ଗଞ୍ଜାମ : ଦୁଇ ଦିନ ପୂର୍ବେ ମହିଳା କନଷ୍ଟେବଳ ଯାଜ୍ଞଶିନୀ ବେହେରା ବେକରେ ରଶି ଲାଗିଲା ଆତ୍ମହତ୍ୟା କରିଥିଲେ । ଏଥିରେ ସ୍ୱାମୀ ଟି.ଜନାର୍ଦ୍ଦନ ଜେନା ମାନସିକ ଭାରସାମ୍ୟ ହରାଇ ଆଜି ଆତ୍ମହତ୍ୟା ଉଦ୍ୟମ କରିଥିବା ପୁଲିସ କହିଛି । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଛନ୍ତି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଡାକ୍ତର କହିଛନ୍ତି । ଗତ ୨୮ତାରିଖରେ ବ୍ରହ୍ମପୁର ଜିଲ୍ଲା ପୁଲିସରେ କାର୍ଯ୍ୟରତ କନଷ୍ଟେବଳ ଯାଜ୍ଞଶିନୀ ବେହେରା କୌଣସି କାରଣରୁ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ସେତେବେଳକୁ ତାଙ୍କର ୨୨ଦିନର ଏକ ଶିଶୁ କନ୍ୟା ରହିଥିଲା ।
ଏହି ଘଟଣାରେ ସ୍ୱାମୀ ଟି.ଜନାର୍ଦ୍ଦନ ମାନସିକ ଭାରସାମ୍ୟ ହରାଇଥିଲେ । ସେ ମଧ୍ୟ ବ୍ରହ୍ମପୁର ଜିଲ୍ଲା ପୁଲିସରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଅଛନ୍ତି । ଆଜି ଛୋଟ ଝିଅର ସ୍ୱାସ୍ଥ୍ୟ ଚିକିତ୍ସା ନିମନ୍ତେ ଜନାର୍ଦ୍ଦନଙ୍କ ସହ ପରିବାର ଲୋକେ ବ୍ରହ୍ମପୁର ଗିରିରୋଡ଼ ସ୍ଥିତ ଏକ ଘରୋଇ କ୍ଲିନିକକୁ ଚିକିତ୍ସା ନିମନ୍ତେ ଆଣିଥିଲେ । ସେଠାରୁ କୌଣସି କାରଣ ନିମନ୍ତେ ଜନାର୍ଦ୍ଦନ ଆମ୍ବପୁଆ ସ୍ଥିତ ନିଜ ଭଡ଼ା ଘରକୁ ଚାଲିଆସିଥିଲେ । ସେଠାରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।
ଏହି ସମୟରେ ଶିଶୁ କନ୍ୟାର ଚିକିତ୍ସା ସାରି ପରିବାର ଲୋକେ ଜନାର୍ଦ୍ଦନଙ୍କ ଭଡ଼ା ଘରେ ପହଞ୍ଚି ଥିଲେ । ସେ ବେକରେ ରଶି ଲଗାଇ ଝୁଲୁଥିବା ଅବସ୍ଥାରେ ଦେଖି ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ଚିକିତ୍ସା ନିମନ୍ତେ ନେଇଥିଲେ । ବ୍ରହ୍ମପୁର ଅତିରିକ୍ତ ଏସ୍ପି ପ୍ରଭାତ ରାଉତରାୟ ଓ ଟାଉନ ଏସ୍ଡ଼ିପିଓ ବିଷ୍ଣୁ ପ୍ରସାଦ ପତି ମେଡ଼ିକାଲରେ ପହଞ୍ଚି ଜନାର୍ଦ୍ଦନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଥିଲେ ।