ଭୁବନେଶ୍ୱର: ରାଜ୍ୟ ମହିଳା କମିଶନରେ ହାଜର ହେଲେ ବିଜେଡି ସାସଂଦ ଅନୁଭବ ମହାନ୍ତି । ଉଭୟ ବର୍ଷା ଏବଂ ଅନୁଭବଙ୍କୁ ବସାଇ କମିଶନ ଆଲୋଚନା କରିଛନ୍ତି । ପ୍ରାୟ ୩ ଘଣ୍ଟା ପରେ ମହିଳା କମିଶନରୁ ବାହାରିଥିଲେ ଅନୁଭବ । ମହିଳା କମିଶନରୁ ବାହାରିବା ପରେ ସେ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ମହିଳା କମିଶନଙ୍କୁ ସମ୍ମାନ ଜଣାଇ ମୁଁ ଆସିଛି । ମହିଳା କମିଶନଙ୍କ ନିକଟରେ ମୁଁ ମୋ ପକ୍ଷ ରଖିଛି । କମିଶନ ମୋତେ ଯାହା ପଚାରିବା କଥା ପଚାରିଛନ୍ତି । କମିଶନଙ୍କ ସହ ଆଲୋଚନା ବାହାରେ କହିବା ଉଚିତ ହେବନି ବୋଲି ସେ କହିଛନ୍ତି । ଅନୁଭବଙ୍କୁ ହାଜର ପାଇଁ ନୋଟିସ କରିଥିଲେ କମିଶନ । ଅନୁଭବ ଏବଂ ତାଙ୍କ ବାପା, ମା ଙ୍କୁ ହାଜର ପାଇଁ ନୋଟିସ ହୋଇଥିଲା । ପାରିବାରିକ ମାମଲା ନେଇ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ ଅନୁଭବଙ୍କ ପତ୍ନୀ ବର୍ଷା । ଅନ୍ୟପଟେ ଅନୁଭବ-ବର୍ଷାଙ୍କୁ ବସାଇ ଆଲୋଚନା ପରେ ମହିଳା କମିଶନ ମନ୍ତବ୍ୟ ପ୍ରଦାନ କରିଛନ୍ତି । ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା କହିଛନ୍ତି, ଆମେ ଉଭୟ ପକ୍ଷଙ୍କୁ ଡାକିଥିଲୁ, ସେମାନଙ୍କ ସହ ଆଲୋଚନା କଲୁ । ଆଲୋଚନା ନୂଆ ଆଲୋକ ଦେଖାଇବ ବୋଲି ଆଶା କରୁଛୁ ବୋଲି ସେ କହିଛନ୍ତି ।