26.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶସମଲିଙ୍ଗୀ ସମ୍ପର୍କ କେବଳ ଶାରୀରିକ ନୁହେଁ: ସୁପ୍ରିମ୍‌କୋର୍ଟ

ସମଲିଙ୍ଗୀ ସମ୍ପର୍କ କେବଳ ଶାରୀରିକ ନୁହେଁ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ସମଲିଙ୍ଗୀ ବିବାହକୁ ଆଇନଗତ ସ୍ୱୀକୃତି ପ୍ରଦାନ ମାମଲାର ଶୁଣାଣି ଗୁରୁବାର ସୁଦ୍ଧା ତୃତୀୟ ଦିନରେ ପହଞ୍ଚିଛି । ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ସାମ୍ବିଧାନିକ ପୀଠ ଉଭୟପକ୍ଷର ଯୁକ୍ତି ଶୁଣିଛନ୍ତି । ତେବେ ବିବାହ ପାଇଁ ଦୁଇଜଣ ପାର୍ଟନର ପୃଥକ ଲିଙ୍ଗ ବିଶିଷ୍ଟ ହୋଇଥିବା ଜରୁରୀ କି ବୋଲି ଜଷ୍ଟିସ ଚନ୍ଦ୍ରଚୂଡ ପ୍ରଶ୍ନ କରିଛନ୍ତି ।

ଆମେ ସମଲିଙ୍ଗୀ ସମ୍ପର୍କକୁ କେବଳ ଶାରୀରିକ ବୋଲି ବିବେଚନା କରୁନାହୁଁ, ବରଂ ଏହା ଦୁଇ ପାର୍ଟନରଙ୍କ ମଧ୍ୟରେ ଭାବପ୍ରବଣତାର ସମ୍ପର୍କ ବୋଲି ମଧ୍ୟ ପୀଠ ହୃଦୟଙ୍ଗମ କରୁଥିବା ସେ କହିଛନ୍ତି । ଏହି ମର୍ମରେ ଜଷ୍ଟିସ ଚନ୍ଦ୍ରଚୂଡ କହିଛନ୍ତି ଯେ ଜଣେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ସମ୍ପାଦିତ ବିବାହରେ କ’ଣ ପାରିବାରିକ କଳହର ସୂତ୍ରପାତ ହେଉନାହିଁ । ଯଦି ସ୍ୱାମୀଜଣକ ମଦ୍ୟପ ହୋଇଥିବେ ଏବଂ ରାତିରେ ମଦ ପିଇ ଘରକୁ ଆସିବାପରେ ପତ୍ନୀଙ୍କୁ ନିସ୍ତୁକ ମାରପିଟ୍ କରୁଥିବେ, ତେବେ ଏହାର କୁପ୍ରଭାବ ସନ୍ତାନଙ୍କ ଉପରେ ପଡିବ । ଉକ୍ତ ସନ୍ତାନଟି କ’ଣ ସ୍ୱାଭାବିକ୍ ପରିବେଶରେ ଲାଳନ ପାଳନ ହୋଇପାରିବ ବୋଲି ସେ ପ୍ରଶ୍ନ କରିଛନ୍ତି ।

ବିବାହର ସବୁ ସୁବିଧା ସେମାନଙ୍କୁ ମିଳୁ ବୋଲି ସମଲିଙ୍ଗୀ ଦମ୍ପତି ଦାବି କରୁଛନ୍ତି । ପିଟିସନଧାରୀଙ୍କ ପକ୍ଷରୁ ମାମଲା ଲଢୁଥିବା ଆଇନଜୀବୀ ବିଶ୍ୱନାଥନ ପୀଠଙ୍କୁ ଜଣାଇଛନ୍ତି ଯେ ସ୍ପେଶାଲ ମ୍ୟାରେଜ୍ ଆକ୍ଟରେ କେବଳ ଜଣେ ମହିଳା ଓ ପୁରୁଷଙ୍କ ମଧ୍ୟରେ ବିବାହକୁ ସ୍ୱୀକୃତି ପ୍ରଦାନ କରାଯାଇଛି । ତେଣୁ ଏହି ଆଇନରେ ସଂଶୋଦନ କରାଯାଇ ସମଲିଙ୍ଗୀ ବିବାହକୁ ସ୍ୱୀକୃତି ପ୍ରଦାନ କରାଯାଉ ବୋଲି ସେ ଦାବି ଜଣାଇଛନ୍ତି । ସୂଚନାଯୋଗ୍ୟ ବୁଧବାର ଶୁଣାଣି ସମୟରେ ଏ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଥିବାବେଳେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମତାମତ ଲୋଡାଯାଇଛି ।

ଏହି ପ୍ରସଙ୍ଗ ବ୍ୟବସ୍ଥାପିକା (ଲେଜିସ୍‌ଲେଚର) ପରିସୀମାଭୁକ୍ତ ହୋଇଥିବାରୁ ପ୍ରତ୍ୟେକ ରାଜ୍ୟର ମତାମତ ଜରୁରୀ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି । ବିବାହକୁ ନେଇ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ନୀତି ନିୟମ, ପରମ୍ପରା ରହିଥିବାରୁ ସେମାନଙ୍କର ମତାମତ ଜାଣିବା ନିହାତି ଆବଶ୍ୟକ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟଗୁଡିକୁ ମାମଲାରେ ପକ୍ଷଭୁକ୍ତ କରାଯାଇଛି । ଦଶଦିନ ମଧ୍ୟରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ସେମାନଙ୍କର ମତାମତ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛିବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ପୀଠକୁ ଅବଗତ କରାଯାଇଛି ।

ଚୂଡାନ୍ତ ନିଷ୍ପତ୍ତି ନେବାପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ମିଳିତ ମତାମତ ଉପସ୍ଥାପନ କରାଯିବା ଜରୁରୀ ବୋଲି କେନ୍ଦ୍ର ସରକାର କହିଛନ୍ତି । ଏହି ମର୍ମରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପତ୍ର ପଠାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking