31.7 C
Bhubaneswar
Wednesday, April 8, 2026
Homeଓଡିଶାସ୍ୱର୍ଗତ ଢୋଲକିଆଙ୍କ ଅଧୁରା କାର୍ଯ୍ୟ ଶେଷ ପାଇଁ ଅବିଶ୍ରାନ୍ତ ପରିଶ୍ରମ କରିବି: ସ୍ନେହାଙ୍ଗିନୀ

ସ୍ୱର୍ଗତ ଢୋଲକିଆଙ୍କ ଅଧୁରା କାର୍ଯ୍ୟ ଶେଷ ପାଇଁ ଅବିଶ୍ରାନ୍ତ ପରିଶ୍ରମ କରିବି: ସ୍ନେହାଙ୍ଗିନୀ

ଭୁବନେଶ୍ୱର: ବିଶାଳ ଜନଭାଗିଦାରୀକୁ ନେଇ ଆଜି ବିଜୁ ଜନତା ଦଳ ନୂଆପଡ଼ାରେ ଶକ୍ତି ପ୍ରଦର୍ଶନ କରିଛି । ନୂଆପଡ଼ାବାସୀଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ପ୍ରତି ଥିବା ଅତୁଟ ବିଶ୍ୱାସକୁ ବିଶାଳ ମିଶ୍ରଣ ପର୍ବ ମାଧ୍ୟମରେ ଆହୁରି ସୁଦୃଢ଼ କରିପାରିଛି । ବିଭିନ୍ନ ସ୍ଥାନରେ ଆୟୋଜିତ ଜନସଭା ମାଧ୍ୟମରେ ବିଜେଡି ନେତାମାନେ ନିଜ ଦଳର ସଶକ୍ତ ସଂଗଠନ ଓ ଲୋକମାନଙ୍କ ସହିତ ଅତୁଟ ସମ୍ପର୍କକୁ ଆହୁରି ସୁଦୃଢ଼ କରିବାର ପ୍ରତିବଦ୍ଧତା ଜାହିର କରିଥିଲେ । ଖରିଆର ରୋଡ୍ ନଗରପାଳିକା (ଏନ୍ଏସି)ରେ ଆୟୋଜିତ “ମିଶ୍ରଣ ପର୍ବ” ଅବସରରେ ୪୭ ଜଣ ବିଜେପି ଓ କଂଗ୍ରେସ ନେତା ବିଜୁ ଜନତା ଦଳରେ ଯୋଗଦେଲେ । ଏହି ଯୋଗଦାନ ବିଜେଡିର ଲୋକାଭିମୁଖୀ ଶାସନ ଓ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ପ୍ରତି ଆସ୍ଥାକୁ ପ୍ରତିପାଦିତ କରିଥିଲା । ଏହି ଅବସରରେ ବିଜେଡିର ବରିଷ୍ଠ ନେତା ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଶ୍ରୀ କଳିକେଶ ନାରାୟଣ ସିଂହଦେଓ, ଶ୍ରୀ ପ୍ରଶାନ୍ତ ମୁଦୁଲି, ଆୟୁବ ଖାନ ଓ ଶ୍ରୀମତୀ ଅଳକା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଖରିଆର ନଗରପାଳିକାର ୧୯ଟି ୱାର୍ଡରୁ ଆସିଥିବା ଶହ ଶହ ସଦସ୍ୟ ଓ ସମର୍ଥକମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉତ୍ସାହ ବଢ଼ାଇଥିଲେ । ପ୍ରବାଦ ପୁରୁଷ ଶ୍ରୀ ବିଜୁ ପଟ୍ଟନାୟକ ଓ ଦିବଙ୍ଗତ ନେତା ଶ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ପ୍ରତି ପୁଷ୍ପାଞ୍ଜଳି ଓ ଶ୍ରଦ୍ଧାଞ୍ଜଳି ଅର୍ପଣପୂର୍ବକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଶ୍ରୀ ରାଜେଶ ନିଗମଙ୍କ ସଂଯୋଜନାରେ ଆୟୋଜିତ ସଭାରେ ଶ୍ରୀ ରାଜେଶ ଚୌହାନ, ଶ୍ରୀ ନନ୍ଦଲାଲ ସିଂହ ଓ ଶ୍ରୀମତୀ ରୀତା କାଶ୍ୟପ ଅଂଶଗ୍ରହଣ କରିଥିଲେ । ନୂଆ କରି ଦଳରେ ଯୋଗ ଦେଇଥିବା ସଦସ୍ୟମାନେ ବିଜେଡିର ବ୍ୟାନର ତଳେ ଖରିଆର ଓ ନୂଆପଡ଼ା ଜିଲ୍ଲାର ଉନ୍ନତି ପାଇଁ ସଙ୍କଳ୍ପ ନେଇଥିଲେ ।

ବିଜେଡି ପକ୍ଷରୁ କୋମନା ବ୍ଲକର ଦେବଧରା ପଞ୍ଚାୟତରେ ଆୟୋଜିତ ବିଶାଳ ପଦଯାତ୍ରା ଓ ସଭାରେ ଯୋଗଦେଇ ବିଜେଡି ପ୍ରାର୍ଥୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଦେବଧରା ମନ୍ଦିରରେ ପୂଜାର୍ଚ୍ଚନା କରି ଗୁରୁଜନଙ୍କ ଆଶୀର୍ବାଦ ନେଇଥିଲେ । ଚାନ୍ଦବାଲିର ମାନନୀୟ ବିଧାୟକ ଶ୍ରୀ ବ୍ୟୋମକେଶ ରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଶ୍ରୀମତୀ ଛୁରିଆ କହିଥିଲେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସର୍ବଦା ଲୋକଙ୍କ ସେବାରେ ସମର୍ପିତ । ତାଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ସଦାସର୍ବଦା ଲୋକଙ୍କ ପାଇଁ ନିଃସ୍ୱାର୍ଥପର ଭାବେ କାମ କରି ଚାଲିଥିବ । ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ମୁଁ ଆଜି ଆପଣମାନଙ୍କ ଆଶୀର୍ବାଦ କାମନା କରୁଛି । ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆ ନୂଆପଡ଼ା ପାଇଁ ଯାହା ସବୁ ଅଧୁରା କାମ ଛାଡ଼ି ଯାଇଛନ୍ତି, ତାହା ପୂରଣ କରିବା ପାଇଁ ମୁଁ ଅବିଶ୍ରାନ୍ତ ଉଦ୍ୟମ କରିବି । ସଭାରେ ନୂଆପଡା ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଡଲି ମହାନ୍ତି ଉଦବୋଧନ ଦେଇ କହିଥିଲେ ଯେ, କୋମନା ଓ ନୂଆପଡା ଜିଲ୍ଲାରେ ଯେପରି ଉନ୍ନତି ହୋଇଛି, ତାହା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱର ଫଳ । କିନ୍ତୁ ଗତ ୧୬ ମାସ ଧରି ବିଜେପି, ବିଜେଡି ସରକାର ଆରମ୍ଭ କରିଥିବା ଅନେକ ଉନ୍ନୟନ ପ୍ରକଳ୍ପକୁ ଅଟକାଇ ରଖିଛି । ଏହି ସଭାରେ ଜିଲ୍ଲାପରିଷଦ ସଦସ୍ୟ ଶ୍ରୀ ମୁରଲି ଭୋଇଙ୍କ (କୋମନା ବ୍ଲକ, ବିଜେଡି ଜୋନ-୧) ସହିତ ଅନେକ ଗ୍ରାମ୍ୟସ୍ତରୀୟ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ ଓ ଦଳକୁ ତୃଣମୂଳ ସ୍ତରରେ ଶକ୍ତିଶାଳୀ କରିବା ପାଇଁ ଆହ୍ୱାନ କରିଥିଲେ ।

ଗତ ସନ୍ଧ୍ୟାରେ ନୂଆପଡା ନଗରପାଳିକାରେ ଆୟୋଜିତ ହୋଇଥିବା ବିଶାଳ ସାଧାରଣ ସଭାରେ ହଜାରେରୁ ଅଧିକ ସଦସ୍ୟ ଓ ସମର୍ଥକ ଯୋଗ ଦେଇଥିଲେ । ବରିଷ୍ଠ ନେତା ଶ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଏହି ସଭା ଆୟୋଜିତ ହୋଇଥିଲା । ବିଜେଡିର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର, କହିଥିଲେ ଯେ, ଓଡ଼ିଶାର ଉନ୍ନତି ଓ ଲୋକକଲ୍ୟାଣ ପାଇଁ କେବଳ ବିଜେଡି କାମ କରୁଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ନୂଆପଡା ଜିଲ୍ଲା ଏକ ସମୃଦ୍ଧି ଦେଖିବ । ଏହି ସଭାରେ ଶ୍ରୀମତୀ ବର୍ଷା ସିଂ ବରିହା, ଶ୍ରୀମତୀ ଦୀପାଳି ଦାସ, ଶ୍ରୀ ଦିନେଶ ଆଚାର୍ଯ୍ୟ, ଆୟୁବ ଖାନ ଓ ଶ୍ରୀ ସ୍ୱରୂପ ଦାସ ଉପସ୍ଥିତ ରହି ମହିଳା ସଶକ୍ତିକରଣ, ପଞ୍ଚାୟତିରାଜ ଶାସନ ଓ ସାମଗ୍ରୀକ ଉନ୍ନତି ପାଇଁ ବିଜେଡିର ଦୃଢ଼ ସଂକଳ୍ପକୁ ଦୋହରାଇଥିଲେ । ସମସ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ବିଜୁ ଜନତା ଦଳ ନୂଆପଡା ଜିଲ୍ଲାରେ “ଶାନ୍ତି, ଉନ୍ନତି ଓ ସମୃଦ୍ଧି”ର ବାର୍ତ୍ତା ପ୍ରେରଣ କରାଯାଇଥିଲା । ଏହି ଅବସରରେ ବିପୁଳ ଜନସମାଗମ ଏହା ପ୍ରମାଣିତ କରୁଥିଲା ଯେ, କେବଳ ଶୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଓଡ଼ିଶାର ସମସ୍ତ ନାଗରିକଙ୍କ ସୁଖ, ସୁରକ୍ଷା ଓ ଉନ୍ନତି ସୁନିଶ୍ଚିତ କରିପାରିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking