ଭୁବନେଶ୍ୱର : ଅତି ଭୀଷଣ ବାତ୍ୟା ୟାସ୍ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବାରୁ ହୀରାକୁଦ ଡ୍ୟାମରୁ ଜୁନ୍ ୧ ତାରିଖ ପରେ ପାଣି ଛଡାଯିବା ସମ୍ଭାବନା ରହିଛି। ପାଣିପାଗ ବିଭାଗ ଅନୁମାନ ଅନୁଯାୟୀ, ବର୍ଷା ପରିମାଣ ୨୦୦ ମିଲିମିଟର ପର୍ଯ୍ୟନ୍ତ ହୋଇପାରେ। ତାହାକୁ ଦୃଷ୍ଟିରେ ରଖି ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ମହାନଦୀ କୂୂୂଳରେ ଅବସ୍ଥିତ ୧୩ଟି ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ସତର୍କ ରହିବାକୁ କୁହାଯାଇଛି ।
ସେହିସବୁ ଜିଲା ମଧ୍ୟରେ ସୁନ୍ଦରଗଡ, ସମ୍ବଲପୁର, ବଲାଙ୍ଗୀର, ସୋନପୁର, କଳାହାଣ୍ଡି, ବୌଦ୍ଧ, ନୂଆପଡା, ଝାରସୁଗୁଡା, ନୟାଗଡ, କଟକ, ଅନୁଗୁଳ, ଜଗତସିଂହପୁର ଆଦି ଅନ୍ତର୍ଭୁକ୍ତ। ପ୍ରବଳରୁ ଅତି ପ୍ରବଳ ବର୍ଷା କାରଣରୁ ହୀରାକୁଦ ନଦୀବନ୍ଧରୁ ଜଳ ନିଷ୍କାସନ ଦ୍ୱାରା ମହାନଦୀ ଏବଂ ତାହାର ଶାଖା ନଦୀଗୁଡିକରେ ଜଳପତନ ବୃଦ୍ଧି ସମ୍ଭାବନା ରହିଥିବାରୁ ଏଭଳି ସତର୍କ ସୂଚନା ଜାରି କରାଯାଇଛି। ଇତିମଧ୍ୟରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ୮ଟି ଜିଲାୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲାଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାନେଇ ସତର୍କ କରାଇଛି ପାଣିପାଗ ବିଭାଗ। ଉକ୍ତ ଜିଲାଗୁଡିକ ମଧ୍ୟରେ ରହିଛି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ ଓ ଖୋର୍ଦ୍ଧା। ଏଥିସହିତ ମୟୁରଭଞ୍ଜ, ଢେଙ୍କାନାଳ ଓ ଗଞ୍ଜାମ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।