19.1 C
Bhubaneswar
Tuesday, November 19, 2024
Homeଖେଳଆଇସିସି ଟି-୨୦ ର‌୍ୟାଙ୍କିଙ୍ଗ୍‌: ଚତୁର୍ଥକୁ ଉଠିଲେ ରାହୁଲ

ଆଇସିସି ଟି-୨୦ ର‌୍ୟାଙ୍କିଙ୍ଗ୍‌: ଚତୁର୍ଥକୁ ଉଠିଲେ ରାହୁଲ

ଦୁବାଇ : ଆଇସିସି ପକ୍ଷରୁ ବୁଧବାର ଜାରୀ ଟି-୨୦ ର‌୍ୟାଙ୍କିଙ୍ଗ୍‌ର ବ୍ୟାଟିଂ ତାଲିକାରେ ଭାରତୀୟ ଓପ୍ନର୍ କେଏଲ୍ ରାହୁଲ ଗୋଟିଏ ସ୍ଥାନର ଉନ୍ନତି ସହ ଚତୁର୍ଥକୁ ଉଠିଛନ୍ତି । ବିରାଟ କୋହଲି ୧୦ମ ଏବଂ ସୀମିତ ଓଭର୍ କ୍ୟାପ୍‌ଟେନ୍ ରୋହିତ ଶର୍ମା ୧୧ଶ ସ୍ଥାନରେ ରହିଛନ୍ତି । ବୋଲିଂ ର‌୍ୟାଙ୍କିଙ୍ଗ୍‌ରେ ଫାଷ୍ଟ ବୋଲର୍ ଭୁବନେଶ୍ୱର କୁମାର ଶୀର୍ଷ ଭାରତୀୟ ଖେଳାଳି ଭାବେ ୨୦ଶ ସ୍ଥାନରେ ରହିଛନ୍ତି । ତାଙ୍କୁ ଗୋଟିଏ ସ୍ଥାନ କ୍ଷତି ହୋଇଛି । ସେହିପରି ଭାରତୀୟ ଫାଷ୍ଟ ବୋଲିଂ ଆକ୍ରମଣର ନେତୃତ୍ୱ ନେଉଥିବା ଜସ୍‌ପ୍ରୀତ୍ ବୁମ୍‌ରା ଦୁଇଟି ସ୍ଥାନ ତଳକୁ ଖସି ୨୬ରେ ପହଞ୍ଚିଛନ୍ତି । ଅନ୍ୟପକ୍ଷରେ ଅଲ୍‌ରାଉଣ୍ଡର ସୂଚୀରେ କୌଣସି ଭାରତୀୟ ନାହାନ୍ତି ।

ନିକଟରେ ଭାରତ କୌଣସି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିନାହିଁ । ବ୍ରିଜ୍‌ଟାଉନ୍‌ରେ ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ନିର୍ଣ୍ଣାୟକ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌ର ୧୭ ରନ୍‌ର ବିଜୟରେ ପ୍ରମୁଖ ଭୂମିକା ନିଭାଇଥିବା ବାମହାତୀ ସ୍ପିନର୍ ଅକିଲ୍ ହୁସେନ୍ ଓ ଫାଷ୍ଟ ବୋଲର୍ ଜେସନ୍ ହୋଲ୍ଡର୍ କ୍ୟାରିୟର୍ ଶ୍ରେଷ୍ଠ ର‌୍ୟାଙ୍କିଙ୍ଗ୍ ହାସଲ କରିଛନ୍ତି ।  ପୁରୁଷ ର‌୍ୟାଙ୍କିଙ୍ଗ୍‌ର ସପ୍ତାହିକ ଅପ୍‌ଟେଡ୍‌ରେ ୱେଷ୍ଟଇଣ୍ଡିଜ୍ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଅନ୍ତିମ ତିନିଟି ମ୍ୟାଚ୍‌କୁ ବିଚାରକୁ ନିଆଯାଇଛି । ଏଥିରେ ଅକିଲ୍ ହୁସେନ୍ ୧୫ ସ୍ଥାନର ଉନ୍ନତି ସହ ୧୮ତମ ସ୍ଥାନରେ ପହଞ୍ଚିଛନ୍ତି । ସେ ଅନ୍ତିମ ମ୍ୟାଚ୍‌ରେ ୩୦ ରନ୍ ବ୍ୟୟରେ ୪ ୱିକେଟ୍ ସମେତ ଅନ୍ତିମ ତିନିଟି ମ୍ୟାଚ୍‌ରେ ୬ ୱିକେଟ୍ ହାସଲ କରିଥିଲେ ।

ଅନ୍ତିମ ମ୍ୟାଚ୍‌ରେ ୪ ବଲ୍‌ରେ ୪ଟି ୱିକେଟ୍ ସହିତ ୨୭ ରନ୍ ଦେଇ ୫ଟି ୱିକେଟ୍ ହାସଲ କରିଥିବା  ଅଲ୍‌ରାଉଣ୍ଡର୍ ତଥା ପୂର୍ବତନ କ୍ୟାପ୍‌ଟେନ୍ ହୋଲ୍ଡର ତିନିଟି ସ୍ଥାନର ଉନ୍ନତି ସହ ୨୩ତମ ସ୍ଥାନରେ ପହଞ୍ଚିଛନ୍ତି । ବ୍ୟାଟିଂ ର‌୍ୟାଙ୍କିଙ୍ଗ୍‌ରେ ନିକୋଲାସ୍ ପୂରନ୍ ୮ ସ୍ଥାନର ଉନ୍ନତି ସହ ୧୮ତମ ଏବଂ ବ୍ରେଣ୍ଡନ୍ କିଙ୍ଗ୍ ୨୫ ସ୍ଥାନର ଉନ୍ନତି ସହ ୫୮ତମ ସ୍ଥାନକୁ ଉଠିଛନ୍ତି । ସେହିପରି ୱେଷ୍ଟଇଣ୍ଡିଜ୍ କ୍ୟାପ୍‌ଟେନ୍ କାଇରନ୍ ପୋଲାର୍ଡ ୧୫ ସ୍ଥାନର ଉନ୍ନତି ସହ ୬୦ରେ ପହଞ୍ଚିଛନ୍ତି । ସେହିପରି ଚତୁର୍ଥ ମ୍ୟାଚ୍‌ରେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବା ଇଂଲଣ୍ଡର ମୋଇନ ଅଲୀ ୩୦ଟି ସ୍ଥାନର ଉନ୍ନତି ସହ ୬୭ରେ ପହଞ୍ଚିଛନ୍ତି । ସେ ଏହି ମ୍ୟାଚ୍‌ରେ ଦୁଇଟି ୱିକେଟ୍ ମଧ୍ୟ ନେଇଥିବା ଯୋଗୁଁ ଅଲ୍‌ରାଉଣ୍ଡର ସୂଚୀରେ ଗ୍ଲେନ୍ ମ୍ୟାକ୍ସୱେଲ୍ ଓ ୱାନିନ୍ଦୁ ହସାରଙ୍ଗାଙ୍କୁ ପଛରେ ପକାଇ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking