ମୋର୍ବି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଗୁଜରାଟର ମୋର୍ବି ସହର ଗସ୍ତ କରିବା ସହ ଦୁଇଦିନ ପୂର୍ବେ ସେଠାରେ ଘଟିଥିବା ମର୍ମନ୍ତୁଦ ଝୁଲା ପୋଲ ଦୁର୍ଘଟଣାର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଦୁର୍ଘଟଣାର ବିଧିବଦ୍ଧ ତଦନ୍ତ କରାଯିବା ଏବଂ ସେଥିରୁ ମିଳୁଥିବା ଶିକ୍ଷାକୁ ଅବିଳମ୍ବେ କାର୍ଯ୍ୟରେ ନିୟୋଜିତ କରିବା ଜରୁରୀ ହୋଇପଡିଛି ବୋଲି ମୋଦୀ ମତବ୍ୟକ୍ତ କରିଛନ୍ତି । ମୋର୍ବିରେ ପହଞ୍ଚିବାପରେ ମୋଦୀ ପ୍ରଥମେ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ଏହାପରେ ସେ ମୋର୍ବି ସିଭିଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆହତଙ୍କୁ ଭେଟି ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ।
ହସ୍ପିଟାଲରୁ ଫେରି ମୋଦୀ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ । ବୈଠକରେ ଦୁର୍ଘଟଣା ଏବଂ ତତ୍ପରବର୍ତ୍ତୀ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ମୋଦୀଙ୍କୁ ଅବଗତ କରାଯାଇଥିଲା । ପୀଡିତଙ୍କ ପରିବାର ସହ ନିୟମିତ ଯୋଗାଯୋଗରେ ରହି ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇବାକୁ ମୋଦୀ ସ୍ଥାନୀୟ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ଗୃହ ରାଷ୍ଟ୍ରମନ୍ତ୍ରୀ ହର୍ଷ ସାଂଘଭୀ, ରାଷ୍ଟ୍ରମନ୍ତ୍ରୀ ବ୍ରିଜେଶ ମେର୍ଜା, ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ, ମୋର୍ବି ଜିଲ୍ଲାପାଳ, ଏସ୍ପିଙ୍କ ସମେତ ସ୍ଥାନୀୟ ବିଧାୟକ ଓ ସାଂସଦ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ମୋର୍ବି ହସ୍ପିଟାଲର ରୂପରେଖକୁ ରାତାରାତି ପରିବର୍ତ୍ତନ କରାଯାଇଥିବା ଜଣାପଡିଛି ।
ବିରୋଧୀ କଂଗ୍ରେସ ଓ ଆପ୍ ପକ୍ଷରୁ ଏଭଳି ପଦକ୍ଷେପକୁ ତୀବ୍ର ସମାଲୋଚନା କରାଯାଇଛି । ପୀଡିତଙ୍କ ପ୍ରତି ସମବେଦନା ଜଣାଇବା ଆଳରେ ବିଜେପି ଇଭେଣ୍ଟ ମ୍ୟାନେଜମେଣ୍ଟ ଉପରେ ଅଧିକ ଗୁରୁତ୍ୱ ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ ମୋର୍ବି ସହରରେ ମଚ୍ଛୁ ନଦୀ ଉପରେ ନିର୍ମିତ ବ୍ରିଟିଶ ଅମଳର ପୁରୁଣା ଝୁଲା ପୋଲଟି ଗତ ରବିବାର ଛିଣ୍ଡି ପଡିବା ଫଳରେ ଶତାଧିକ ଲୋକ ନଦୀଗର୍ଭକୁ ଖସିପଡିଥିଲେ । ଏହି ଦୁର୍ଘଟଣାରେ ୧୪୧ ଜଣ ପ୍ରାଣ ହରାଇଥିବାବେଳେ ଶତାଧିକ ଆହତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମୃତାହତଙ୍କ ପାଇଁ ପୃଥକ କ୍ଷତିପୂରଣ ରାଶି ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ପ୍ରତ୍ୟେକ ଆହତଙ୍କୁ ୫୦,୦୦୦ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରାଯାଇଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୪ ଲକ୍ଷ ଏବଂ ପ୍ରତ୍ୟେକ ଆହତଙ୍କୁ ୫୦ ହଜାର ଟଙ୍କାର କ୍ଷତିପୂରଣ ଘୋଷଣା କରାଯାଇଛି ।
ସୂଚନାଯୋଗ୍ୟ ବ୍ରିଟିଶ ଅମଳର ଏହି ଝୁଲନ୍ତା ପୋଲ ପ୍ରାୟ ୧୪୦ ବର୍ଷ ପୂର୍ବେ ନିର୍ମିତ ହୋଇଥିଲା । ତେବେ ରକ୍ଷଣାବେକ୍ଷଣର ଆବଶ୍ୟକତା ପଡିବାପରେ ପ୍ରାୟ ୭ ମାସ ଏହାକୁ ଯାତାୟାତ ପାଇଁ ବନ୍ଦ କରାଯାଇ ଟେଣ୍ଡର ଜରିଆରେ ମରାମତି ଦାୟିତ୍ୱ ଓରେଭା ଗ୍ରୁପ୍ ଉପରେ ନ୍ୟସ୍ତ କରାଯାଇଥିଲା । ମରାମତି ପରେ ଗୁଜରାଟ ନବବର୍ଷ ଅବସରରେ ଚଳିତମାସ ୨୬ରେ ଉକ୍ତ ପୋଲଟି ପୁଣି ଯାତାୟାତ ପାଇଁ ଖୋଲାଯାଇଥିଲା । ଏହି ଘଟଣାରେ ପୁଲିସ ଏପର୍ଯ୍ୟନ୍ତ ୯ ଜଣଙ୍କୁ ଗିରଫ କରିସାରିଛି ।