ବେଙ୍ଗାଲୁରୁ: କର୍ଣ୍ଣାଟକରେ ହିଜାବକୁ ନେଇ ଆରମ୍ଭ ହୋଇଥିବା ବିବାଦ ବନ୍ଦ ହେବାର ନା’ ନେଉନାହିଁ । ଦିନକୁ ଦିନ ଏହି ବିବାଦ ଅନ୍ୟ ରାଜ୍ୟରେ ମଧ୍ୟ ମୁଣ୍ଡ ଟେକିବା ଆରମ୍ଭ କଲାଣି । ନିର୍ବାଚନ ଋତୁରେ ବିଭିନ୍ନ ଦଳ ଏହି ଘଟଣାକୁ ଅଧିକ ବିବାଦୀୟ କରିବା ସହ ବିରୋଧୀଙ୍କୁ ଟାର୍ଗେଟ କରିବା ପାଇଁ ବ୍ୟବହାର କରୁଛନ୍ତି । ଏଭଳି ସ୍ଥିତିରେ ଏବେ ଅଲିଗଡ଼ ସମାଜବାଦୀ ପାର୍ଟିର ନେତ୍ରୀ ରୁବିନା ଖାନ୍ ହିଜାବକୁ ସମର୍ଥନ କରି ମୁହଁ ଖୋଲିଛନ୍ତି । ହିଜାବରେ ହାତ ଲଗାଇଲେ ହାତ କାଟିଦିଆଯିବ ବୋଲି କହିଛନ୍ତି ରୁବିନା । ସେ କହିଛନ୍ତି ଯେ, ଭାରତ ବିବିଧତାର ଦେଶ । ଏଠାରେ କିଛି ଲୋକଙ୍କ କପାଳରେ ତିଲକ, କିଛି ଲୋକଙ୍କ ଶରୀରରେ ହିଜାବ କିମ୍ବା ପଗଡି ଥାଏ । ମୁଣ୍ଡରେ ଓଢ଼ଣା ହେଉ କିମ୍ବା ହିଜାବ, ଏସବୁ ଆମର ଭାରତୀୟ ସଂସ୍କୃତି ଏବଂ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଏହା ଉପରେ ରାଜନୀତି କରି ବିବାଦ ସୃଷ୍ଟି କରିବା ଉଚିତ୍ ନୁହେଁ । ମହିଳାମାନଙ୍କୁ ଦୁର୍ବଳ ଭାବିବାରେ ଭୁଲ କରନ୍ତୁ ନାହିଁ । ଏଥିରେ ସରକାର କେଉଁ ଦଳ ହୁଅନ୍ତୁ ନା କାହିଁକି, ଯଦି ମା’-ଭଉଣୀଙ୍କ ଆତ୍ମସମ୍ମାନର କଥା ଆସେ ତେବେ ଆମେ ଝାନ୍ସି ରାଣୀ ଲକ୍ଷ୍ମୀବାଇ ଏବଂ ରଜିଆ ସୁଲତାନ ହେବାକୁ ପଛାଇବୁ ନାହିଁ । ହିଜାବରେ ହାତ ଲଗାଇଲେ ହାତ କାଟିଦିଆଯିବ ।