18.1 C
Bhubaneswar
Saturday, November 23, 2024
Homeଖେଳହକି ବିଶ୍ୱକପ୍‌: ଭାରତୀୟ ଟିମ୍ ପାଇଁ ହକି ଇଣ୍ଡିଆର ପୁରସ୍କାର ଘୋଷଣା, ସ୍ୱର୍ଣ୍ଣ ଜିତିଲେ ପ୍ରତି...

ହକି ବିଶ୍ୱକପ୍‌: ଭାରତୀୟ ଟିମ୍ ପାଇଁ ହକି ଇଣ୍ଡିଆର ପୁରସ୍କାର ଘୋଷଣା, ସ୍ୱର୍ଣ୍ଣ ଜିତିଲେ ପ୍ରତି ଖେଳାଳିଙ୍କୁ ୨୫-୨୫ ଲକ୍ଷ

ନୂଆଦିଲ୍ଲୀ: ଆସନ୍ତାବର୍ଷ ଜାନୁଆରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ଏବଂ ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌ରେ ହେବାକୁ ଥିବା ଏଫ୍‌ଆଇଏଚ୍ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ରେ ଭାରତୀୟ ଟିମ୍ ଐତିହାସିକ ଅଭିଯାନ ଲକ୍ଷ୍ୟରେ ରହିଛି । ତେବେ ଏହା ପୂର୍ବରୁ ଟିମ୍‌ର ମନୋବଳ ବୃଦ୍ଧି ଉଦ୍ଦେଶ୍ୟରେ ହକି ଇଣ୍ଡିଆ ବୁଧବାର ଭାରତୀୟ ଟିମ୍ ଏବଂ ସପୋର୍ଟ ଷ୍ଟାଫ୍‌ଙ୍କ ପାଇଁ ଆର୍ଥିକ ପୁରସ୍କାର ଘୋଷଣା କରିଛି । ସ୍ୱର୍ଣ୍ଣ ପଦକ ଜିତିଲେ ହକି ଇଣ୍ଡିଆ ଟିମ୍‌ର ପ୍ରତ୍ୟେକ ଖେଳାଳିଙ୍କୁ ୨୫ ଲକ୍ଷ ଏବଂ ସପୋର୍ଟ ଷ୍ଟାଫ୍ ସଦସ୍ୟଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ ବୋଲି ହକି ଇଣ୍ଡିଆ ଘୋଷଣା କରିଛି । ଭାରତ ଶେଷଥର ପାଇଁ ୧୯୭୫ କ୍ୱାଲାଲାମ୍ପୁର୍‌ରେ ପାକିସ୍ତାନକୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଥିଲା । ସେହିପରି ରୌପ୍ୟ ପଦକ ଜିତିଥିଲେ ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଏବଂ ସପୋର୍ଟ ଷ୍ଟାଫ୍‌ଙ୍କୁ ୩ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଦିଆଯିବ । ଅନ୍ୟପକ୍ଷରେ ବ୍ରୋଞ୍ଜ୍ ପଦକ ଜିତିଲେ ଟିମ୍‌ର ପ୍ରତ୍ୟେକ ଖେଳାଳିଙ୍କୁ ୧୦ ଲକ୍ଷ ଏବଂ ସପୋର୍ଟ ଷ୍ଟାଫ୍‌ଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ମିଳିବ ।

ହକି ଇଣ୍ଡିଆର କାର୍ଯ୍ୟକାରୀ ବୋର୍ଡ ଡିସେମ୍ବର ୨୪ରେ ଅନୁଷ୍ଠିତ ଭର୍ଚୁଆଲ୍ ମିଟିଂରେ ଏହି ନିଷ୍ପତ୍ତି ନେଇଥିଲା । ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲୀପ୍ ତିର୍କୀ ଏକ ବିଜ୍ଞପ୍ତିରେ କହିଛନ୍ତି, ‘ସିନିୟର୍ ପୁରୁଷ ବିଶ୍ୱକପ୍‌ରେ ପଦକ ଜିତିବା ସହଜ ନୁହେଁ । ଏହି ପୁରସ୍କାର ଘୋଷଣା ଟିମ୍‌ର ମନୋବଳ ବୃଦ୍ଧି କରିବ ବୋଲି ଆମେ ଆଶାବାଦୀ । ଘରୋଇ ମାଟିରେ ପଦକ ଜିତିବା ନିଶ୍ଚିତ ଭାବେ ଖେଳାଳିଙ୍କ କ୍ୟାରିୟର୍‌ରେ ଏକ ସ୍ମରଣୀୟ ମୁହୂର୍ତ୍ତ ହୋଇ ରହିବ । ଆଗାମୀ ଏଫ୍‌ଆଇଏଚ୍ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ ୨୦୨୩ ପାଇଁ ଟିମ୍‌କୁ ଶୁଭକାମନା ଜଣାଉଛୁ ।’

ଅନ୍ୟପକ୍ଷରେ ହକି ଇଣ୍ଡିଆ ସାଧାରଣ ସମ୍ପାଦକ ଭୋଳାନାଥ ସିଂହ କହିଛନ୍ତି, ଭାରତୀୟ ପୁରୁଷ ହକି ଟିମ୍ ଦେଶର ଗୌରବ ଏବଂ ଟିମ୍ ଏହି କ୍ରୀଡ଼ାରେ ସମସ୍ତ ଶିଖର ହାସଲ କରୁ ବୋଲି ଆମେ ଚାହୁଁଛୁ । ଏହି ଶିଖରକୁ ଛୁଇଁବା ପାଇଁ ସେମାନଙ୍କୁ ସହାୟତା ଯୋଗାଇବା ସହିତ ଏହି ଲକ୍ଷ୍ୟ ହାସଲ ପାଇଁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ଆର୍ଥିକ ପୁରସ୍କାର ଘୋଷଣା କରାଯାଇଛି । ହରମନ୍‌ପ୍ରୀତ୍‌ଙ୍କ ନେତୃତ୍ୱାଧୀନ ଟିମ୍‌ରେ ବହୁ ଦକ୍ଷ ଏବଂ ପ୍ରତିଭାଶାଳୀ ଖେଳାଳି ଥିବାରୁ ସେମାନେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଟିମ୍‌କୁ ପଦକ ବିଜୟୀ କରାଇବା ନେଇ ଆମେ ଆଶାବାଦୀ ।

ଭାରତ ପୂର୍ବରୁ ଏହି ସମ୍ମାନଜନକ ଇଭେଣ୍ଟ୍‌ରେ ତିନିଟି ପଦକ ଜିତିଥିଲା । ବିଶ୍ୱକପ୍‌ର ୧୯୭୧ ପ୍ରଥମ ସଂସ୍କରଣରେ ଭାରତୀୟ ଟିମ୍ ବ୍ରୋଞ୍ଜ୍ ପଦକ ଜିତିଥିଲା । ଏହାପରେ ୧୯୭୫ ଟାଇଟଲ୍ ବ୍ୟତୀତ ଟିମ୍ ୧୯୭୩ ଆମଷ୍ଟେଭିନ୍ ହକି ବିଶ୍ୱକପ୍‌ରେ ରୌପ୍ୟ ପଦକ ଜିତିଥିଲା । ଓଡ଼ିଶା ହକି ବିଶ୍ୱକପ୍ ପାଇଁ ହକି ଇଣ୍ଡିଆ ଗତ ସପ୍ତାହରେ ହରମନ୍‌ପ୍ରୀତ୍ ସିଂହଙ୍କ ନେତୃତ୍ୱରେ ୧୮ ଜଣିଆ ଦଳ ଘୋଷଣା କରିଥିଲା । ପୁଲ୍‌-ଡି’ରେ ଇଂଲଣ୍ଡ, ସ୍ପେନ୍ ଏବଂ ୱେଲ୍ସ ସହିତ ସ୍ଥାନ ପାଇଥିବା ଭାରତୀୟ ଟିମ୍ ୨୦୨୩ ଜାନୁଆରୀ ୧୩ରେ ନୂତନ ଭାବେ ନିିର୍ମିତ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍‌ରେ ସ୍ପେନ୍ ବିପକ୍ଷରେ ତା’ର ଅଭିଯାନ ଆରମ୍ଭ କରିବ । ଏହାପରେ ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ମ୍ୟାଚ୍ ଖେଳିବ । କଳିଙ୍ଗ ଷ୍ଟାଡିୟମ୍‌ରେ ଟିମ୍ ୱେଲ୍ସ ବିପକ୍ଷରେ ତୃତୀୟ ପୁଲ୍ ମ୍ୟାଚ୍ ଖେଳିବ । ଇଭେଣ୍ଟ୍‌ର ନକ୍‌ଆଉଟ୍ ମ୍ୟାଚ୍ ୨୨ ଏବଂ ୨୩ ତାରିଖରେ ଖେଳାଯିବ । ଏହାପରେ ୨୫ରେ କ୍ୱାର୍ଟରଫାଇନାଲ୍ ଏବଂ ୨୭ ତାରିଖରେ ସେମିଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ । ବ୍ରୋଞ୍ଜ୍ ପଦକ ମ୍ୟାଚ୍ ଏବଂ ଫାଇନାଲ୍ ଜାନୁଆରୀ ୨୯ ତାରିଖରେ ଖେଳାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking