ଭୁବନେଶ୍ୱର: ଓଡ଼ିଶାରେ ମୋଟ୍ ୧,୦୧,୮୦୪.୪୩ କୋଟି ଟଙ୍କାର ୯ ଶିଳ୍ପ ପ୍ରକଳ୍ପକୁ ଉଚ୍ଚସ୍ତରୀୟ କ୍ଲିୟରାନ୍ସ ଅଥରିଟି(ଏଚ୍ଏଲ୍ସିଏ) ମଞ୍ଜୁରୀ ଦେଇଛି । ଏଥିଯୋଗୁଁ ମୋଟ୍ ୨୮,୫୬୫ ଯୁୂବକ ଯୁୂବତୀ କର୍ମନିଯୁକ୍ତି ସୁଯୋଗ ପାଇବେ । ଏହାଦ୍ୱାରା ରାଜ୍ୟର ଆର୍ଥିକ ଅଭିବୃଦ୍ଧି ଘଟିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ସୋମବାର ୩୨ତମ ଏଚ୍ଏଲ୍ସିଏ ବୈଠକରେ ଅଧ୍ୟକ୍ଷତାରେ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ସାରା ଦେଶରେ ଶିଳ୍ପ ବିକାଶ ପ୍ରତି ଅଦମ୍ୟ ପ୍ରତିବଦ୍ଧତା ପାଇଁ ଜଣାଶୁଣା ରହିଛି ଓଡ଼ିିଶା ।
ଉତ୍ତରପ୍ରଦେଶ,ଗୁଜୁରାଟ, ମହାରାଷ୍ଟ୍ର ଓ ତାମିଲନାଡୁ ଭଳି କିଛି ଶିଳ୍ପସମୃଦ୍ଧ ରାଜ୍ୟକୁ ପଛରେ ପକାଇ ସର୍ବାଧିକ ବ୍ୟାଙ୍କ୍ ସହାୟତା ପ୍ରାପ୍ତ ନିବେଶକୁ ଆକର୍ଷିତ କରିବା ତାଲିକାରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି । ନିକଟରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦ୍ୱାରା ଉକ୍ତ ପ୍ରକାଶିତ ହୋଇଛି । ତେଣୁ ପୂର୍ବ ଭାରତର ଓଡ଼ିଶା ଏବେ ପ୍ରମୁଖ ଇଣ୍ଡଷ୍ଟ୍ରିଆଲ୍ ହବ୍ । ବେଷ୍ଟ ଡେଷ୍ଟିନେସନ । ବଙ୍ଗୋପସାଗରରେ ବି ବାଣିଜ୍ୟ କାରବାର ବଢ଼ିଛି । ଏହି ସ୍ଥିତିକୁ ଆହୁରି ମଜବୁତ୍ କରିବା ନିମନ୍ତେ ୯ଟି ପ୍ରମୁଖ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି । ମୋଟ୍ ୧,୦୧,୮୦୪.୪୩ କୋଟି ଟଙ୍କା ବିନିଯୋଗ ହେବ । ଏଥିଯୋଗୁଁ ମୋଟ୍ ୨୮,୫୬୫ ଯୁୂବକ ଯୁୂବତୀ କର୍ମନିଯୁକ୍ତି ସୁଯୋଗ ପାଇବେ । ଏହି ପ୍ରକଳ୍ପଗୁଡ଼ିିକ ଜଗତ୍ସିଂହପୁର, ଯାଜପୁର, ଝାରସୁଗୁଡା, ଖୋର୍ଦ୍ଧା, ପାରାଦୀପ, ଭଦ୍ରକ, ଗଞ୍ଜାମ ଓ କୋରାପୁଟ ଜିଲ୍ଲାରେ ପ୍ରତିଷ୍ଠା ହେବ ।
ଜେଏସ୍ଡବ୍ଲ୍ୟୁ ତାର ଜଗତସିଂହପୁର ଜଟାଧାର ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଣ୍ଟ କ୍ଷମତାକୁ ୧୨ ନିୟୁତ ଟନ୍ରୁ ୨୪ ନିୟୁତ ଟନ୍କୁ ବୃଦ୍ଧି କରିବ । ଏଥିରେ ୭୫ ହଜାର କୋଟି ବିନିଯୋଗ ହେବ ଏବଂ ୨ ହଜାର ଲୋକ କର୍ମନିଯୁକ୍ତି ସୁଯୋଗ ପାଇବେ । ସେହିପରି ଯାଜପୁର କଳିଙ୍ଗନଗରସ୍ଥ ଜିନ୍ଦଲ ଫେରସ୍ ଲିମିଟେଡ୍ କମ୍ପାନୀ ୩୪୪୯ କୋଟି ବ୍ୟରେ ନିର୍ମିତ କାର୍ବନ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବ । ଏହାର କ୍ଷମତା ୨.୩୫ ଏମଟିପିଏ ରହିଛି । ଏଥିଯୋଗୁଁ ୧୩୯୬ ଲୋକ କର୍ମନିଯୁକ୍ତି ସୁଯୋଗ ପାଇବେ । ଝାରସୁଗୁଡ଼ା ଜିଲ୍ଲାର ମାର୍କେଟାରେ ଥିବା ଏମ୍ଏସ୍ପି ମେଟାଲିକ୍ସ ୧୫୦୦ କୋଟି ବ୍ୟୟ କରି ୧.୩୫ ଏମ୍ଟିପିଏ କ୍ଷମତାସମ୍ପନ୍ନ ଷ୍ଟିଲ୍ପ୍ଲାଣ୍ଟର ସଂପ୍ରସାରଣ କରିବ । ସେହିପରି ୨୫୧ ମେଗାୱାଟ୍ କ୍ଷମତା ସମ୍ପନ୍ନ ସିପିପି ଓ ରେଲବାଇ ସାଇଡିଂ ପ୍ରତିଷ୍ଠା କରିବ । ଏଥିଯୋଗୁଁ ୪ ହଜାର ଲୋକ କର୍ମନିଯୁକ୍ତି ସୁଯୋଗ ପାଇବେ । ଖୋର୍ଦ୍ଧା ହଳଦିଆପଡ଼ା ଠାରେ ଆଭାଡ଼ା ଇଲେକୋ୍ଟ୍ର କମ୍ପାନୀ ୧୧,୩୦୦ କୋଟି ଟଙ୍କା ବ୍ୟୟରେ ସୋଲାର ସେଲ୍ ଓ ମଡ୍ୟୁଲେସ୍ ପ୍ଲାଣ୍ଟ ପ୍ରତିଷ୍ଠା କରିବ । ଏଥିଯୋଗୁଁ ୪ ହଜାର ଲୋକ କର୍ମନିଯୁକ୍ତି ସୁଯୋଗ ପାଇବେ ।
ଅନ୍ୟପକ୍ଷରେ ଖୋର୍ଦ୍ଧା କାଲିବେଗୀ ଠାରେ ବର୍ଗର ଇଣ୍ଡିଆ ଲିଃ ୧୪୫୮.୨୫ କୋଟି ଟଙ୍କା ବ୍ୟୟରେ ପେଣ୍ଟସ୍ ଓ ଆଲାଏଡ୍ ପ୍ଲାଣ୍ଟ ପ୍ରତିଷ୍ଠା କରିବ । ଏଥିଯୋଗୁଁ ୩୫୦ ଲୋକ କର୍ମନିଯୁକ୍ତି ସୁଯୋଗ ପାଇବେ । ଜଗତସିଂହପୁର ପାରାଦୀପ ଠାରେ ଏଲ୍ଆଣ୍ଡଟି ଗ୍ରୀନ କମ୍ପାନୀ ୧୦୩୦ କୋଟି ଟଙ୍କା ବ୍ୟୟରେ ଗ୍ରୀନ୍ ଆମୁନିଆ ପ୍ଲାଣ୍ଟ ପ୍ରତିଷ୍ଠା କରିବ । ଏଥିଯୋଗୁଁ ୧୩୧୦ ଲୋକ କର୍ମନିଯୁକ୍ତି ସୁଯୋଗ ପାଇବେ । ଭଦ୍ରକ ଭଣ୍ଡାରପୋଖାରୀ ଠାରେ ଇଣ୍ଡିଆନ ଅଏଲ କର୍ପୋରେସନ ଲିଃ ୪୩୭୭.୪୬ କୋଟି ଟଙ୍କା ବ୍ୟୟରେ ଟେକ୍ସଟାଇଲ ଓ ପଲିଷ୍ଟର ପ୍ଲାଣ୍ଟ ପ୍ରତିଷ୍ଠା କରିବ । ଏଥିଯୋଗୁଁ ୪୩୦୦ ଲୋକ କର୍ମନିଯୁକ୍ତି ସୁଯୋଗ ପାଇବେ । ଗଞ୍ଜାମ ଗୋପାଳପୁର ଠାରେ ପେଟ୍ରୋନେଟ୍ ଏଲଏନ୍ଜି କମ୍ପାନୀ ୨୩୦୬ କୋଟି ଟଙ୍କା ବ୍ୟୟରେ ଏଲଏନ୍ଜି ଟର୍ମିନାଲ ପ୍ରତିଷ୍ଠା କରିବ । ଏଥିଯୋଗୁଁ ୬୬୦ ଲୋକ କର୍ମନିଯୁକ୍ତି ସୁଯୋଗ ପାଇବେ । ସେହିପରି କୋରାପୁଟ ଅମ୍ପାଭାଲି ଠାରେ ତୋଷାଲି ସିମେଣ୍ଟ ୧୩୮୩.୭୨ କୋଟି ଟଙ୍କା ବ୍ୟୟରେ ସିମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା କରିବ । ଏଥିଯୋଗୁଁ ୫୪୯ ଲୋକ କର୍ମନିଯୁକ୍ତି ସୁଯୋଗ ପାଇବେ । ଏସବୁ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ସହଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି ।