ମୁମ୍ବାଇ: ଚଳିତ ବର୍ଷ ଆରମ୍ଭ ହୋଇଥିବା ମହିଳା ପ୍ରିମିୟର୍ ଲିଗ୍ (ଡବ୍ଲ୍ୟୁପିଏଲ୍)ର ଦ୍ୱିତୀୟ ସଂସ୍କରଣ ହୋମ୍-ଆୱେ ଫର୍ମାଟ୍ରେ ଖେଳାଯିବାର ସମ୍ଭାବନା ରହିଛି । ପ୍ରଥମ ସଂସ୍କରଣଟି ୫ଟି ଟିମ୍କୁ ନେଇ କେବଳ ମୁମ୍ବାଇର ଦୁଇଟି ଭେନ୍ୟୁରେ ଖେଳାଯାଇଥିଲା । ଆଗାମୀ ୩ଟି ସଂସ୍କରଣରେ ଟିମ୍ ସଂଖ୍ୟା ୫ରେ ସୀମିତ ରହିବ ବୋଲି ନିକଟରେ ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୂମଲ୍ କହିଥିଲେ । କିନ୍ତୁ ଏହାର ପ୍ରଶଂସକ ସଂଖ୍ୟା ବଢ଼ାଇବା ଦୃଷ୍ଟିରୁ ଏହି ଲିଗ୍ରେ ହୋମ୍-ଆୱେ ଫର୍ମାଟ୍ ଅବଲମ୍ବନ କରାଯିବ ବୋଲି ମଧ୍ୟ ଧୂମଲ୍ ମତ ଦେଇଥିଲେ । ଏହା ଉପରେ ବିସିସିଆଇର ବରିଷ୍ଠ ଅଧିକାରୀମାନେ ଆଲୋଚନା ଜାରି ରଖିଛନ୍ତି ।
ତେବେ ଏହି ଲିଗ୍ ଇନ୍ଦୋର୍ ପରି ଦ୍ୱିତୀୟ ଟାୟର୍ ସହରରେ ଖେଳାଯିବାର ସମ୍ଭାବନା ଯଥେଷ୍ଟ କମ୍ ରହିଛି । ବିଶେଷକରି ଯେଉଁ ସହର ସହ ଫ୍ରାଞ୍ଚାଇଜ୍ର କୌଣସି ସମ୍ପର୍କ ନାହିଁ, ସେସବୁ ସହରରେ ଡବ୍ଲ୍ୟୁପିଏଲ୍ ଖେଳାଯିବାର ସମ୍ଭାବନା ନାହିଁ । ଆଗାମୀ ସଂସ୍କରଣର ପରିସୀମାକୁ ଆହୁରି ବଢ଼ାଯିବା ଉପରେ ବିଚାରବିମର୍ଶ ଚାଲିଥିବା ବେଳେ ଏହା ଫେବୃଆରୀରେ ଖେଳାଯିବର ସମ୍ଭାବନା ରହିଛି । ସେହିପରି ବିସିସିଆଇର କେତେକ ସଦସ୍ୟ ଦୀପାବଳି ସମୟରେ ଏହି ଲିଗ୍ ଖେଳାଯିବା ଉପରେ ଗୁରୁତ୍ୱ ଦେଉଥିବା ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ପ୍ରକାଶ ପାଇଛି । କିନ୍ତୁ ଅଦ୍ୟାବଧି କିଛି ବି ଚୂଡ଼ାନ୍ତ ହୋଇ ନ ଥିବା ଉକ୍ତ ରିପୋର୍ଟରେ କୁହାଯାଇଛି ।