କୋରୁକୋଣ୍ଡା : ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ କରିବାକୁ ଯାଇ ନିଜ ଘର କୁ ଭାଙ୍ଗି ତା ନିକଟରେ ଏକ ଜରି ଟାଣି କୁଡ଼ିଆ କରି ଖରା, ବର୍ଷା, ଝଡି ତୋଫାନ ସହି ଆବାସ ଗୃହ ନିର୍ମାଣ କରୁଛନ୍ତି ଗରିବ ବସ୍ତି ବାସିନ୍ଦା । ତେବେ ଏହି ଗରିବ ଶ୍ରମିକ ଶ୍ରେଣୀର ଲୋକମାନଙ୍କ ଆର୍ôଥକ ସ୍ଥିତି ଠିକ୍ ନଥିବାରୁ ଅନ୍ୟଠୁ ଧାର କରଜ କରି ଘର ନିର୍ମାଣ କରୁଛନ୍ତି ସତ କିନ୍ତୁ ସେମାନଙ୍କୁ ଠିକ ସମୟରେ ବିଲ୍ ମିଳୁନଥିବା ହେତୁ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ବସ୍ତି ବାସିନ୍ଦା । ଏପରି ଘଟଣା ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ରେ ଦେଖିବାକୁ ମିଳିଛି । ତେବେ ଏନଏସି ରେ ବସବାସ କରୁଥିବା ବସ୍ତି ବାସିନ୍ଦାଙ୍କୁ ଡ୍ରନ ମାଧ୍ୟମରେ ଚିହ୍ନଟ କରି ଗତ ବର୍ଷ ପଟ୍ଟା ଦିଆଯାଇଥିଲା । ତେବେ ଏହି ପଟ୍ଟାକୁ ଭିତ୍ତି କରି ଗରିବ ଶ୍ରେଣୀର ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇଥିଲା । ମିଳିଥିବା ସୂଚନାନୁଯାୟୀ ଗତ ଫେବୃଆରୀ ମାସରେ ଏନଏସିର କିଛି ୱାର୍ଡରେ ଆବାସ ଗୃହ ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ହେଲେ ନିଜର ପୁରୁଣା ଘରକୁ ସମ୍ପୂର୍ଣ୍ଣ ଭାଙ୍ଗି ନୂତନ ଘର କରିବାକୁ ହେବ ବୋଲି ଏନଏସି ସିଇଓ ଆରତୀ ମହାପାତ୍ର କହିଥିବା ବସ୍ତି ବାସିନ୍ଦା ସୂଚନା ଦେଇଥିଲେ । ତେଣୁ ଲୋକେ ନିଜର ପୁରୁଣା ଘରକୁ ଭାଙ୍ଗି ନୂତନ ଆବାସ ଗୃହ ନିର୍ମାଣ କରୁଥିବା ଦେଖିବାକୁ ମିଳିଛି । କିନ୍ତୁ ହିତାଧିକାରୀମାନଙ୍କ ଅଭିଯୋଗ ଅନୁଯାୟୀ ବର୍ତ୍ତମାନ ବର୍ଷା ଋତୁ ଆସି ପହଞ୍ଚିଥିଲେ ମଧ୍ୟ ସେମାନେ ନିଜ ଘର ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି । କିନ୍ତୁ ଠିକ୍ ସମୟରେ ସେମାନଙ୍କୁ ବିଲ ମିଳୁନଥିବା ହେତୁ ସେମାନେ ନିଜ ଘର କାର୍ଯ୍ୟ ସମ୍ପୂର୍ଣ୍ଣ କରିପାରୁନଥିବା ଅଭିଯୋଗ କରିଛନ୍ତି । ତେବେ ବିଲ ନିମନ୍ତେ ଏନଏସି କାର୍ଯ୍ୟାଳୟ କୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ କରିଛନ୍ତି । ଏନେଇ ଆମେ ଦାୟିତ୍ୱରେ ଥିବା ପ୍ରୋଗ୍ରାମ କୋଅର୍ଡିନେଟର ବିକାଶ ବିଡିକାଙ୍କୁ ପଚାରିବାରୁ ସେ ବୁଲି ବୁଲି ଜିଓ ଟ୍ୟାଗିଂ କରିବା ସହ ବିଲ୍ ନିମନ୍ତେ ସମସ୍ତ କାର୍ଯ୍ୟ ଜାରି ରଖିଥିବା କହିଛନ୍ତି । ତେବେ ବର୍ଷା ଦିନର ଆଗମନ ହେତୁ ସାପ, ବେଙ୍ଗ ଆଦି ଜୀବଜନ୍ତୁ ଉକ୍ତ କୁଡ଼ିଆ ଘର ମଧ୍ୟକୁ ପ୍ରବେଶ କରୁଥିବା ସହ ସେମାନଙ୍କ ଜୀବନ ପ୍ରତି ବିପଦ ଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି । ତେବେ ଏଭଳି ଅଭାବନୀୟ ପରିସ୍ଥିତିରେ ରହିବା ହେତୁ ସେମାନେ ନିଜ ଘର ର ତୁରନ୍ତ ବିଲ ସାରିବାକୁ ହିତାଧିକାରୀ ସୁବାଷ କୁମ୍ଭାର, ମଞ୍ଜୁ କୁମ୍ଭାର, ସନ୍ତୋଷ ଦୀପ, ପୁତୁଲ ଦୀପ, ପତି ଖିଲ ଙ୍କ ସମେତ ଅନ୍ୟ ହିତାଧିକାରୀ ମାନେ ଦାବି କରିଛନ୍ତି । ଏନେଇ ଆମେ କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥ ଙ୍କୁ ପଚାରିବାରୁ ସେ ତୁରନ୍ତ ସମସ୍ତ ବାକି ରହିଥିବା ବିଲ ଗୁଡିକ ନିଜ ତତ୍ୱାବଧାନରେ ସାରିବେ ବୋଲି ସୂଚନା ଦେଇଥିଲେ ।