ଭୁବନେଶ୍ୱର: ଭରତପୁର ଘାଟିକିଆରେ ପତ୍ନୀକୁ ହତ୍ୟା କରିଥିବା ମାମଲାରେ ଅଭିଯୁକ୍ତ ସ୍ୱାମୀକୁ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ଘାଟିକିଆ ପ୍ଲଟ୍ ନଂ-୧/୫୩୫ରେ ରହୁଥିବା ବଙ୍କୁ ଓରଫ ସଞ୍ଜିତ ଦାଶ(୪୬) । ସରସ୍ୱତୀ ଭାଇଙ୍କ ଅଭିଯୋଗକ୍ରମେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ସଞ୍ଜିତକୁ ଶୁକ୍ରବାର କୋର୍ଟ ଚାଲାଣ କରିଛି । ଜାମିନ ଖାରଜ ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସେପଟେ ପୁଲିସ ଆଗରେ ସଞ୍ଜିତ କହିଛି, ପ୍ରଥମ ସନ୍ତାନ ଭାବେ ଝିଅଟିଏ ଥିଲା । ଦ୍ୱିତୀୟ ସନ୍ତାନ ଜନ୍ମ ହେବା ପୂର୍ବରୁ ପୁଅ ହେବ ବୋଲି ଆଶା ଥିଲା । ଆଉ ଦ୍ୱିତୀୟ ଥର ଯେତେବେଳେ ପୁଣି ଝିଅଟିଏ ହେଲା, ଏଥିରେ ଭାରସାମ୍ୟ ହରାଇ ବସିଥିଲା ନିଶାଡ଼ି ସ୍ୱାମୀ ସଞ୍ଜିତ ଦାଶ ।
ମୁଖ୍ୟତଃ ଝିଅ ଜନ୍ମ ହେବାରୁ ହିଁ ସେ ତା’ ପତ୍ନୀ ସରସ୍ୱତୀଙ୍କୁ ଛୁରୀ ଭୁଷିଭୁଷି ବିଭତ୍ସ ଭାବେ ହତ୍ୟା କରିଥିବା ନେଇ ପୁଲିସ ନିକଟରେ ସ୍ୱୀକାର କରିଛି । ସୂଚନା ଅନୁଯାୟୀ, ବୁଧବାର ସରସ୍ୱତୀ ନିଜର ନବଜାତ ଶିଶୁକନ୍ୟା ସହ ହସ୍ପିଟାଲରୁ ଡିସଚାର୍ଜ ହୋଇ ଆସିଥିଲେ । ବୁଧବାର ରାତି ପ୍ରାୟ ୧୨ଟା ସମୟରେ ସ୍ୱାମୀ ସଞ୍ଜିତ ନିଶାସକ୍ତ ହୋଇ ଘରେ ପହଞ୍ଚିଥିଲା । ସଞ୍ଜିତ ଅଧିକ ନିଶାସକ୍ତ ଥିବାରୁ ପତ୍ନୀ ସରସ୍ୱତୀ ତାଙ୍କୁ ଶୋଇପଡ଼ିବାକୁ କହିଥିଲେ । ବାସ ଏତିକି କଥାରେ ଉତ୍ତ୍ୟକ୍ତ ହୋଇ ପଡ଼ିଥିଲା ସଞ୍ଜିତ । ସବୁଦିନ ପରି ସରସ୍ୱତୀଙ୍କ ଉପରେ ଅକଥନୀୟ ଅତ୍ୟାଚାର ଆରମ୍ଭ କରି ଦେଇଥିଲା ।
ଉଭୟ ସ୍ୱାମୀ -ସ୍ତ୍ରୀଙ୍କ ମଧ୍ୟରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏଭଳି ଗଣ୍ଡଗୋଳ ଲାଗି ରହିଥିଲା । ପରେ ମୋର ପୁଅ ଦରକାର ଥିଲା ତୁ, ଝିଅ ଜନ୍ମ ଦେଲୁ ବୋଲି କହି ସଞ୍ଜିତ ରୋଷେଇ ଘରୁ ଏକ ଛୁରୀ ଆଣି ସରସ୍ୱତୀଙ୍କୁ ଆକ୍ରମଣ ପରେ ଆକ୍ରମଣ କରି ଚାଲିଥିଲା । ଫଳରେ ଭୋର ପ୍ରାୟ ୪ଟା ବେଳେ ସରସ୍ୱତୀଙ୍କ ମୃତ୍ୟୁ ହୋଇଥିଲା । ପତ୍ନୀଙ୍କୁ ହତ୍ୟା କରିବା ପରେ ସଞ୍ଜିତ ଘର ଚାରିପଟେ ବୁଲାବୁଲି କରିଥିଲା। ପରେ ସକାଳ ପ୍ରାୟ ୭ଟା ବେଳେ ଝିଅ ପରୀ ନିଦରୁ ଉଠି ମା’କୁ ଖୋଜିବାରୁ ସଞ୍ଜିତ ତାକୁ ମଧ୍ୟ ଜୀବନରୁ ମାରି ଦେବାକୁ ଯାଇ ତା’ର ମଧ୍ୟ ବେକ କାଟି ଦେଇଥିଲା । ଝିଅ ବେକରୁ ରକ୍ତସ୍ରାବ ହେବାରୁ ସଞ୍ଜିତ ଘର ଛାଡ଼ି ବାହାରକୁ ପଳାଇ ଆସିଥିଲା । ପରେ ଏନେଇ ତଳଘରେ ରହୁଥିବା ମା’ କନକଲତାକୁ ସବୁ କଥା କହି ଘର ଛାଡ଼ି ଫେରାର ହେବାକୁ ଉଦ୍ୟମ କରିଥିଲା । ଏସମ୍ପର୍କରେ ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସଞ୍ଜିତଙ୍କୁ ଗିରଫ କରି ଥାନାକୁ ନେଇଥିଲା ।