19.1 C
Bhubaneswar
Monday, November 18, 2024
Homeଓଡିଶାସ୍ତ୍ରୀକୁ ହତ୍ୟା ମାମଲାରେ ସ୍ୱାମୀଙ୍କୁ ଆଜୀବନ ଜେଲ୍

ସ୍ତ୍ରୀକୁ ହତ୍ୟା ମାମଲାରେ ସ୍ୱାମୀଙ୍କୁ ଆଜୀବନ ଜେଲ୍

ବ୍ରହ୍ମପୁର: ସ୍ତ୍ରୀଙ୍କୁ କିରାସିନି ଢ଼ାଳି ହତ୍ୟା କରିଥିବା ମାମଲାରେ ଆଜି ଏଡିଜେ-୨ ଡ. ଇନ୍ଦୁ ଶର୍ମା ଶୁଣାଣି କରିଛନ୍ତି । ସମସ୍ତ ସାକ୍ଷ୍ୟ ପ୍ରମାଣଙ୍କୁ ଆଧାର କରି ଜଜ୍ ଅଭିଯୁକ୍ତ ସ୍ୱାମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଅଭିଯୁକ୍ତ ଜଣଙ୍କ ହେଲେ ପାଟପୁର କଙ୍କରଡା ଗ୍ରାମର ସୁଶାନ୍ତ ବିଷୋୟୀ । ଏହା ସହ ୧୦ ହଜାର ଟଙ୍କା ଜୋରିମାନାର ଦେବା ନିମନ୍ତେ ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଆଉ ୩ ମାସ ଜେଲଦଣ୍ଡର ଆଦେଶ ଶୁଣାଇଛନ୍ତି ।

ଏହି ମାମଲାର ବିଚାର ବେଳେ ୨୦ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା । ଅନ୍ୟପକ୍ଷରେ ମୃତ ମହିଳାଙ୍କ ଦୁଇ ନାବାଳିକା ଝିଅଙ୍କୁ ସହାୟତା ରାଶି ୫ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ୨୦୧୧ ମସିହାରେ ଗୋପାଳପୁର ଥାନା ଅନ୍ତର୍ଗତ ନାରାୟଣପୁର ଗ୍ରାମର ସୁଷମା ସାହୁଙ୍କ ବଡ ଝିଅ ସଙ୍ଗୀତାଙ୍କ ସହ ପାଟପୁର କଙ୍କରଡା ଗ୍ରାମର ସୁଶାନ୍ତ ବିଷୋୟୀଙ୍କ ସହ ବିବାହ ହୋଇଥିଲା ।

ଉଭୟଙ୍କ ଦୁଇଟି ସନ୍ତାନ ଥିବା ବେଳେ ବିବାହ ପରଠାରୁ ବିଭିନ୍ନ କାରଣକୁ ନେଇ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇ ଆସୁଥିଲା । କିନ୍ତୁ ଗତ ୨୦୧୬ ଡିସେମ୍ବର ୧୭ ତାରିଖ ଦିନ ସଙ୍ଗୀତା କିରାସିନି ଷ୍ଟୋଭ ଫାଟି ଜଳିଯାଇଥିବା ନେଇ ସ୍ୱାମୀ ସୁଶାନ୍ତ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲା । ଖବର ପାଇ ସଙ୍ଗୀତାଙ୍କ ମା’ ଘଟଣା ସ୍ଥଳରେ ପହଞ୍ଚି ଝିଅର ଚିକିତ୍ସା ନିମନ୍ତେ ଏମକେସିଜିରେ ଭର୍ତ୍ତି କରିଥିଲେ । ସେଠାରେ ସେ ଦୀର୍ଘ ୬ ଦିନ ଚିକିତ୍ସା ପରେ ତାଙ୍କର ସେଠାରେ ହିଁ ମୃତ୍ୟୁ ହୋଇଥିଲା ।

ମୃତ୍ୟୁ ପୂର୍ବରୁ ପୁଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସଙ୍ଗୀତାଙ୍କ ମୃତ୍ୟୁକାଳୀନ ଜମାନବନ୍ଦି ନେଇଥିଲା । ତାଙ୍କ ସ୍ୱାମୀ ସୁଶାନ୍ତ ତାଙ୍କ ଦେହରେ କିରାସିନି ଢାଳି ତାଙ୍କୁ ପୋଡି ଦେଇଥିବା ସେ କହିଥିଲେ । ଅନ୍ୟପକ୍ଷରେ ଏହି ଘଟଣାର ତଦନ୍ତ କରି ପୁଲିସ ସ୍ୱାମୀ ସୁଶାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାରେ ତଦନ୍ତ ଅଧିକାରୀ ଚାରୁଲତା ବେହେରା ଘଟଣାର ତଦନ୍ତ କରି ଚାର୍ଜସିଟ ଦାଖଲ କରିଥିଲେ । ଆଜି ଜଜ୍ ଏହି ମାମଲାର ଶୁଣାଣି କରି ଅଭିଯୁକ୍ତ ସ୍ୱାମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking