ଭୁବନେଶ୍ୱର: ନକଲି ଡାକ୍ତର ରମେଶ ସ୍ୱାଇଁ ଦୁଇଟି ପର୍ଯ୍ୟାୟରେ ୮ଦିନିଆ ରିମାଣ୍ଡରେ ଆସିଥିଲେ । ଏହି ସମୟରେ ତାଙ୍କ ଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରାଯାଇଛି । ହେଲେ କିଛି କଥା ସେ ଲୁଚାଉଛନ୍ତି । ତେଣୁ ତାଙ୍କ ମୁହଁରୁ ସତ ଓଗାଳିବାକୁ ଲାଏ ଡିଟେକ୍ସନ ଟେଷ୍ଟ କରାଯିବ ବୋଲି ଭୁବନେଶ୍ୱର ଡିସିପି ଡ. ଉମାଶଙ୍କର ଦାଶ କହିଛନ୍ତି । ସେ ଆହୁରି କହିଛନ୍ତି, ରମେଶଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ରିମାଣ୍ଡରେ ଆଣିଥିଲୁ । ଏହାରି ଭିତରେ ତାଙ୍କ ନାମରେ ଅନେକ ଅଭିଯୋଗ ଆସିବା ସହ ମାମଲା ମଧ୍ୟ ରୁଜୁ କରାଯାଇଛି । ଏହି ମାମଲା ଗୁଡ଼ିକରେ ତଦନ୍ତର ଅନେକ ଗୁଡ଼ିଏ ଦିଗ ବାକି ଅଛି । ରିମାଣ୍ଡ ଅବଧି ସମୟରେ ରମେଶ ଯେଉଁ ତଥ୍ୟ ଦେଇଛନ୍ତି, ସେସବୁ ଭୁଲ୍ ତଥ୍ୟ ବୋଲି ଆମକୁ ଲାଗୁଛି । ତାଙ୍କୁ ଆଉ ଥରେ ରିମାଣ୍ଡରେ ଆଣି ଲାଏ ଡିଟେକ୍ସନ୍ ଟେଷ୍ଟ କରାଯିବ ବୋଲି ଡିସିପି କହିଛନ୍ତି ।
ରମେଶଙ୍କ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହୋଇଥିବାରୁ ତାଙ୍କୁ ସୋମବାର କୋର୍ଟରେ ହାଜର କରାଯାଇଥିଲା । ଏହି ସମୟରେ ମହିଳା ଥାନା ପୁଲିସ ରମେଶଙ୍କୁ ପୁଣି ୭ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା । ହେଲେ କୋର୍ଟ ଆବେଦନକୁ ଖାରଜ କରିଦେଇଛନ୍ତି । କିଛିଦିନ ପରେ ପୁଲିସ ପୁଣି ରିମାଣ୍ଡ ଆବେଦନ କରିବ ବୋଲି ଜଣାପଡ଼ିଛି । ଏଥିସହ କାମାକ୍ଷାନଗର କ୍ଲିନିକ୍ କେୟାରଟେକର୍ଙ୍କୁ ପୁଲିସ ବିଭିନ୍ନ ଦିଗକୁ ନେଇ ଜେରା କରିଛି । ଉଲ୍ଲେଖଯୋଗ୍ୟ, ଅଭିଯୁକ୍ତ ରମେଶ ବିଭିନ୍ନ ମାଟ୍ରିମୋନିଆଲ ଓ ସୋସିଆଲ୍ ସାଇଟ୍ରୁ ଉଚ୍ଚଶିକ୍ଷିତା ମହିଳାଙ୍କୁ ଫସାଇ ବିବାହ କରୁଥିଲେ । ପରବର୍ତ୍ତୀ ସମୟରେ ଟଙ୍କା, ସୁନା ଓ ସମ୍ପତ୍ତି ଲୁଟୁଥିଲେ । ଏମିତିକି ସେ ୧୮ଜଣଙ୍କୁ ବାହା ହୋଇଥିବାବେଳେ ଏକାଧିକ ମହିଳାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।