ନୂଆଦିଲ୍ଲୀ : ବିହାରର କଟିହାରରୁ ଏକ ତ୍ରିକୋଣୀୟ ପ୍ରେମ ସମ୍ପର୍କ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ବିବାହିତ ବ୍ୟକ୍ତି ନିଜ ପ୍ରେମିକାକୁ ଧରି କୋର୍ଟ ମ୍ୟାରେଜ୍ କରିବାକୁ ଯାଉଥିଲେ । ହେଲେ ଏହି ସମୟରେ ତାଙ୍କ ସ୍ତ୍ରୀ ଏବଂ ଶ୍ୱଶୁର ଘର ଲୋକେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ କାବୁ କରି ନେଇଥିଲେ । ଆଉ ଏହାପରେ ସେମାନେ ଜ୍ୱାଇଁଙ୍କୁ ଏକ ଖୁଣ୍ଟରେ ବାନ୍ଧି ନିର୍ଦ୍ଧୁମ୍ ପିଟିଥିଲେ । ବିଚ୍ ରାସ୍ତାରେ ଦେଖିବାକୁ ମିଳିଥିଲା ହାଇଭୋଲ୍ଟେଜ ଡ୍ରାମା । ଏହି ମାମଲାରେ ଶ୍ୱଶୁର ଘର ଲୋକଙ୍କ କହିବା ହେଲା, ଯେ ପର୍ଯ୍ୟନ୍ତ ତାଙ୍କ ଜ୍ୱାଇଁ ନ ସୁଧୁରିଛି, ସେ ପର୍ଯ୍ୟନ୍ତ ତାଙ୍କୁ ମାଡ଼ ମରା ଚାଲିଥିବ । ଏହି ଘଟଣା ଘଟିଛି କଟିହାରର ଆଜମନଗର ଥାନା ଅଧୀନ ମଲ୍ଲିକପୁର ଗାଁରେ । ସୂଚନା ଅନୁଯାୟୀ, ଆବିଦ୍ ଖାନଙ୍କ ବିବାହ ସନା ଖାତୁନଙ୍କ ସହିତ ହୋଇଥିଲା । ବିବାହ ପରେ ସବୁକିଛି ଠିକଠାକ୍ ଚାଲିଥିଲା । କିଛି ମାସ ପରେ ଆବିଦ୍ କାମ କରିବାକୁ ମୁମ୍ବାଇ ଚାଲି ଯାଇଥିଲେ । ସେଠାରୁ ଆବିଦ୍ ପ୍ରତି ମାସରେ ନିଜ ସ୍ତ୍ରୀଙ୍କ ପାଖକୁ ଟଙ୍କା ମଧ୍ୟ ପଠାଇବା ଆରମ୍ଭ କରିଥିଲେ, କିନ୍ତୁ ୨୦୨୦ ପରଠାରୁ ହଠାତ୍ ସେ ଟଙ୍କା ଦେବା ବନ୍ଦ କରି ଦେଇଥିଲେ । ସନା ଖାତୁନଙ୍କ କହିବା ହେଲା କି, ମୁମ୍ବାଇରେ ଆବିଦଙ୍କର ଅନ୍ୟ ଜଣେ ଯୁବତୀଙ୍କ ସହିତ ସମ୍ପର୍କ ଗଢ଼ି ଉଠିଥିଲା । ଯୁବତୀ ଜଣକ କଟିହାରର ପଡୋଶୀ ଗାଁ ତେଲତା ମାଧୋପୁରର ହିଁ ବାସିନ୍ଦା । ସେ ପ୍ରାୟତଃ ମୁମ୍ବାଇ ଯିବାଆସିବା କରୁଥିଲେ । ଆବିଦ୍ ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇ ନେଇଥିଲେ ଏବଂ କୋର୍ଟ ମ୍ୟାରେଜ ପାଇଁ ରାଜି କରାଇ ଦେଇଥିଲେ । ଶନିବାର ଆବିଦ୍ ନିଜ ପ୍ରେମିକା ସହ କୋର୍ଟ ମ୍ୟାରେଜ କରିବା ପାଇଁ ଯାଉଥିବା ବେଳେ ଏହି ଖବର ତାଙ୍କ ଶ୍ୱଶୁର ଘର ଲୋକଙ୍କ ପାଖରେ ପହଞ୍ଚି ଯାଇଥିଲା । ସେମାନେ କୋର୍ଟ ମ୍ୟାରେଜ ପୂର୍ବରୁ ହିଁ ଦୁହିଁଙ୍କୁ ଧରି ନେଇଥିଲେ । ସନା କହିଛନ୍ତି, ଆବିଦ୍ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାକୁ ଯାଉଥିବା ନେଇ ମୁଁ ମୋ ପରିବାର ସଦସ୍ୟଙ୍କୁ ଜଣାଇଥିଲି । ଖବର ପାଇବା ପରେ ଘର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାପରେ ସେମାନେ ଆବିଦଙ୍କୁ ଧରି ଏକ ଖୁଣ୍ଟରେ ବାନ୍ଧି ଖୁବ୍ ପିଟିଥିଲେ । ଆବିଦଙ୍କ ଶ୍ୱଶୁର ଘର ଲୋକେ କହିଛନ୍ତି ଯେ ଆବିଦ ଓ ସନାଙ୍କ ଇଚ୍ଛା ଅନୁସାରେ ହିଁ ବିବାହ ହୋଇଥିଲା । ଏବେ ସେ ନିଜ ସ୍ତ୍ରୀକୁ ଛାଡି ଅନ୍ୟ ଜଣେ ଯୁବତୀଙ୍କ ସହିତ ରହିବାକୁ ଚାହୁଁଛନ୍ତି । ଆବିଦ ନିଜ ସ୍ତ୍ରୀ ପ୍ରତି ବିଶ୍ୱାସଘାତକତା କରିଛନ୍ତି । ଏଥିପାଇଁ ତାଙ୍କୁ ଏକ ଶିକ୍ଷା ଦେବା ପାଇଁ ଖୁଣ୍ଟରେ ବାନ୍ଧି ଖୁବ୍ ପିଟାଯାଇଛି ।