ରାଉରକେଲା: ରାଉରକେଲା ନାଗରିକ ସୁରକ୍ଷା କମିଟି ପକ୍ଷରୁ ଶୁକ୍ରବାର ସଂଧ୍ୟା ୫ଟାରୁ ୬ଟା ଯାଏ ରାଉରକେଲା ସମୂର୍ଣ୍ଣ ରିଙ୍ଗରୋଡ଼ର ସେକ୍ଟର-୭/୧୫ ଠାରୁ ଛେଣ୍ଡ ଛକ, ବିଶ୍ରା ଛକ ୧୮ କିମି ବ୍ୟାପି ଏକ ବିଶାଳ ମାନବ ଶୃଖଂଳ ଓ ପ୍ରତିବାଦ କରାଯାଇଥିଲା । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୫୦ ଶର୍ଯ୍ୟା ସୁପରସ୍ପେଶାଲିଟି ହସ୍ପିଟାଲ ଓ ମେଡ଼ିକାଲ କଲେଜ ରାଉରକେଲାରେ ଖୋଲିବାକୁ ପୂର୍ବରୁ ପ୍ରତିଶୃତି ଦେଇଥିଲେହେଁ, ସେଥିରେ ବ୍ୟତିକ୍ରମ ଘଟିଛି ବୋଲି ସଭାରେ ମତ ପ୍ରକାଶ ପାଇଥିଲା । କେବଳ ତରବରିଆ ଭାବରେ ସୁପରସ୍ପେଶାଲିଟି ହସ୍ପିଟାଲ ନାମରେ କୋଠାକୁ ଭାରତର ମହାମହିମ ରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବରେ ଉଦଘାଟନ କରିବାକୁ ଆସୁଛନ୍ତି, ଯାହାକୁ ରାଉରକେଲା ନାଗରିକ ସୁରକ୍ଷା କମିଟି ପକ୍ଷରୁ ନାପସନ୍ଦ କରାଯାଇଥିଲା । ୨୦୧୫ରୁ ୨୦୨୧ ମଧ୍ୟରେ ଆଇଜିଏଚ ପରିସରରେ କେବଳ ଏକ କୋଠା ତିଆରି କରାଯାଇଥିବା ବେଳେ, ଜଣେ ବି ସୁପର ସ୍ପେଶାଲିଟି ଡାକ୍ତ, ନର୍ସ ଟେକନିସିୟାନ ଓ ଅନ୍ୟ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇ ନାହିଁ । ଇସ୍ପାତ ମନ୍ତ୍ରଣାଳୟ ରାଉରକେଲା ଇସ୍ପାତ କାରଖାନା ସିିଇଓଙ୍କ ନେତୃତ୍ୱରେ ଏକ ଟ୍ରଷ୍ଟ ଗଠନ କରି ହସ୍ପିଟାଲକୁ ପରିଚାଳନା କରିବା ପାଇଁ ଦୁର୍ଭାଗ୍ୟଜନକ ବୋଲି କୁହାଯାଇଥିଲା । ଆଜି ରାଉକେଲା ରିଙ୍ଗରୋଡ଼ରେ ଆୟୋଜିତ ବିଶାଳ ମାନବ ଶୃଖଂଳ କାର୍ଯ୍ୟକ୍ରମରେ ବହୁ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା ।