କଟକ: ରାଜ୍ୟ ସରକାରଙ୍କ ପଦାର୍ଥ ବିଜ୍ଞାନ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ନିର୍ଦ୍ଧାରିତ ସର୍ବନିମ୍ନ ଯୋଗ୍ୟତା ମାନଦଣ୍ଡ ଉଲ୍ଲଂଘନ ନେଇ ରୁଜୁ ମାମଲାରେ ହାଇକୋର୍ଟ ଶୁକ୍ରବାର ରହିତାଦେଶ ଜାରି କରିଛନ୍ତି। ହାଇକୋର୍ଟର ବିଚାରପତି ବିରଜା ପ୍ରସନ୍ନ ଶତପଥୀଙ୍କ ଖଣ୍ଡପୀଠ ପଦାର୍ଥ ବିଜ୍ଞାନ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଉପରେ ଅନ୍ୟାଦେଶ ପର୍ୟ୍ୟନ୍ତ ରୋକ ଲଗାଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ମାର୍ଚ୍ଚ ୧ ତାରିଖକୁ ଧାର୍ୟ୍ୟ କରାଯାଇଛି।
ମାମଲାର ବିବରଣୀ ଅନୁସାରେ, ୨୦୨୩ରେ ସର୍ଭିସ ସିଲେକ୍ସନ୍ ବୋର୍ଡ ଦ୍ୱାରା ଅଧ୍ୟାପକ ନିଯୁକ୍ତିକୁ ଚାଲେଞ୍ଜ କରି ଆବେଦନ ଡ. ଅମୀୟ ରଞ୍ଜନ ବାରିକ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅଧ୍ୟାପକ ହେବା ପାଇଁ ୟୁଜିସି ଦ୍ୱାରା ନିର୍ଦ୍ଧାରିତ ସର୍ବନିମ୍ନ ଯୋଗ୍ୟତାର ମାନଦଣ୍ଡକୁ ସର୍ଭିସ ସିଲେକ୍ସନ୍ ବୋର୍ଡ ଖୋଲାଖୋଲି ଉଲଙ୍ଘନ କରିଥିବା ସେ ଆବେଦନରେ ଦର୍ଶାଇଛନ୍ତି। ୟୁଜିସି ଗାଇଡ୍ ଲାଇନ୍ ଅନୁସାରେ ଉଚ୍ଚଶିକ୍ଷାରେ ଅଧ୍ୟାପକ ନିଯୁକ୍ତି ପାଇଁ ଶିକ୍ଷାଗତ ଯୋଗ୍ୟତା ସ୍ନାତକୋତ୍ତର ସହିତ ନାସନାଲ ଏଲିଜିବିଲିଟି ଟେଷ୍ଟରେ ଯୋଗ୍ୟତା ହାସଲ ଅଥବା ପିଏଚ୍ଡି ଡିଗ୍ରୀଧାରୀ ହୋଇଥିବା ଆବଶ୍ୟକ। ମାତ୍ର ଏଠାରେ ସେହି ଯୋଗ୍ୟତା ପରିବର୍ତ୍ତେ କେବଳ ସ୍ନାତକ ଡିଗ୍ରୀଧାରୀ ଲିଖିତ ପରୀକ୍ଷା ଓ ଇଣ୍ଟରଭ୍ୟୁରେ କୃତକାର୍ୟ୍ୟ ହେବାକୁ ମାନଦଣ୍ଡ କରାଯାଇଛି। ଏହାଦ୍ୱାରା ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକରେ ଶିକ୍ଷାଦାନ ମାନ ହ୍ରାସ ପାଇବ। ତେଣୁ ହାଇକୋର୍ଟ ଏହା ଉପରେ ବିଚାର କରି ଉପଯୁକ୍ତ ରାୟ ପ୍ରଦାନ ନିମନ୍ତେ ଆବେଦନକାରୀ ନିବେଦନ କରିଛନ୍ତି। ରାଜ୍ୟ ସରକାର, ସର୍ଭିସ ସିଲେକ୍ସନ ବୋର୍ଡ ଓ ୟୁଜୁସିକୁ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଛି।