ହୋବାର୍ଟ : ଚଳିତ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ର ରାଉଣ୍ଡ୍-୧ ପର୍ଯ୍ୟାୟ ଶୁକ୍ରବାର ଶେଷ ହୋଇଛି । ଗୁରୁବାର ଗ୍ରୁପ୍-ଏ’ରୁ ଦୁଇଟି ଟିମ୍ ଶ୍ରୀଲଙ୍କା ଓ ନେଦରଲାଣ୍ଡ୍ସ ସୁପର୍-୧୨ ରାଉଣ୍ଡ୍କୁ ଉନ୍ନୀତ ହୋଇଥିବା ବେଳେ ଶୁକ୍ରବାର ଗ୍ରୁପ୍-ବି’ରୁ ଜିମ୍ବାୱେ ଓ ଆୟର୍ଲାଣ୍ଡ୍ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି । ଏଥିସହ ସୁପର୍-୧୨ ରାଉଣ୍ଡ୍ରେ ଆୟର୍ଲାଣ୍ଡ୍ ଗ୍ରୁପ୍-୧ରେ ଓ ଜିମ୍ବାୱେ ଗ୍ରୁପ୍-୨ରେ ସାମିଲ୍ ହୋଇଛନ୍ତି । ତେବେ ଦୁଇ ଥରର ଚାମ୍ପିଅନ୍ ୱେଷ୍ଟ୍ଇଣ୍ଡିଜ୍ ୩ଟିରୁ ଗୋଟିଏ ମାତ୍ର ମ୍ୟାଚ୍ରେ ବିଜୟୀ ହୋଇ ଗ୍ରୁପ୍-ବି’ର ଅନ୍ତିମ ସ୍ଥାନରେ ରହି ସୁପର୍-୧୨ ପର୍ଯ୍ୟାୟରୁ ବାଦ୍ ପଡ଼ିଛି । ଶୁକ୍ରବାର ପ୍ରଥମ ମୁକାବିଲାଟି ଇଣ୍ଡିଜ୍ ଓ ଆୟର୍ଲାଣ୍ଡ୍ ମଧ୍ୟରେ ଖେଳାଯାଇଥିବା ବେଳେ ଏଥିରେ ଆୟର୍ଲାଣ୍ଡ୍ ୯ ୱିକେଟ୍ରେ ସହଜସାଧ୍ୟ ବିଜୟୀ ହୋଇଥିଲା । ସେହିପରି ଦ୍ୱିତୀୟ ମ୍ୟାଚ୍ରେ ଜିମ୍ବାୱେ ସ୍କଟଲାଣ୍ଡ୍କୁ ୫ ୱିକେଟ୍ରେ ପରାସ୍ତ କରିଥିଲା ।
ପ୍ରଥମେ ବ୍ୟାଟିଂ କରି ଇଣ୍ଡିଜ୍ ୫ ୱିକେଟ୍ ହରାଇ ୧୪୬ ରନ୍ କରିଥିଲା । ଦଳ ପକ୍ଷରୁ ବ୍ରେଣ୍ଡନ୍ କିଙ୍ଗ୍ ୬୨ ରନ୍ର ଅପରାଜିତ ଇନିଂସ ଖେଳିଥିଲେ । ତାଙ୍କର ଏହି ଇନିଂସରେ ୬ଟି ଚୌକା ଓ ଗୋଟିଏ ଛକା ରହିଥିବା ବେଳେ ସେ ମୋଟ ୪୮ଟି ବଲ୍ର ସମ୍ମୁଖୀନ ହୋଇଥିଲେ । ଏଥିସହ କିଙ୍ଗ୍ ତୃତୀୟ ୱିକେଟ୍ରେ ଏଭିନ୍ ଲୁଇସ୍ଙ୍କ ସାଥୀରେ ୪୪ ରନ୍ର ଭାଗୀଦାରୀ କରିଥିଲେ । ଲୁଇସ୍ ୧୩ ରନ୍ କରିଥିବା ବେଳେ ଓପନର ଜନ୍ସନ୍ ଚାର୍ଲସ୍ ୩ଟି ଚୌକା ଓ ଗୋଟିଏ ଛକା ଜରିଆରେ ୨୪ ଏବଂ ଓଡିନ୍ ସ୍ମିଥ୍ ୧୨ଟି ବଲ୍ ଖେଳି ଗୋଟିଏ ଚୌକା ଓ ୨ଟି ଛକା ମାଧ୍ୟମରେ ଅପରାଜିତ ୧୯ ରନ୍ କରିଥିଲେ । ଆୟର୍ଲାଣ୍ଡ୍ ପକ୍ଷରୁ ଗାରେଥ୍ ଡେଲାନି ୩ଟି ୱିକେଟ୍ ଦଖଲ କରିଥିଲେ । ବ୍ୟାଟିଂରେ ଦଳ ମାତ୍ର ଗୋଟିଏ ୱିକେଟ୍ ହରାଇ ଅଢ଼େଇ ଓଭର୍ର ଖେଳ ବାକି ଥିବା ସମୟରେ ୧୫୦ ରନ୍ କରି ସହଜସାଧ୍ୟ ବିଜୟ ହାସଲ କରିଥିଲା ।
ଓଫନର ତଥା ଅଧିନାୟକ ଆଣ୍ଡ୍ର୍ୟୁ ବାଲ୍ବର୍ଣ୍ଣି ୩ଟି ଲେଖାଏଁ ଚୌକା ଓ ଛକା ମାଧ୍ୟମରେ ୩୭ ରନ୍ କରି ଆଉଟ୍ ହେବା ପରେ ତାଙ୍କ ଓପନିଂ ଯୋଡ଼ିଦାର ପଲ୍ ଷ୍ଟର୍ଲିଂ ଓ ଲୋର୍କାନ୍ ଟକର୍ ଦ୍ୱିତୀୟ ୱିକେଟ୍ରେ ଅବିଭାଜିତ ୭୭ ରନ୍ ଯୋଡ଼ି ଦଳକୁ ବିଜୟ ଲକ୍ଷ୍ୟରେ ପହଞ୍ଚାଇଥିଲେ । ଷ୍ଟର୍ଲିଂ ୪୮ଟି ବଲ୍ରେ ୬ଟି ଚୌକା ଓ ୨ଟି ଛକା ସହାୟତାରେ ୬୬ ରନ୍ ଏବଂ ଟକର୍ ୨ଟି ଲେଖାଏଁ ଚୌକା ଓ ଛକା ମାଧ୍ୟମରେ ୪୫ ରନ୍ କରି ଅପରାଜିତ ଥିଲେ । ଇଣ୍ଡିଜ୍ ପକ୍ଷରୁ ଏକମାତ୍ର ୱିକେଟ୍ଟି ଆକିଲ୍ ହୋସେନ୍ଙ୍କୁ ମିଳିଥିଲା । ଡେଲାନିଙ୍କୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା ।
ପରବର୍ତ୍ତୀ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ସ୍କଟଲାଣ୍ଡ୍ ୬ଟି ୱିକେଟ୍ ହରାଇ ୧୩୨ ରନ୍ କରିଥିଲା । ଦଳ ପକ୍ଷରୁ ଓପନର ଜର୍ଜ ମୁନ୍ସୀ ୫୪ ରନ୍ କରିଥିଲେ । ତାଙ୍କର ଏହି ଇନିଂସରେ ୭ଟି ଚୌକା ସାମିଲ୍ ଥିଲା । ଏହାଛଡ଼ା କାଲମ୍ ମ୍ୟାକ୍ଲିଓଡ୍ ୨୫ ରନ୍ର ଯୋଗଦାନ ଦେଇଥିଲେ । ଜିମ୍ବାୱେ ପକ୍ଷରୁ ଟେଣ୍ଡାଇ ଚତାରା ଓ ରିଚାର୍ଡ ଏନ୍ଗାରାଭା ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ । ବ୍ୟାଟିଂରେ ଦଳ ୪୨ ରନ୍ ମଧ୍ୟରେ ୩ଟି ୱିକେଟ୍ ହରାଇଥିଲେ ମଧ୍ୟ ଓପନର ତଥା ଅଧିନାୟକ କ୍ରେଗ୍ ଆରୱିନ୍ ଓ ସିକନ୍ଦର ରାଜାଙ୍କ ୬୪ ରନ୍ର ଭାଗୀଦାରୀ ବଳରେ ଦଳ ୧୮.୩ ଓଭର୍ରେ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା । ଏଥିସକାଶେ ଦଳ ମାତ୍ର ୫ଟି ୱିକେଟ୍ ହରାଇଥିବା ବେଳେ ଆର୍ୱିନ୍ ୬ଟି ଚୌକା ମାଧ୍ୟମରେ ୫୮ ଏବଂ ୩ଟି ଚୌକା ଓ ୨ଟି ଛକା ଜରିଆରେ ରାଜା ୪୦ ରନ୍ କରିଥିଲେ । ସ୍କଟଲାଣ୍ଡ୍ ପକ୍ଷରୁ ଜୋଶ୍ ଡାଭେ ୨ଟି ୱିକେଟ୍ ନେଇଥିଲେ । ୪୦ ରନ୍ ସହ ଗୋଟିଏ ୱିକେଟ୍ ନେଇଥିବା ରାଜାଙ୍କୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା । ରବିବାରଠାରୁ ସୁପର୍-୧୨ ରାଉଣ୍ଡ୍ ଆରମ୍ଭ ହେଉଥିବା ବେଳେ ସିଡ୍ନୀଠାରେ ଆୟୋଜକ ଅଷ୍ଟ୍ରେଲିଆକୁ ପଡ଼ୋଶୀ ନ୍ୟୁଜିଲାଣ୍ଡ ଏବଂ ପର୍ଥଠାରେ ଇଂଲଣ୍ଡକୁ ଆଫଗାନିସ୍ତାନ ଭେଟିବ ।