17.1 C
Bhubaneswar
Sunday, November 24, 2024
Homeଖେଳଆଇସିିସି ଦିନିକିଆ ବିଶ୍ୱକପ୍ କ୍ୱାଲିଫାୟର୍ସ: ନିଶଙ୍କାଙ୍କ କ୍ରମାଗତ ଶତକ; ସୁପର୍ ସିକ୍ସ’ରେ ବି ଶ୍ରୀଲଙ୍କା ଅପରାଜେୟ

ଆଇସିିସି ଦିନିକିଆ ବିଶ୍ୱକପ୍ କ୍ୱାଲିଫାୟର୍ସ: ନିଶଙ୍କାଙ୍କ କ୍ରମାଗତ ଶତକ; ସୁପର୍ ସିକ୍ସ’ରେ ବି ଶ୍ରୀଲଙ୍କା ଅପରାଜେୟ

ହରାରେ: ଚଳିତ ଆଇସିସି ଦିନିକିଆ ବିଶ୍ୱକପ୍ କ୍ୱାଲିଫାୟର୍ସର ଲିଗ୍ ପର୍ଯ୍ୟାୟରେ ଶ୍ରୀଲଙ୍କା ଅପରାଜେୟ ରହିଥିବା ବେଳେ ସୁପର୍ ସିକ୍ସ ପର୍ଯ୍ୟାୟରେ ମଧ୍ୟ ଏହି ଧାରା ବଜାୟ ରଖିଛି । ଦଳ ସୁପର୍ ସିକ୍ସ ପର୍ଯ୍ୟାୟରେ ଗୁରୁବାର ତା’ର ଅନ୍ତିମ ମ୍ୟାଚ୍ ଖେଳିଥିବା ବେଳେ ଏଥିରେ ୱେଷ୍ଟ୍‌ଇଣ୍ଡିଜ୍‌କୁ ୮ ୱିକେଟ୍‌ରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ ପାଇଥିବା ଇଣ୍ଡିଜ୍ କିସି କାର୍ଟିଙ୍କ ୮୭ ରନ୍ ବଳରେ ୪୮.୧ ଓଭର୍‌ରେ ୨୪୩ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା । ଜବାବରେ ଶ୍ରୀଲଙ୍କା ଓପନର ପାଥୁମ୍ ନିଶଙ୍କାଙ୍କ କ୍ରମାଗତ ଶତକୀୟ ଇନିଂସ ସହାୟତାରେ ୪୪.୨ ଓଭର୍‌ରେ ମାତ୍ର ୨ଟି ୱିକେଟ୍ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା । ୪ଟି ୱିକେଟ୍ ନେଇଥିବା ସ୍ପିନର୍ ମହୀଶ ତିକ୍‌ଶାନା ମଧ୍ୟ ଲଗାତାର ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ।

ପୂର୍ବରୁ ମୁଖ୍ୟ ରାଉଣ୍ଡ୍‌କୁ ଉନ୍ନୀତ ହୋଇସାରିଥିବା ଶ୍ରୀଲଙ୍କା ପ୍ରଥମେ ଫିଲ୍‌ଡିଂ ନେଇଥିଲା । ତେଣୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇବା ପରେ ଇଣ୍ଡିଜ୍ ୩୬ ରନ୍‌ରେ ପ୍ରଥମ ୱିକେଟ୍ ହରାଇଥିଲା । ୱିକେଟ୍ ପତନ ଧାରା ଜାରି ରହିବା ଫଳରେ ଦଳ ୧୫୫ ରନ୍‌ରେ ପହଞ୍ଚିବା ବେଳକୁ ଶୀର୍ଷ ଭାଗର ୮ ଜଣ ବ୍ୟାଟ୍ସମ୍ୟାନ୍ ପ୍ୟାଭିଲିଅନ୍ ଫେରିସାରିଥିଲେ । ଏହି ସମୟରେ କାର୍ଟି ଓ କେଭିନ୍ ସିନ୍‌କ୍ଲେୟାରଙ୍କ ମଧ୍ୟରେ ନବମ ୱିକେଟ୍‌ରେ ୬୩ ରନ୍‌ର ଭାଗୀଦାରୀ ହେବା ଫଳରେ ଇଣ୍ଡିଜ୍ ସ୍କୋର୍ ୨୦୦ ଟପିଥିଲା ।

କାର୍ଟି ୬ଟି ଚୌକା ଓ ଗୋଟିଏ ଛକା ସହ ୮୭ ରନ୍ କରିଥିବା ବେଳେ ସିନ୍‌କ୍ଲେୟାର୍ ୨ଟି ଚୌକା ସହ ୨୫ ରନ୍ କରିଥିଲେ । ଏହାଛଡ଼ା ଓପନର ଜନ୍‌ସନ୍ ଚାର୍ଲ୍‌ସ ୩ଟି ଚୌକା ଓ ୨ଟି ଛକା ଜରିଆରେ ୩୯ ଏବଂ ରୋମାରିଓ ଶେଫର୍ଡ ୩ଟି ଚୌକା ମାଧ୍ୟମରେ ୨୬ ରନ୍‌ର ଯୋଗଦାନ ଦେଇଥିଲେ । ଶ୍ରୀଲଙ୍କା ପକ୍ଷରୁ ତିକ୍‌ଶାନାଙ୍କ ବ୍ୟତୀତ ଡେବ୍ୟୁଟାଣ୍ଟ୍ ଲେଗ୍‌ସ୍ପିନର୍ ଦୁଶନ୍ ହେମନ୍ତ ୨ଟି ଏବଂ ଦିଲ୍‌ଶାନ୍ ମଦୁଶଙ୍କା, ଅଧିନାୟକ ଦାସୁନ୍ ଶନାକା, ମାଥିଶା ପାଥିରାନା ଓ ଅନ୍ୟତମ ଡେବ୍ୟୁଟାଣ୍ଟ୍ ସ୍ପିନର୍ ସହନ୍ ଆରାଚିଗେ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଶ୍ରୀଲଙ୍କା ଓ ମୁଖ୍ୟ ରାଉଣ୍ଡ୍‌ରେ ପ୍ରବେଶ କରିଥିବା ଅନ୍ୟତମ ଦଳ ନେଦରଲାଣ୍ଡ୍‌ସ ମଧ୍ୟରେ ରବିବାର ଫାଇନାଲ୍ ଖେଳାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking