ଲକ୍ଷ୍ନୌ : ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲକ୍ଷ୍ନୌ ହଜରତଗଞ୍ଜର ମଦନ ମୋହନ ମାଲଭୀୟ ମାର୍ଗରେ ଥିବା ହୋଟେଲ ଲେଭାନାକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏବେ ଲେଭାନା ହୋଟେଲକୁ ୯ ଡିସେମ୍ବର ସୁଦ୍ଧା ଜବାବ ଦେବାକୁ ପଡ଼ିବ। ଯଦି ସେ ଏହା ନ କରେ, ତା’ ହେଲେ ହୋଟେଲକୁ ଧ୍ୱସ୍ତ କରାଯିବ ବୋଲି ଏଲଡିଏ ଅଧିକାରୀ ନିର୍ଦ୍ଦେଶ ଜାରି କରିଛନ୍ତି। କହି ରଖୁଛୁ କି, ଏହି ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡରେ ୪ ଜଣଙ୍କ ଜୀବନ ଚାଲି ଯାଇଥିଲା। ହଜରତଗଞ୍ଜ ଅଞ୍ଚଳରେ ଥିବା ଏହି ୪ ମହଲା ହୋଟେଲରେ ସେପ୍ଟେମ୍ବର ୫ ତାରିଖ ସକାଳେ ନିଆଁ ଲାଗିଥିଲା। ଏଥିରେ ୨ ମହିଳାଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅତି କମରେ ୧୦ ଜଣ ଲୋକ ଆହତ ହୋଇଥିଲେ। ଅଗ୍ନିକାଣ୍ଡ ହଜରତଗଞ୍ଜର ମଦନ ମୋହନ ମାଲଭୀୟ ମାର୍ଗରେ ଥିବା ଲେଭାନା ସୁଇଟ୍ସ ହୋଟେଲରେ ହୋଇଥିବା ପୋଲିସ ସୂଚନା ଦେଇଥିଲା। ଏହାରି ଭିତରେ ଜଣାପଡ଼ିଛି ଯେ ହୋଟେଲ ମାଲିକ ଏ ପର୍ଯ୍ୟନ୍ତ ପ୍ରଶାସନକୁ ହୋଟେଲର ନକ୍ସା ଦେଇପାରି ନାହାନ୍ତି।
ହୋଟେଲ ଲେଭାନାରେ ହୋଇଥିବା ଅଗ୍ନିକାଣ୍ଡରେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା ଏବଂ ହୋଟେଲ ମାଲିକଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଇଥିଲା। ଏହି ପୂରା ମାମଲାରେ ପୋଲିସ ନିଜ ତରଫରୁ ମାମଲା ରୁଜୁ କରିଥିଲା। ଯେତେବେଳେ କି, ହୋଟେଲ ମାଲିକ ରାହୁଲ ଅଗ୍ରୱାଲ, ରୋହିତ ଅଗ୍ରୱାଲ ଏବଂ ଜିଏମ ସଞ୍ଜୟ ଶ୍ରୀବାସ୍ତବଙ୍କୁ ପଚରାଉଚରା କରାଯାଇଥିଲା।