କଟକ: ମେଡିକାଲ ପ୍ରବେଶିକା (ନିଟ୍) ପରୀକ୍ଷାରେ ଜଣେ ଭିନ୍ନକ୍ଷମ ଛାତ୍ର ରିଶି ରାଜ ଦାଶ ଓଏମ୍ଆର ସିଟ୍ରେ ଯେତିକି ଠିକ୍ ଉତ୍ତର ଦେଇଛନ୍ତି ତାଙ୍କୁ ସେତିକି ମାର୍କ ମିଳିନାହିଁ । କମ୍ପ୍ୟୁଟରରେ ମୂଲ୍ୟାୟନଜନିତ ତ୍ରୁଟି ପାଇଁ ତାଙ୍କର ନମ୍ବର କମ୍ ହୋଇଛି । ଫଳରେ ସେ ମେଡିକାଲ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ହେବାକୁ ଥିବା କାଉନ୍ସେଲିଂ ପ୍ରକ୍ରିୟାରେ ଭାଗ ନେବାରୁ ବଞ୍ôଚତ ହେବେ ।
ଏହାକୁ ନେଇ ରିଶିରାଜ ପକ୍ଷରୁ ହାଇକୋର୍ଟରେ ଆଗତ ମାମଲାକୁ ବିଚାରପତି ଡ. ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ଓ ବିଚାରପତି ମୁରାହରି ଶ୍ରୀ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ପରୀକ୍ଷା ପରିଚାଳନା କରୁଥିବା ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ)ର ଚେୟାରପର୍ସନ୍ଙ୍କୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ବିବରଣୀ ଅନୁଯାୟୀ, ଆବେଦନକାରୀ ରିଶି ଚଳିତ ବର୍ଷ ମେ ମାସ ୭ ତାରିଖରେ ଅନୁଷ୍ଠିତ ନିଟ୍ ପରୀକ୍ଷାରେ ଆବେଦନକାରୀଙ୍କୁ ୭୬ ମାର୍କ ମିଳିଥିବା ଜୁନ ୧୩ ତାରିଖରେ ଫଳ ପ୍ରକାଶନ ପରେ ଜାଣିବାକୁ ପାଇଥିଲେ । ଏଥିରେ ଅସନ୍ତୁଷ୍ଟ ହୋଇ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଅଦାଲତ ମାମଲାର ଶୁଣାଣି କରି ତାଙ୍କୁ ଓଏମ୍ଆର ସିଟ୍ର ନକଲ ସହିତ ରିଚେକିଂ କରି ତଥ୍ୟ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।
ତାଙ୍କୁ ଏନ୍ଟିଏ ପକ୍ଷରୁ ଓଏମ୍ଅର ସିଟ୍ର ନକଲ ଇମେଲ ଜରିଆରେ ଯୋଗାଇ ଦିଆଯାଇଥିଲା । ଏନ୍ଟିଏ ପକ୍ଷରୁ ତାଙ୍କୁ ସୂଚୀତ କରାଯାଇଥିଲା ଯେ ରିଶି ୧୭୯ଟି ପ୍ରଶ୍ନର ଉତ୍ତର ଦେଇଛନ୍ତି । ତନ୍ମଧ୍ୟରୁ ୫୧ଟି ଉତ୍ତର ଠିକ୍ ହୋଇଥିବା ବେଳେ ୧୨୮ଟି ଉତ୍ତର ଭୁଲ୍ ରହିଛି ଏବଂ ସେ ମୋଟ ୭୬ ନମ୍ବର ପାଇଛନ୍ତି । ହେଲେ ଏନ୍ଟିଏ ୱେବସାଇଟ୍ରେ ଉପଲବ୍ଧ ଆନ୍ସର କି’ ସହିତ ଇ-ମେଲ ଯୋଗେ ପାଇଥିବା ଓଏମ୍ଆର୍ସିଟ୍ରେ ରିଶି ଦେଇଥିବା ଉତ୍ତରଗୁଡ଼ିକୁ ମିଳାଇଥିଲେ । ଏଥିରେ ସେ ୧୭୪ଟି ଉତ୍ତର ଠିକ୍ଦେଇଥିବା ଅବଗତ ହୋଇଥିଲେ । କମ୍ପ୍ୟୁଟରରେ ଓଏମ୍ଆର ସିଟ୍ଗୁଡ଼ିକୁ ମୂଲ୍ୟାୟନ ବେଳେ କମ୍ପ୍ୟୁଟରଜନିତ ତ୍ରୁଟି ପାଇଁ ରିଶି ଏଭଳି ପରିସ୍ଥିତିରେ ପଡ଼ିଥିବା ସ୍ପଷ୍ଟ ହୋଇଥିଲା । ଆବେଦନକାରୀଙ୍କ ପକ୍ଷରୁ ଆଇନ୍ଜୀବୀ ରାଜୀବ ରଥ ମାମଲା ପରିଚାଳନା କରୁଛନ୍ତି ।