17.1 C
Bhubaneswar
Monday, November 25, 2024
Homeଓଡିଶାଆଇସିସି ଦିନିକିଆ ବିଶ୍ୱକପ୍ କ୍ୱାଲିଫାୟର୍ସ; ସହଜ ବିଜୟ ସହ ଗ୍ରୁପ୍ ଶୀର୍ଷରେ ଶ୍ରୀଲଙ୍କା

ଆଇସିସି ଦିନିକିଆ ବିଶ୍ୱକପ୍ କ୍ୱାଲିଫାୟର୍ସ; ସହଜ ବିଜୟ ସହ ଗ୍ରୁପ୍ ଶୀର୍ଷରେ ଶ୍ରୀଲଙ୍କା

ଭୁବନେଶ୍ୱର: ଚଳିତ ଆଇସିସି ଦିନିକିଆ ବିଶ୍ୱକପ୍ କ୍ୱାଲିଫାୟର୍ସରେ ମଙ୍ଗଳବାର ଲିଗ୍ ପର୍ଯ୍ୟାୟ ଶେଷ ହୋଇଛି । ଗ୍ରୁପ୍ ପର୍ଯ୍ୟାୟର ଅନ୍ତିମ ଦିନରେ ଗ୍ରୁପ୍‌-ବି’ର ଦୁଇଟି ମ୍ୟାଚ୍ ଖେଳାଯାଇଥିବା ବେଳେ ଏଥିରେ ଶ୍ରୀଲଙ୍କା ଓ ଆୟର୍ଲାଣ୍ଡ୍ ସହଜ ବିଜୟ ହାସଲ କରିଛନ୍ତି । କ୍ରମାଗତ ଚତୁର୍ଥ ବିଜୟ ହାସଲ କରି ଶ୍ରୀଲଙ୍କା ଗ୍ରୁପ୍‌-ବି’ରେଶୀର୍ଷ ସ୍ଥାନରେ ରହିଛି । ସେହିପରି ପୂର୍ବରୁ ପ୍ରତିଯୋଗିତାରୁ ବାଦ୍ ପଡ଼ିସାରିଥିବା ଆୟର୍ଲାଣ୍ଡ୍ ୟୁଏଇ ବିପକ୍ଷରେ ସାନ୍ତ୍ୱନାମୂଳକ ବିଜୟ ହାସଲ କରିଛି ।

ପ୍ରଥମେ ବ୍ୟାଟିଂ ପାଇ ଶ୍ରୀଲଙ୍କା ଓପନର ପାଥୁମ୍ ନିଶଙ୍କାଙ୍କ ୧୦ ଚୌକା ସମ୍ବଳିତ ୭୫ ରନ୍ ଏବଂ ଚରିତ ଅସଲଙ୍କାଙ୍କ ୪ଟି ଚୌକା ଓ ୨ଟି ଛକା ରହିଥିବା ୬୩ ରନ୍‌ର ଇନିଂସ ସହାୟତାରେ ୪୯.୩ ଓଭର୍‌ରେ ୨୪୫ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା । ପ୍ରତିଦ୍ୱନ୍ଦ୍ୱୀ ସ୍କଟ୍‌ଲାଣ୍ଡ୍ ପକ୍ଷରୁ କ୍ରିସ୍ ଗ୍ରୀଭ୍‌ସ ସର୍ବାଧିକ ୪ଟି, ମାର୍କ ୱାଟ୍ ୩ଟି ଓ କ୍ରିଓ୍ ସୋଲ୍ ୨ଟି ୱିକେଟ୍ ନେଇଥିଲେ । ବ୍ୟାଟିଂରେ ଦଳ ୨୯ ଓଭର୍‌ରେ ୧୬୩ ରନ୍‌ରେ ଅଲ୍‌ଆଉଟ୍ ହେବା ଫଳରେ ଶ୍ରୀଲଙ୍କା ୮୨ ରନ୍‌ରେ ବିଜୟୀ ହେବା ସହ ଗ୍ରୁପ୍ ପର୍ଯ୍ୟାୟରେ ଅପରାଜେୟ ରହିଛି । ସ୍କଟ୍‌ଲାଣ୍ଡ୍ ପକ୍ଷରୁ ଗ୍ରୀଭ୍‌ସ ୪୧ ବଲ୍ ଖେଳି ୭ଟି ଚୌକା ଓ ୨ଟି ଛକା ସହ ୫୬ ରନ୍ କରିଥିବା ବେଳେ ଓପନର କ୍ରିଷ୍ଟୋଫର୍ ମ୍ୟାକ୍‌ବ୍ରାଇଡ୍ ୨ଟି ଚୌକା ଓ ଗୋଟିଏ ଛକା ସହ ୨୯ ରନ୍‌ର ସହଯୋଗ ଦେଇଥିଲେ ।

ଶ୍ରୀଲଙ୍କା ପକ୍ଷରୁ ସ୍ପିନର୍ ମହୀଶ ତିକ୍‌ଶାନା ୩ଟି ୱିକେଟ୍ ନେଇଥିବା ବେଳେ ୱାନିନ୍ଦୁ ହସରଙ୍ଗାଙ୍କୁ ୨ଟି ୱିକେଟ୍ ମିଳିଥିଲା । ତିକ୍‌ଶାନା ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ସେହିପରି ଦିନର ଅନ୍ୟତମ ମ୍ୟାଚ୍‌ଟିରେ ଆୟର୍ଲାଣ୍ଡ୍ ପ୍ରଥମେ ବ୍ୟାଟିଂ ପାଇ ୪ଟି ୱିକେଟ୍ ବିନିମୟରେ ୩୪୯ ରନ୍‌ର ବଡ଼ ସ୍କୋର୍ କରିଥିଲା । ଦଳ ପକ୍ଷରୁ ତାରକା ଓପନର ପଲ୍ ଷ୍ଟର୍ଲିଂ ଦିନିକିଆରେ ତାଙ୍କର ଚତୁର୍ଦ୍ଦଶ ଶତକ ପୂରଣ କରିବା ସହ ୧୬୨ ରନ୍‌ର ଦମ୍‌ଦାର ଇନିଂସ ଖେଳିଥିଲେ । ତାଙ୍କର ଏହି ବିସ୍ଫୋରକ ଇନିଂସରେ ୧୫ଟି ଚୌକା ଓ ୮ଟି ଛକା ରହିଥିଲା । ଏହାଛଡ଼ା ଅଧିନାୟକ ଆଣ୍ଡ୍ର‌୍ୟୁ ବାଲ୍‌ବର୍ଣ୍ଣି ୫ଟି ଚୌକା ଓ ଗୋଟିଏ ଛକା ସହ ୬୬ ଏବଂ ହ୍ୟାରୀ ଟେକ୍ଟର ମାତ୍ର ୩୩ ବଲ୍‌ରେ ୪ଟି ଚୌକା ଓ ୨ଟି ଛକା ଜରିଆରେ ୫୭ ରନ୍‌ର ଯୋଗଦାନ ଦେଇଥିଲେ ।

ୱିକେଟ୍‌ରେ ବାଲ୍‌ବର୍ଣ୍ଣିଙ୍କ ସହ ଷ୍ଟର୍ଲିଂ୧୮୪ ରନ୍‌ର ବଡ଼ ଭାଗୀଦାରୀ ମଧ୍ୟ କରିଥିଲେ । ୟୁଏଇ ପକ୍ଷରୁ ସଞ୍ଚିତ ଶର୍ମା ୩ଟି ୱିକେଟ୍ ନେଇଥିଲେ । ବ୍ୟାଟିଂରେ ଦଳ ୩୯ ଓଭର୍‌ରେ ୨୧୧ ରନ୍‌ରେ ଅଲ୍‌ଆଉଟ୍ ହେବା ଫଳରେ ଆୟର୍ଲାଣ୍ଡ୍ ୧୩୮ ରନ୍ ବ୍ୟବଧାନରେ ବଡ଼ ବିଜୟ ହାସଲ କରିଥିଲା । ୟୁଏଇ ପକ୍ଷରୁ ଓପନର ତଥା ଅଧିନାୟକ ମହମ୍ମଦ ୱାସିମ୍ ୬ଟି ଚୌକା ଓ ୨ଟି ଛକା ସହ ୪୫, ସଞ୍ଚିତ ଗୋଟିଏ ଚୌକା ଓ ୩ଟି ଛକା ମାଧ୍ୟମରେ ୪୪ ଏବଂ ବାସିଲ୍ ହମୀଦ୍ ୩ଟି ଛକା ସହ ୩୯ ରନ୍ କରିଥିଲେ ।

ଆୟର୍ଲାଣ୍ଡ୍ ପକ୍ଷରୁ ଜୋଶୁଆ ଲିଟଲ୍‌, ଆଣ୍ଡି ମ୍ୟାକ୍‌ବ୍ରାଇନ୍‌, ଜର୍ଜ ଡକ୍‌ରେଲ୍ ଓ କର୍ଟିସ୍ କ୍ୟାମ୍ଫର୍ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ଷ୍ଟର୍ଲିଂଙ୍କୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା । ପ୍ରତିଯୋଗିତାରେ ଆସନ୍ତା ୨୯ରୁ ସୁପର୍ ସିକ୍ସ ପର୍ଯ୍ୟାୟ ଆରମ୍ଭ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking