାକୁ ଥିବା ୱାର୍ମଅପ୍ ମ୍ୟାଚ୍ଗୁଡ଼ିକରେ କୌଣସି ଦର୍ଶକଙ୍କୁ ଅନୁମତି ମିଳିବ ନାହିଁ ବୋଲି ଆଇସିସି ସ୍ପଷ୍ଟ କରିଛି । ଜିଲୋଙ୍ଗ୍ସ୍ଥିତ କାର୍ଡିନିଆ ପାର୍କ ଷ୍ଟାଡିୟମ୍ଠାରେ ଆଇସିସି ଟି-୨୦ ବିଶ୍ୱକପ୍ର ପ୍ରଥମ ମ୍ୟାଚ୍ ଆସନ୍ତା ଅକ୍ଟୋବର ୧୬ ତାରିଖରେ ଶ୍ରୀଲଙ୍କା ଓ ନାମ୍ବିଆ ମଧ୍ୟରେ ଖେଳାଯିବ ।